ଅନାଥ ପିଲାଙ୍କୁ ଚିହ୍ନଟ ନିମନ୍ତେ ସ୍ୱତନ୍ତ୍ର ଶିବିର କଲ୍ୟାଣସିଂହପୁରରେ ଅନୁଷ୍ଠିତ

୫୪ଟି ପରିବାରର ୪୩ଟି ପିଲାମାନଙ୍କୁ ଚିହ୍ନଟ କରାଗଲା

କଲ୍ୟାଣସିଂହପୁର, ୦୧/୦୬ (ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପରିସର ଭିତରେ ଥିବା (ଆଇସିଡିଏସ) କାର୍ଯ୍ୟଳୟରେ ସୋମବାର ଦିନ ସକାଳ ୮ ଘଣ୍ଟା ଠାରୁ ସନ୍ଧ୍ୟା ୪ ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମହାଦେବ ଚିଛୁଆନଙ୍କ ଅଧ୍ୟକ୍ଷତାରେ ଅରଫାନ ସର୍ଭେ ଅନ୍ତର୍ଗତ ଚିହ୍ନଟ ହୋଇଥିବା ପିଲାମାନଙ୍କୁ ନେଇ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଶିଶୁ ସୁରକ୍ଷା ଅଧିକାରୀ ମନୋରଞ୍ଜନ ବାଘ, କଲ୍ୟାଣସିଂପୁର ଭାରପ୍ରାପ୍ତ ସିଡିପିଓ ଜୟଲଷ୍ମୀ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ପ୍ରମୋଦ କୁମାର ନାଏକ ଏବଂ ସଦସ୍ୟ ଶ୍ରୀ ରାଧାଶ୍ୟାମ ପଣ୍ଡା, ସଙ୍ଗୀତା ବେହେରା ଓ ପରାମର୍ଶଦାତା ବିଶ୍ୱବନ୍ଦିତା ବେଉରା ଉପସ୍ଥିତ ଥିଲେ। ଉକ୍ତ ଶିବିରକୁ କଲ୍ୟାଣସିଂହପୁର ବ୍ଲକରୁ ୫୪ଟି ପରିବାର ଆସିଥିଲେ ଓ ତାଙ୍କର ୪୩ଟି ପିଲାମାନଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ସରକାର ତରଫରୁ ଅନାଥ ପିଲାଙ୍କ ପାଇଁ ଯେଉଁ ସମସ୍ତ ସୁବିଧା ସୁଯୋଗ ଅଛି, ତାହା ପ୍ରଦାନ କରାଯିବ ବୋଲି ଶିବିରରେ ପ୍ରକାଶ କରାଯାଉଥିଲା। ଏହି କାର୍ଯ୍ୟକ୍ରମକୁ କଲ୍ୟାଣସିଂହପୁର ଆଇସିଡିଏସର ସମସ୍ତ ଷ୍ଟାଫ ଉପସ୍ଥିତ ରହି ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ।