ପର୍ଯ୍ୟଟନ ମାନଚିତ୍ରରେ ନୂଆ ପରିଚୟ ପାଇବ ଝାରସୁଗୁଡ଼ା

ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କଲେ ପର୍ଯ୍ୟଟନ ସଚିବ ବଲୱନ୍ତ ସିଂହ

ଖୁବଶୀଘ୍ର ଆରମ୍ଭ ହେବ ମାଇନିଂ ମ୍ୟୁଜିୟମ୍‌ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ

ଝାରସୁଗୁଡ଼ା, ୧/୬: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ନିର୍ଦ୍ଦେଶ କ୍ରମେ ଝାରସୁଗୁଡ଼ା ଜିଲ୍ଲାକୁ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର କମିଶନର-କମ୍-ସଚିବ ବଲୱନ୍ତ ସିଂହ ସୋମବାର ଜିଲ୍ଲାର ବିଭିନ୍ନ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରି ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ତାଙ୍କ ସହ ଜିଲ୍ଲାପାଳ କୁଣାଲ ମୋତିରାମ ଚଭାଣ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସଚିବ ଶ୍ରୀ ସିଂ ଗୁଜା ପାହାଡ଼ ଓ ଲୋକପ୍ରିୟ ପିକନିକ୍ ସ୍ପଟ୍ ରମ୍ପାଲୁଗା ପରିଦର୍ଶନ କରିଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଅଞ୍ଚଳଗୁଡ଼ିକୁ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ସୌନ୍ଦର୍ଯ୍ୟକରଣ ଓ ସମନ୍ୱିତ ବିକାଶ ଯୋଜନା ଉପରେ ସେ ସ୍ଥାନୀୟ ଜନପ୍ରତିନିଧି, ମନ୍ଦିର ଟ୍ରଷ୍ଟି ଏବଂ ଅନ୍ୟାନ୍ୟଙ୍କ ସହ ଆଲୋଚନା କରିଥିଲେ।

ପୁର୍ବରୁ ସଚିବ ବ୍ରଜରାଜନଗରସ୍ଥିତ ଏମସିଏଲ୍ ଇକୋ-ପାର୍କ ପରିଦର୍ଶନ କରି ଏହାର ଅଗ୍ରଗତିର ସମୀକ୍ଷା କରିଥିଲେ। ପାର୍କ ପରିସରରେ ଥିବା ଏମସିଏଲ୍ ମାଇନିଂ ମ୍ୟୁଜିୟମ୍‌ର ସମ୍ପ୍ରସାରଣ ଉପରେ ସେ ବିଶେଷ ଗୁରୁତ୍ୱ ଦେଇଥିଲେ। ପର୍ଯ୍ୟଟକମାନଙ୍କ ପାଇଁ ଭୂତଳ ଖଣି ପରିଦର୍ଶନର ସ୍ୱତନ୍ତ୍ର ଅନୁଭୂତି ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିବାବେଳେ ମ୍ୟୁଜିୟମ୍‌ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ।

ପରେ ସେ ଇବ୍ ଓ ଭେଡେନ୍ ନଦୀର ସଙ୍ଗମସ୍ଥଳରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରିଥିଲେ। ଏହି ଆଧ୍ୟାତ୍ମିକ ପୀଠର ସୌନ୍ଦର୍ଯ୍ୟକରଣ, ଯାତ୍ରୀ ସୁବିଧା ବୃଦ୍ଧି ଏବଂ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ସମ୍ପର୍କରେ ସେ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।

ସୂଚନା ଯୋଗ୍ୟ ଯେ, ଏହି ପଦକ୍ଷେପର ଅଂଶସ୍ୱରୂପ, ଜିଲ୍ଲାର ଅନ୍ୟତମ ପ୍ରମୁଖ ଧାର୍ମିକ ପୀଠ ମା’ ଚଣ୍ଡୀ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ସରକାର ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏହି ପରିଦର୍ଶନ ସମୟରେ ଜିଲ୍ଲା ବନଖଣ୍ଡ ଅଧିକାରୀ ମନୁ ଅଶୋକ ଭଟ୍ଟ, ଲଖନପୁର ତହସିଲଦାର, ବିଡିଓ, ସ୍ଥାନୀୟ ଜନପ୍ରତିନିଧି ରଘୁନନ୍ଦନ ପଣ୍ଡା, ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ, ଏମସିଏଲ୍‌ର ଜେନେରାଲ୍ ମ୍ୟାନେଜର ଏ.କେ. ନାମଜୋଶୀ, ଆର୍‌ଆଣ୍ଡ୍‌ବି ବିଭାଗର ଏସ୍‌ଡିଓ ସୁରଥ ନାୟକ ଓ ମନ୍ଦିର ଟ୍ରଷ୍ଟି ଦିଲୀପ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ପର୍ଯ୍ୟଟନ ସଚିବଙ୍କ ଏହି ଗସ୍ତ ଝାରସୁଗୁଡ଼ାର ଅପରିଚିତ ଓ ସମ୍ଭାବନାମୟ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶକୁ ନୂଆ ଗତି ଦେବା ସହ ଜିଲ୍ଲାକୁ ରାଜ୍ୟର ଏକ ଉଦୀୟମାନ ପର୍ଯ୍ୟଟନ ହବ୍‌ ଭାବେ ପ୍ରତିଷ୍ଠିତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।