ଶ୍ରୀକ୍ଷେତ୍ରରେ ଅତ୍ୟାଧୁନିକ ତାଳବଣିଆ ଥାନାର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ୧୯୫ କୋଟିର ପୋଲିସ ଭିତ୍ତିଭୂମି ଲୋକାର୍ପିତ
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୪/୦୬: ପୁରୀର ତାଳବଣିଆ ଠାରେ ଏକ ଅତ୍ୟାଧୁନିକ ନୂତନ ଥାନା ଗୃହ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମିତ ପୋଲିସ ଭିତ୍ତିଭୂମିର ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି। ଏହାସହିତ ଆଭାସୀ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁସ୍ଥିତ SDPO କାର୍ଯ୍ୟାଳୟ, ଯାଜପୁରର ବ୍ରହ୍ମବରଦା ଥାନା, ତୃତୀୟ ବାଟାଲିୟନ କୋରାପୁଟର ପ୍ରଶାସନିକ ଭବନ ଓ ଅସ୍ତ୍ରାଗାର ଗୃହ ସମେତ ଭୁବନେଶ୍ବର, କଟକ ଓ ଯାଜପୁରରେ ସର୍ବମୋଟ ୬୫୮ଟି (D, E, F type) ପୋଲିସ ଆବାସିକ ଗୃହର ମଧ୍ୟ ଲୋକାର୍ପଣ କରାଯାଇଛି।
ରାଜ୍ୟରେ ଆଇନଶୃଙ୍ଖଳା, ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି ବୋଲି ତାଳବଣିଆଠାରେ ପୋଲିସ ଷ୍ଟେସନ ଉଦଘାଟନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଦ୍ଵାରା ପ୍ରାୟ ୧୯୫ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ଯୋଜନାକୁ ବାସ୍ତବ ରୂପ ଦେଇଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୌଣସି ବି ପ୍ରଗତିଶୀଳ ଏବଂ ସମୃଦ୍ଧ ସମାଜର ମୂଳଦୁଆ ହେଉଛି ଏକ ସୁଦୃଢ଼ ଆଇନ ଶୃଙ୍ଖଳା ଏବଂ ଭୟମୁକ୍ତ ପରିବେଶ।
ଓଡ଼ିଶାକୁ ଦେଶର ଏକ ଶାନ୍ତିପୂର୍ଣ୍ଣ ଏବଂ ଅଗ୍ରଗାମୀ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ଆମ ପୋଲିସ ବାହିନୀର ସଶକ୍ତୀକରଣ, ଆଧୁନିକୀକରଣ ଏବଂ ଉପଯୁକ୍ତ ଭିତ୍ତିଭୂମିର ବିକାଶ ଅତ୍ୟନ୍ତ ଅପରିହାର୍ଯ୍ୟ।
ପୋଲିସ କର୍ମଚାରୀଙ୍କ କଲ୍ୟାଣ ପ୍ରତି ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ସେ କହିଛନ୍ତି ଯେ ଜନସାଧାରଣଙ୍କ ସୁରକ୍ଷା ଏବଂ ସେମାନଙ୍କ ଉତ୍ତମ ସେବା ପ୍ରଦାନ କରିବାରେ ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଏବଂ ପୋଲିସ କର୍ମୀ ମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଆମ ସରକାର ସର୍ବଦା ପ୍ରତିଶୃତିବଦ୍ଧ।
ଏହି ପରିପ୍ରେକ୍ଷୀରେ ସେ ଆଜି କହିଥିଲେ ଯେ, ଆମେ ଆମ ରାଜ୍ୟର ଆଇନ ଶୃଙ୍ଖଳା, ସୁରକ୍ଷା ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ କଲ୍ୟାଣକୁ ସୁନିଶ୍ଚିତ କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିଛୁ। ସରକାରଙ୍କ ଭିତ୍ତିଭୂମି ବିକାଶ ଯୋଜନାକୁ ନେଇ ଆଶା ପ୍ରକାଶ କରି ସେ କହିଛନ୍ତି, ଯେ ଆମ ସରକାର ପୋଲିସ ଭିତ୍ତିଭୂମିରେ ଉନ୍ନତି ଆଣିବା ସହିତ ଆଇନର ଶାସନ ପ୍ରତିଷ୍ଠା ପାଇଁ ସର୍ବଦା ତତ୍ପର । ଏହାର ପ୍ରମାଣ ସ୍ଵରୂପ ଆଜି ବ୍ରହ୍ମବରଦା ଓ ତାଳବଣିଆ ଠାରେ ଅତ୍ୟାଧୁନିକ ଥାନାଗୃହକୁ ଲୋକାର୍ପିତ କରାଯାଇଛି।
ଏହି ନୂଆ ଥାନା ପୋଲିସ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ତଥା ଜନସାଧାରଣଙ୍କୁ ଉନ୍ନତ ଓ ତ୍ଵରିତ ସେବା ପ୍ରଦାନ କରିବାରେ ସକ୍ଷମ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।
ପୋଲିସ ବାହିନୀର ନିଷ୍ଠାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ , ଆମକୁ ସୁରକ୍ଷା ଦେବା ପାଇଁ ଆମର ପୋଲିସ ଅଧିକାରୀମାନେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ସେମାନଙ୍କର ସାହସ, ସମର୍ପଣ ମନୋଭାବ ଏବଂ ସମାଜ ପ୍ରତି ଦାୟିତ୍ବବୋଧତା ସବୁବେଳେ ଅମୂଲ୍ୟ। ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ଆବଶ୍ୟକ ସମ୍ୱଳ, ତାଲିମ ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ପ୍ରଦାନ କରାଯାଉଛି। ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଏହି ନୂତନ ପୋଲିସ ଷ୍ଟେସନ୍ ସେମାନଙ୍କୁ କାର୍ଯ୍ୟ କରିବା ପାଇଁ ଏକ ସୁନ୍ଦର ଓ ଅନୁକୂଳ ପରିବେଶ ଯୋଗାଇବ।
ଏହି ନବନିର୍ମିତ ଥାନା ଗୁଡ଼ିକରେ ସାଧାରଣ ଲୋକଙ୍କ ସୁବିଧା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ ଯେ, ଏହି ଥାନାଗୁଡ଼ିକରେ ଭିନ୍ନକ୍ଷମଙ୍କ ପାଇଁ ରାମ୍ପ୍ ବ୍ୟବସ୍ଥା, ବାରାକ୍, ସମ୍ମିଳନୀ କୋଠରୀ, ସନ୍ଦିଗ୍ଧ ଓ ସାକ୍ଷୀ ପରୀକ୍ଷା କୋଠରୀ, ୱେୟାରଲେସ୍ ସୂଚନା କେନ୍ଦ୍ର, ସ୍ଵତନ୍ତ୍ର ସ୍ଵାଗତ କକ୍ଷ ଏବଂ ମହିଳା ଓ ଶିଶୁ ସହାୟତା କେନ୍ଦ୍ର ସହ ୨୪ ଘଣ୍ଟିଆ ସିସିଟିଭିର ସୁବିଧା ରହିଛି।
ନ୍ୟାୟପୂର୍ଣ୍ଣ ସାମାଜିକ ବ୍ୟବସ୍ଥା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଇନ ଓ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ପୋଲିସ ବିଭାଗ ସର୍ବଦା ସଚେତନ ଓ ସକ୍ରିୟ। ଏକ ନ୍ୟାୟପୂର୍ଣ୍ଣ ବ୍ୟବସ୍ଥାରେ ଦୋଷୀମାନେ ଦଣ୍ଡିତ ହେବା ଆବଶ୍ୟକ ଏବଂ ନିରପରାଧ ଲୋକମାନେ ବିନା ଭୟରେ ନିଜର ଦୈନନ୍ଦିନ ଜୀବନ ଅତିବାହିତ କରିବା ଆବଶ୍ୟକ। ଯେତେବେଳେ ସାଧାରଣ ଲୋକଙ୍କ ମନରେ ଏହି ବିଶ୍ୱାସ ଆସିବ, ସେତେବେଳେ ହିଁ ସାମାଜିକ ବ୍ୟବସ୍ଥା ପ୍ରକୃତରେ ସୁରକ୍ଷିତ ବୋଲି ଆମେ କହିପାରିବା। ଏଥିରେ ରାଜ୍ୟ ପୋଲିସର ଭୂମିକା ଅତ୍ୟନ୍ତ ମହତ୍ଵପୂର୍ଣ୍ଣ। ପୋଲିସ ବାହିନୀକୁ ଜନ-ଅଭିମୁଖୀ ହେବାକୁ ଆହ୍ବାନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୋଲିସ ମାନେ ସାଧାରଣ ଲୋକଙ୍କ ପାଇଁ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର କରନ୍ତୁ ଏବଂ ଅପରାଧୀଙ୍କ ପ୍ରତି କଠୋର ହୁଅନ୍ତୁ। ଆଇନ ଅନୁଯାୟୀ ପ୍ରକ୍ରିୟା ସମ୍ପାଦନ କରିବା ହେଉଛି ଆପଣମାନଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ।
ରାଜ୍ୟ ପୋଲିସର ସଫଳତା ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ରାଜ୍ୟ ପୋଲିସ ନକ୍ସଲ ଦମନ, ଶାନ୍ତି-ଶୃଙ୍ଖଳା ରକ୍ଷା ଏବଂ ନିଶାଦ୍ରବ୍ୟ କାରବାର ରୋକିବାରେ ପ୍ରଶଂସନୀୟ କାର୍ଯ୍ୟ କରୁଛି। ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର (Conviction Rate) ବୃଦ୍ଧି ପାଇବା ଏକ ସନ୍ତୋଷଜନକ ବିଷୟ। ବିଶେଷ କରି ନୂତନ ‘ଭାରତୀୟ ନ୍ୟାୟ ସଂହିତା’ କାର୍ଯ୍ୟକାରୀ ହେବା ପରଠାରୁ ଗତ ବର୍ଷ ଡିସେମ୍ବର ସୁଦ୍ଧା ଏହି ହାର ୮୭.୬ ପ୍ରତିଶତକୁ ବୃଦ୍ଧି ପାଇଛି।
ଏଥିସହ ସେ ଚେତାବନୀ ଦେଇ କହିଛନ୍ତି, ଯେ କିଛି ଛୋଟ ଛୋଟ ଘଟଣା ପୋଲିସର ସାମଗ୍ରିକ ଭାବମୂର୍ତ୍ତି ଉପରେ ଆଞ୍ଚ ଆଣୁଛି। ସେଥିପାଇଁ ଆମ ପୋଲିସ ବାହିନୀକୁ ଆହୁରି ସତର୍କ ଓ ସଂବେଦନଶୀଳ ହେବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କ ଉପଯୁକ୍ତ ତାଲିମ ଉପରେ ସରକାର ସ୍ଵତନ୍ତ୍ର ଗୁରୁତ୍ଵ ଦେଉଛନ୍ତି।
ବର୍ତ୍ତମାନର ବଡ଼ ଆହ୍ବାନ ସାଇବର ଓ ସଙ୍ଗଠିତ ଅପରାଧ ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିକାଲି ସମଗ୍ର ବିଶ୍ଵରେ ସାଇବର ଅପରାଧ ଏବଂ ସଙ୍ଗଠିତ ଅପରାଧ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହାର ସଫଳ ମୁକାବିଲା ପାଇଁ ଆମକୁ ନୂତନ ପ୍ରଯୁକ୍ତିବିଦ୍ୟା ଆପଣେଇ ସକ୍ରିୟ ରହିବାକୁ ହେବ। ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଆମ ପୋଲିସ ବାହିନୀ ଏହି ଚ୍ୟାଲେଞ୍ଜକୁ ସଫଳତାର ସହ ସାମ୍ନା କରିପାରିବେ।
ପୋଲିସର ବାସଗୃହ ସମସ୍ୟାର ସମାଧାନ ଏବଂ ବଜେଟ ବ୍ୟବସ୍ଥା ଉପରେ ସେ କହିଛନ୍ତିଯେ ପୋଲିସ କର୍ମଚାରୀମାନେ ଯେପରି ଚାପମୁକ୍ତ ହୋଇ ଉନ୍ନତ ସେବା ଯୋଗାଇ ଦେଇପାରିବେ, ସେଥିପାଇଁ ସେମାନଙ୍କର ବାସଗୃହ ସମସ୍ୟାର ସମାଧାନ କରିବା ଆମ ସରକାରଙ୍କ ପ୍ରାଥମିକତା। ବର୍ତ୍ତମାନ, ପୋଲିସ ଆବାସିକ ବ୍ୟବସ୍ଥାରେ ଆଶାଜନକ ସୁଧାର ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି।
ଭୁବନେଶ୍ଵର, କଟକ, ପୁରୀ ଓ ଯାଜପୁର ଆଦି ସ୍ଥାନରେ ନୂତନ ଆବାସିକ ପ୍ରକଳ୍ପର ଉଦ୍ଘାଟନ ସହ ସେ ସମସ୍ତ ଓଡ଼ିଶାବାସୀଙ୍କୁ ଏକାଠି ହେବାକୁ ଆହ୍ବାନ ଦେଇ କହିଛନ୍ତି ଯେ, ଏକ ସୁରକ୍ଷିତ, ସମୃଦ୍ଧ ଏବଂ ଅପରାଧମୁକ୍ତ ସମାଜ ଗଠନ କେବଳ ଆମ ସରକାର କିମ୍ବା ପୋଲିସ ବାହିନୀର ଏକାକୀ ଦାୟିତ୍ୱ ନୁହେଁ; ବରଂ ଏହା ଆମ ସମସ୍ତଙ୍କର ମିଳିତ ସଂକଳ୍ପ ଓ ଭାଗୀଦାରୀ। ଯେତେବେଳେ ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ସହଭାଗିତା ଏବଂ ପାରସ୍ପରିକ ବିଶ୍ୱାସର ଏକ ମଜବୁତ ସେତୁ ଗଠନ ହେବ, ସେତେବେଳେ ହିଁ ଆମେ ଆମର ବିକାଶମୂଳକ ଲକ୍ଷ୍ୟ ହାସଲ କରିପାରିବା।
ଏହି ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ପୁରୀ ସାଂସଦ ଶ୍ରୀ ସମ୍ବିତ ପାତ୍ର ଜନସାଧାରଣଙ୍କ ପ୍ରତି ପୋଲିସର ଦାୟିତ୍ୱବୋଧ ଉପରେ ଗୁରୁତ୍ୱାରୋପ କରିଛନ୍ତି। ନିଜ ଅଭିଭାଷଣରେ ସେ କହିଛନ୍ତି ଯେ, “ହସ୍ପିଟାଲ ହେଉ କିମ୍ବା ଥାନା— ଏଠାକୁ କେବଳ ଅସହାୟ ଓ ଆବଶ୍ୟକତା ଥିବା ଲୋକମାନେ ହିଁ ଆସିଥାନ୍ତି। ତେଣୁ ସେମାନଙ୍କ ସମସ୍ୟାକୁ ସହାନୁଭୂତିର ସହ ବୁଝିବା ଏବଂ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ଆମର ପ୍ରଥମ କର୍ତ୍ତବ୍ୟ।” ଏହି ନୂତନ ତାଳବଣିଆ ପୋଲିସ ଭବନ ଆଗାମୀ ଦିନରେ କେବଳ ଏକ ସରକାରୀ କୋଠା ହୋଇ ନରହି, ସାଧାରଣ ଲୋକଙ୍କ ଭାବନା ଓ ଆଶାଆକାଂକ୍ଷାକୁ ବୁଝି କାର୍ଯ୍ୟ କରିବ ବୋଲି ସାଂସଦ ଆଶା ପ୍ରକଟ କରିଛନ୍ତି।
କାର୍ଯ୍ୟକ୍ରମରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ଚିନ୍ତାଧାରା ଓ ମାର୍ଗଦର୍ଶନ ଯୋଗୁଁ ଆଜି ରାଜ୍ୟ ପୋଲିସ ବାହିନୀରେ ବ୍ୟାପକ ସଂସ୍କାର ଆସିପାରିଛି। ଏହି ନୂତନ ଭିତ୍ତିଭୂମି ସେହି ପ୍ରୟାସର ଏକ ସଫଳ ପ୍ରତିଫଳନ। ଏହା ଆଗାମୀ ଦିନରେ ଜନସାଧାରଣଙ୍କୁ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ଗୁଣାତ୍ମକ ପୋଲିସ ସେବା ଯୋଗାଇବାରେ ବେଶ୍ ସହାୟକ ହେବ ବୋଲି ଡିଜିପି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ସୁନୀଲ ମହାନ୍ତି, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ଅତିରିକ୍ତ ପୋଲିସ ମହା ନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଏବଂ ପୁରୀ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂହଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।