ଷ୍ଟମ୍ପରେ ପିଟିଲେ, ଜୀବନ ବିକଳରେ ଦୌଡ଼ୁଥିବା ବେଳେ ଥାର୍ ଚଢ଼ାଇ ହତ୍ୟା କଲେ

ହତ୍ୟାକୁ ଦିଆଯାଇଥିଲା ଦୁର୍ଘଟଣାର ରୂପ: ଖୁଲାସା କଲେ ଡିସିପି ଜଗମୋହନ ମୀନା

ଭୁବନେଶ୍ବର, ୩୦/୦୫: ସାମାନ୍ୟ ଝଗଡ଼ାରୁ ଗାଡ଼ି ଚଢ଼ାଇ ହତ୍ୟା। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ। ପ୍ରଥମେ ଏହାକୁ ଦୁର୍ଘଟଣା ବୋଲି ସନ୍ଦେହ କରାଯାଉଥିବା ବେଳେ ପରେ ହତ୍ୟା ବୋଲି ଖୁଲାସା କରିଛି ପୋଲିସ।

ମୃତ ଯୁବକ ହେଉଛନ୍ତି ଖୋର୍ଦ୍ଧା କାଇପଦର ଅଞ୍ଚଳର। ଗତ କାଲି ଲସି ଦୋକାନରେ ଗଣ୍ଡଗୋଳ ପରେ ବାଇକରେ ଯାଉଥିବା ଯୁବକଙ୍କୁ ପଛରୁ ଥାର୍ ଚଢ଼ାଇ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପରିବାର ଲୋକଙ୍କ ଅଭିଯୋଗ ପରେ ଥାର୍ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବା ସହ ସାଂଘାତିକ ଖୁଲାସା କରିଛି ପୋଲିସ।

ଏହା ତ୍ରିକୋଣୀୟ ପ୍ରେମରୁ ଥାର୍ ଚଢ଼ାଇ ହତ୍ୟା କରାଯାଇଥିବା କହିଛନ୍ତି ଡିସିପି ଜଗମୋହନ ମୀନା। ସେ କହିଛନ୍ତି, ରାତି ୩ଟାରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ପୋଲିସ ସଙ୍ଗେ ସଙ୍ଗେ ଧରିଥିଲା। ଘଟଣା ଦିନ ରାତିରେ ହରିହର ଛକରେ ପ୍ରଥମେ ଗଣ୍ଡଗୋଳ ହୋଇଥିଲା। ଏହାପରେ କ୍ରିକେଟ ଷ୍ଟମ୍ପ୍‌ ନେଇ ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ପିଟି ମାରିବା ଉଦ୍ୟମ କରିଥିଲେ। ଏହା ପରେ ମୃତକ ଜୀବନ ବିକଳରେ ଦୌଡ଼ୁଥିବା ବେଳେ ଜାଣିଶୁଣି ଥାର ଚଢ଼ାଇ ଦେଇଥିଲେ ଅଭିଯୁକ୍ତ। ଦୁର୍ଘଟଣାରେ ଆହତ ୨ ଯୁବକ ଘଟଣା ସମ୍ପର୍କରେ ଜଣାଇଛନ୍ତି। ଘଟଣାର ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ରହିଛନ୍ତି, ସମସ୍ତଙ୍କୁ ଗିରଫ କରାଯିବ।

ମୃତକଙ୍କ ଭଉଣୀ ସଙ୍ଗୀନ ଅଭିଯୋଗ କରି କହିଛନ୍ତି, ପୋଲିସ ଅଟକ ରଖିଥିବା ୫ ଜଣଙ୍କ ମଧ୍ୟରୁ ଜଣେ ଭାଇର ସାଙ୍ଗ। ଗୋଡ଼ାଇ ଗୋଡ଼ାଇ ପିଟିବା ପରେ ଗାଡ଼ି ଚଢ଼ାଇ ଦେଇଛନ୍ତି। ଘଟଣାସ୍ଥଳରେ ହିଁ ଭାଇର ମୃତ୍ୟୁ ହୋଇଛି। ଘରକୁ ଫେରୁଥିଲେ, ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି।