ଖୋର୍ଦ୍ଧା ରୋଡ୍ ରେଳଷ୍ଟେସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

ଯାତ୍ରୀ ସୁବିଧା ଏବଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା

ଭୁବନେଶ୍ୱର, ୩୦/୦୫: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ଖୋର୍ଦ୍ଧା ରୋଡ୍ ରେଳଷ୍ଟେସନର ଏକ ବ୍ୟାପକ ନିରୀକ୍ଷଣ କରିଛନ୍ତି। ଯାତ୍ରୀମାନଙ୍କ ସୁବିଧା ସୁଯୋଗ, ସୁରକ୍ଷା ବ୍ୟବସ୍ଥା, ଷ୍ଟେସନର ବିଭିନ୍ନ ସୁବିଧା, ସ୍ୱଚ୍ଛତା ଏବଂ କ୍ୟାଟେରିଂ (ଖାଦ୍ୟପେୟ) ସେବାର ସମୀକ୍ଷା ଉପରେ ଏହି ପରିଦର୍ଶନରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ଏହି ପରିଦର୍ଶନ ସମୟରେ ଶ୍ରୀ ଫୁଙ୍କୱାଲ ଷ୍ଟେସନର ବିଭିନ୍ନ ଅଞ୍ଚଳ ଯଥା- ବୁକିଂ ଅଫିସ୍, ଯାତ୍ରୀ ପ୍ରତୀକ୍ଷାଳୟ, ସର୍କୁଲେଟିଂ ଏରିଆ ବା ଚଳପ୍ରଚଳ ଏରିଆ (ଷ୍ଟେସନ ସମ୍ମୁଖ ଭାଗ), ଫୁଟ୍ ଓଭରବ୍ରିଜ୍, ପ୍ଲାଟଫର୍ମ ଏବଂ କ୍ୟାଟେରିଂ ୟୁନିଟ୍ ଗୁଡ଼ିକ ବୁଲି ଦେଖିଥିଲେ। ସେ ସେଠାରେ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଷ୍ଟେସନରେ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ସେବାର ଗୁଣବତ୍ତା ସମୀକ୍ଷା କରିଥିଲେ।

ମହାପ୍ରବନ୍ଧକ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ସ୍ୱଚ୍ଛତା ଏବଂ ଷ୍ଟେସନ ପରିସରର ରକ୍ଷଣାବେକ୍ଷଣ ସମ୍ପର୍କିତ ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କରିଥିଲେ। ଏହାସହ ସେ ଯାତ୍ରୀ ଓ କ୍ୟାଟେରିଂ ଷ୍ଟଲର କର୍ମଚାରୀମାନଙ୍କ ସହ ମଧ୍ୟ କଥା ହୋଇଥିଲେ ଏବଂ ଷ୍ଟେସନରେ ପ୍ରଦାନ କରାଯାଉଥିବା ସେବାର ମାନ ପରଖିଥିଲେ। ସ୍ୱଚ୍ଛତା, ଯାତ୍ରୀ ସୁବିଧା ଏବଂ ଗ୍ରାହକ ସନ୍ତୋଷର ଉଚ୍ଚ ମାନ ବଜାୟ ରଖିବା ଉପରେ ସେ ଗୁରୁତ୍ୱ ଆରୋପ କରିବା ସହ ଯାତ୍ରୀମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୁରକ୍ଷିତ, ଦକ୍ଷ ଏବଂ ଆରାମଦାୟକ ରେଳ ସେବା ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ଯାତ୍ରୀ ସୁବିଧାଗୁଡ଼ିକର ନିରନ୍ତର ଅନୁଧ୍ୟାନର ଆବଶ୍ୟକତା ଉପରେ ମହାପ୍ରବନ୍ଧକ ଜୋର ଦେଇଥିଲେ। ଯାତ୍ରୀ-କୈନ୍ଦ୍ରିକ ବିକାଶ ଏବଂ ସେବା କ୍ଷେତ୍ରରେ ଶ୍ରେଷ୍ଠତା ଉପରେ ବିଶେଷ ଧ୍ୟାନ ଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ପରିଦର୍ଶନ ସମୟରେ ଖୋର୍ଦ୍ଧା ରୋଡ୍ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ) ଶ୍ରୀ ଡି. ସୁନୀଲ ମହାପ୍ରବନ୍ଧକଙ୍କ ସହ ଉପସ୍ଥିତ ଥିଲେ ଏବଂ ବିଭିନ୍ନ ବିକାଶମୂଳକ ଓ ଉନ୍ନତ ପରିଚାଳନା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।