କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଖଣି ଅଞ୍ଚଳରେ ସାଚୁରେସନ୍ ମୋଡ୍‌ରେ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଆରୋପ

ସମସ୍ତ ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରାଳୟ ସହିତ ଉଚ୍ଚସ୍ତରୀୟ ବୈଠକ କରି ଖଣି ସମ୍ୱନ୍ଧୀୟ ସମସ୍ତ ସମସ୍ୟାର ସମାଧାନ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ

ଭୁବନେଶ୍ୱର, ୦୧/୦୬: ଓଡ଼ିଶାର ଖଣିଜ କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଜାତୀୟ ଅର୍ଥନୀତିରେ ଓଡ଼ିଶାର ଅବଦାନକୁ ଆହୁରି ବୃଦ୍ଧି କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀଙ୍କ ସହିତ ଆଲୋଚନା କରି କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଛନ୍ତି ।

ଆଲୋଚନାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶର ଖଣିଜ ଅର୍ଥନୀତି ଓ ଶିଳ୍ପ ଅଭିବୃଦ୍ଧିରେ ଓଡ଼ିଶାର ଗୁରୁତ୍ୱ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାରେ ପ୍ରାୟ ୪୭୧ ମିଲିଅନ୍ ଟନ୍ ଖଣିଜ ପଦାର୍ଥ ଉତ୍ପାଦନ ହୋଇଥିବା ବେଳେ ଏଥିରୁ ପ୍ରାୟ ୪୬ ହଜାର କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଛି । ତେବେ, ଏ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅହୁରି ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ ।

ଓଡ଼ିଶାରେ ଯେଉଁ ଖଣିଜ ବ୍ଲକ୍ ଗୁଡ଼ିକ ନିଲାମ ହୋଇଛି, ତାହାର ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ତ୍ୱରାନ୍ୱିତ କରିବା ପାଇଁ ସେ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଥିଲେ । ଏହାସହିତ ଶାଶୁବୋହୂମାଳୀ ବକ୍‌ସାଇଟ ବ୍ଲକ୍ ଓ ଠାକୁରାଣୀ ଲୁହାପଥର ବ୍ଲକ୍ OMC କୁ ପ୍ରଦାନ କରିବା ପାଇଁ ମଧ୍ୟ ସେ କହିଥିଲେ ।

ଖଣିଜ ଓ ପରିବହନକୁ ଅଧିକ ଦକ୍ଷ ଓ ସ୍ୱଳ୍ପ ଖର୍ଚ୍ଚ ବିଶିଷ୍ଟ କରିବା ପାଇଁ ରେଳ ଓ ବନ୍ଦରଭିତ୍ତି ଭୂମିର ତ୍ୱରିତ ବିକାଶ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପରିବେଶ ସୁରକ୍ଷା ଦୃଷ୍ଟିରୁ ପରିତ୍ୟକ୍ତ କୋଇଲା ଖଣି ଗୁଡ଼ିକ ଫ୍ଲାଇଆସ୍ ଜରିଆରେ ପୁର୍ନଭରଣ କରିବା ପାଇଁ ଏକ ଉପଯୁକ୍ତ ଫ୍ରେମୱାର୍କ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାସହିତ ଖଣିଜ ପଦାର୍ଥର ଉନ୍ନତ ବିଶ୍ଲେଷଣ ପାଇଁ (Advanced Minerals Analysis) ଆଧୁନିକ ଟେକ୍ନୋଲୋଜି ଯୋଗାଇ ଦେବା ପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଥିଲେ ଯେ, ଖଣି କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରେଳ, ବନ୍ଦର, ଜଙ୍ଗଲ ଓ ପରିବେଶ ଆଦି ବିଭିନ୍ନ ବିଭାଗର ସହଯୋଗର ଆବଶ୍ୟକତା ରହିଛି । ତେଣୁ, ଏଥିପାଇଁ ସମସ୍ତ ମନ୍ତ୍ରାଳୟ ଓ ରାଜ୍ୟ ସରକାର ମିଶି ଏକ ଉଚ୍ଚସ୍ତରୀୟ ବୈଠକ ଜରିଆରେ ସମସ୍ତ ବିଷୟ ଗୁଡ଼ିକ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ ।

ବୈଠକରେ ଖଣିଜ ଅଞ୍ଚଳର ବିକାଶ ଓ ସ୍ଥାନୀୟ ଲୋକଙ୍କର କଲ୍ୟାଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଯୋଜନାଗୁଡ଼ିକୁ ସାଚୁରେସନ୍ ମୋଡ଼୍‌ରେ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି । ତେଣୁ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ତଥା DMF ପାଣ୍ଠି ଏବଂ କମ୍ପାନୀମାନଙ୍କର CSR ପାଣ୍ଠିକୁ ଖଣିଜ ଅଞ୍ଚଳରେ ଏକ ସମନ୍ୱିତ ପ୍ରଣାଳୀରେ (Integrated Approach) କାର୍ଯ୍ୟକାରୀ କରି ସମ୍ପୂର୍ଣ୍ଣତା ବା ସାଚୁରେସନ୍ ହାସଲ କରିବା ପାଇଁ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଏଥିପାଇଁ ଓଡ଼ିଶାରେ ସି.ଏମ୍. ସମ୍ପଦା ନାମକ ଏକ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।

ବୈଠକରେ ବିଭିନ୍ନ କେନ୍ଦ୍ରୀୟ ଖଣି PSU ମାନଙ୍କର ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ମହାନଦୀ କୋଲ୍‌ ଫିଲ୍‌ଡସ ଲିମିଟେଡ, ନେଭେଲି ଲିଗନାଇଟ କର୍ପୋରେସନ, ସିଙ୍ଗାରେନୀ କୋଲିଆରିଜ୍ କମ୍ପାନୀ ଲିମିଟେଡ, ନାଲ୍‌କୋ, ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ ଆଦି ସଂସ୍ଥାର ଉଚ୍ଚ ପଦାଧିକାରୀମାନେ ଯୋଗ ଦେଇ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଇଡ୍‌କୋ ଅଧ୍ୟକ୍ଷା) ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ର ଖଣି ସଚିବ ଓ ଖଣି ମନ୍ତ୍ରଣାଳୟର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ ।