ବ୍ରହ୍ମପୁର, ୩୦/୦୫: ଦକ୍ଷିଣାଚଂଳ ଆଇଜି ତଥା ୨୦୦୭ ବ୍ୟାଚର ଆଇପିଏସ୍ ନୀତି ଶେଖର, ବ୍ରହ୍ମପୁର ଏସ୍ପି ଶ୍ରବଣା ଭିବେକ ଏମ୍ ଓ ଆଡିସନାଲ୍ ଏସପି ଆଲୋକ ଜେନା । ଏହି ୩ ଜଣଙ୍କ ଜୋଡି ଏବେ ବ୍ରହ୍ମପୁରର ଅପରାଧୀମାନଙ୍କ ଉପରେ ଭାରି ପଡ଼ିଛି । କେବଳ ବ୍ରହ୍ମପୁର କାହିଁକି ସମଗ୍ର ଜିଲ୍ଲାରେ ଏବେ କୋକୁଆ ଭୟ । ଅପରାଧ ଜଗତରେ ପଡ଼ି ଗଲାଣି ଭାଳେଣି ।
ଅପରାଧୀମାନେ ଛାନିଆ ହୋଇ ଯାଇଛନ୍ତି । ଅପରାଧ ଘଟାଇବା ପୂର୍ବରୁ ଶହେ ଥର ଭାବୁଛନ୍ତି । ଅନେକ ଅପରାଧୀ ଏବେ ଜିଲ୍ଲା ଛାଡ଼ି ଦେଲେଣି । କାରଣ କେଉଁ ମୁହୂର୍ତ୍ତରେ ସେମାନଙ୍କୁ ଗୁଳି ହୋଇ ପାରେ । ଏଭଳି ଚେତବାନୀ ଏବେ ଆଇଜି ନୀତି ଶେଖର ଓ ଏସପି ଶ୍ରବଣା ଭିବେକ ଦେଇ ସାରିଛନ୍ତି । ତା ସାଙ୍ଗକୁ ଏନକାଉଣ୍ଟର ମାଷ୍ଟର ଅତିରିକ୍ତ ଏସପି ଆଲୋକ ଜେନା । ଓଡ଼ିଶା ପୁଲିସକୁ ଏନକାଉଣ୍ଟର କ’ଣ ଶିଖାଇ ଥିବା ଆଇଜି ଆଶିଷ ସିଂ ଙ୍କ କଥା ଏବଂ କାର୍ଯ୍ୟ ପୁଣି ଜିଲ୍ଲାର ବିଷୟ ପାଲଟିଛି l ଏବଂ ଶ୍ରୀ ସିଂ ଆଉ ଆଲୋକଙ୍କ ଯୋଡି ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା l ବର୍ତ୍ତମାନ ମଧ୍ୟ ଆଲୋକ ଓ ତାଙ୍କ ଟିମ୍ ଏବେ ଅପରାଧୀଙ୍କୁ ଛାନିଆ କରି ହଲଚଲ ସୃଷ୍ଟି କରୁଛନ୍ତି ବ୍ରହ୍ମପୁରରେ । ବ୍ରହ୍ମପୁର ପରେ ଭୁବନେଶ୍ୱରରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସାବାଡ଼ କରିଥିବା ଆଲୋକ ଏବେ ବ୍ରହ୍ମପୁରରେ ଅପରାଧୀମାନଙ୍କ ଉପରେ ଭାରୀ ହେଉଛନ୍ତି । ଏସପି ଏବଂ ଅତିରିକ୍ତ ଏସପିଙ୍କ ଯୋଡ଼ିକୁ ଦେଖି ଅନେକ ଅପରାଧ ଛାଡ଼ି ଦେଲେଣି ।
ସଂଗଠିତ ଅପରାଧକୁ ଆଉ ବରଦାସ୍ତ କରିବ ନାହିଁ ବ୍ରହ୍ମପୁର ପୁଲିସ । ବିଚ୍ ରାସ୍ତାରେ ସାଧାରଣରେ ଭୟର ବାତାବରଣ ଓ ଆତଙ୍କ ସୃଷ୍ଟି କରୁଥିବା ଅପରାଧୀମାନଙ୍କୁ ଆଉ ଛଡ଼ା ଯିବ ନାହିଁ । ଗୋଡ଼ାଇ ଗୋଡ଼ାଇ ସିଧା ସଳଖ କରାଯିବ ଏନକାଉଁଟର । ଠିକ୍ ଯେମିତି ଯୋଗୀ ସରକାର ଉତର ପ୍ରଦେଶରେ କରୁଛନ୍ତି, ଏଠାରେ ମୋହନ ସରକାରର ପୁଲିସ ଅପରାଧୀଙ୍କ ଗୋଡକୁ କରିବ ଗୁଳି । ଅପରାଧୀମାନେ ଜିଲ୍ଲା ଛାଡ଼ ନ ହେଲେ ରାଜ୍ୟ । ନଚେତ ଗୁଳି ଖାଅ । ଏବେ ବ୍ରହ୍ମପୁର ପୁଲିସ ଏହି ନାରା ଦେବା ଆରମ୍ଭ କରିଛି । ଦୁଇ ସପ୍ତାହ ମଧ୍ୟରେ ବ୍ରହ୍ମପୁର ପୁଲିସ ୫ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଗୁଳି କରିଛି ।
ବାଲିଅନ୍ତା ଭିଡ଼ ହତ୍ୟା ପରେ ଉଭୟ ପୁଲିସ ବିଭାଗ ଓ ରାଜ୍ୟ ସରକାର ବଦନାମ ହେଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନିର୍ଦେଶ ପରେ ପୁଲିସ ଡିଜି ୱାଇ.ବି ଖୁରାନିଆ ଏକ ଜରୁରୀକାଳୀନ ବୈଠକ ଡାକିଥିଲେ । କୁହାଯାଇଥିଲା ଅପରାଧୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର । ଆବଶ୍ୟକ ହେଲେ ଏନକାଉଣ୍ଟର କର । ଡିଜିଙ୍କ ନିର୍ଦେଶ ପରେ ପରେ ବ୍ରହ୍ମପୁର ପୁଲିସ ଆକ୍ସନ ଦେଖାଇବା ଆରମ୍ଭ କରିଥିଲା ।
ପ୍ରଥମେ ଦୀପୁନା ନାୟକ ନାମକ ଜଣେ ଦୁର୍ଦାନ୍ତ ଅପରାଧୀକୁ କରାଯାଇଥିଲା ଗୁଳି । ଏହା ପରେ ବ୍ରହ୍ମୁପର ଗିରିରୋଡରେ ଦମ୍ପତିଙ୍କୁ କିଛି ଅସାମାଜିକ ଯୁବକ ଏକ ବାଡିରେ ନିସ୍ତୁକ ଭାବେ ପିଟି ଥିଲେ । ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବ୍ରହ୍ମପୁର ପୁଲିସ ଆସି ଯାଇଥିଲା ଆକ୍ସନ ମୁଡ଼କୁ । ମୁକେଶ ସାହୁ ନାମକ ଜଣେ ଅପରାଧୀକୁ କରାଯାଇଥିଲା ଏନକାଉଣ୍ଟର ।
ଏହାର ଦୁଇ ଦିନ ପରେ ମଙ୍ଗଳା ବେହେରା ନାମକ ଜଣେ ଯୁବକକୁ ବଡ଼ ବଡ଼ବଜାର ଅଞ୍ଚଳରେ କିଛି ଯୁବକ ଖଣ୍ଡାରେ ହାଣିଥିଲେ । ଏହାର ଭିଡ଼ିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା । ଏହି ଘଟଣାର ୫ ଘଣ୍ଟା ମଧ୍ୟରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଜଗା ସାହୁକୁ ଗିରଫ କରିବା ସହିତ ଏନକାଉଣ୍ଟର କରିଥିଲା । ଏହା ପରେ ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣାରେ ଫେରାର ଥିବା ଦୁଇ ଅଭିଯୁକ୍ତ ନୂଆ ଗାଁର ରଂଜନ ମଲ୍ଲିକ ଓ ହିଞ୍ଜିଳିକାଟୁର ସରୋଜ ପଣ୍ଡାଙ୍କୁ ପୁଲିସ କରିଥିଲା ଏନକାଉଣ୍ଟର । ଦୁହିଁଙ୍କ ଆଣ୍ଠୁରେ ବାଜିଥିଲା ଗୁଳି ।
ପୁଲିସର ଏଭଳି ଲଗାତାର ଏନକାଉଣ୍ଟର ପରେ ବ୍ରହ୍ମପୁରରେ ଅପରାଧୀମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏବେ ଅପରାଧୀମାନେ ଅପରାଧ କରିବାକୁ ଶହେ ଥର ଚନ୍ତା କରିବେ । ଏ ସମ୍ପର୍କରେ ଆଇଜି ନୀତି ଶେଖର କହିଛନ୍ତି ଜିଲ୍ଲା ଛାଡ଼ ନଚେତ ଅପରାଧ ଛାଡ଼ । ୫ଟି ଏନକାଉଣ୍ଟର କୁ ସହରରେ ଥିବା ଅପରାଧୀମାନେ ଦେଖିଛନ୍ତି l ଏଭଳି କାଣ୍ଡ ଘଟାଇଲେ, ଆଗକୁ ଡ଼ଜନେ ଏନକାଉଣ୍ଟର ହେବ ।