କଲ୍ୟାଣସିଂହପୁର, ୦୧/୦୬(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ପ୍ରାୟ ଚାରି ଦଶନ୍ଧି ଧରି ଶିକ୍ଷା କ୍ଷେତ୍ରରେ ନିଷ୍ଠା ଓ ସମର୍ପଣର ସହ ସେବା ପ୍ରଦାନ କରି ଆସୁଥିବା ବରିଷ୍ଠ ଶିକ୍ଷକ ଦେବେନ୍ଦ୍ର ବଛା ସରକାରୀ ଚାକିରିରୁ ରବିବାର ଦିନ ଅବସର ଗ୍ରହଣ କରିଛନ୍ତି। ତାଙ୍କ ଅବସର ଗ୍ରହଣ ଅବସରରେ ଶିକ୍ଷକ ଓ ବୁଦ୍ଧିଜୀବୀ ମହଳରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଛି। ୧୯୮୬ ମସିହା ସେପ୍ଟେମ୍ବର ୩ ତାରିଖରେ ନାରାୟଣପାଟଣା ବ୍ଲକର ଲୋକେସେଲି ପ୍ରାଥମିକ ବିଦ୍ୟାଳୟରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ ଦେବେନ୍ଦ୍ର ବଛା। କର୍ମଜୀବନର ଆରମ୍ଭରୁ ସେ ଶିକ୍ଷାର ପ୍ରସାର, ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧର ବିକାଶ ଓ ବିଦ୍ୟାଳୟର ସାମଗ୍ରିକ ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରି ଆସିଥିଲେ। ସରଳ ବ୍ୟକ୍ତିତ୍ୱ, କର୍ତ୍ତବ୍ୟନିଷ୍ଠା ଏବଂ ଛାତ୍ରବତ୍ସଳ ମନୋଭାବ ପାଇଁ ସେ ସହକର୍ମୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ନିକଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଶିକ୍ଷକତା ସହିତ ସ୍ଥାନୀୟ ଶିକ୍ଷକ ନେତୃତ୍ୱ କ୍ଷେତ୍ରରେ ମଧ୍ୟ ସେ ନିଜର ଦକ୍ଷତା ଓ ସେବାଭାବ ପାଇଁ ସମ୍ମାନିତ ଥିଲେ। ଅବସର ଗ୍ରହଣ ସମୟରେ ସେ କୁଦଭଟ୍ଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ବେଳେ କଦମଦ୍ୱାର ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେବା ପ୍ରଦାନ କରୁଥିଲେ।
ଦୀର୍ଘ କର୍ମଜୀବନ ମଧ୍ୟରେ ସେ ଅନେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ଜୀବନର ସଠିକ୍ ଦିଗଦର୍ଶନ ଦେଇ ଜଣେ ଆଦର୍ଶ ଶିକ୍ଷକ ଭାବେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଶିକ୍ଷା, ଶୃଙ୍ଖଳା ଓ ମାନବିକ ମୂଲ୍ୟବୋଧର ବାର୍ତ୍ତା ବହନ କରି ଦୀର୍ଘ ଚାରି ଦଶନ୍ଧିର ସେବା ପରେ ଅବସର ନେଇଥିବା ଶ୍ରୀ ଦେବେନ୍ଦ୍ର ବଛା ଆଗାମୀ ପିଢ଼ି ପାଇଁ ନିଶ୍ଚିତ ଭାବେ ଜଣେ ପ୍ରେରଣାଦାୟକ ଶିକ୍ଷକ ଭାବେ ସ୍ମରଣୀୟ ହୋଇ ରହିବେ।