ଦାୟିତ୍ୱ ନେବା ପରେ ଆକ୍ସନ ମୋଡରେ ଟିପିସିଓଡିଏଲର ସିଇଓ ଗଜାନନ ଏସ. କାଲେ

ବିଭିନ୍ନ ଅଧିକାରୀଙ୍କ ସହ ଘନଘନ ବୈଠକ କରିବା ସହ ରଣନୀତି ପ୍ରସ୍ତୁତ କରୁଛନ୍ତି

ଭୁବନେଶ୍ୱର, ୦୪/୦୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍)ର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀ ଗଜାନନ ଏସ. କାଲେ ଦାୟିତ୍ୱ ଗ୍ରହଣ କରିବା ପରେ ତୁରନ୍ତ ଆକ୍ସନ ମୋଡକୁ ଆସିଛନ୍ତି। ସେ ବିଭିନ୍ନ ସ୍ତରର ଅଧିକାରୀଙ୍କ ସହ ଘନଘନ ବୈଠକ କରି କମ୍ପାନୀର ବର୍ତ୍ତମାନ ପରିସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରୁଛନ୍ତି ଏବଂ ଆଗାମୀ ରଣନୀତି ପ୍ରସ୍ତୁତ କରୁଛନ୍ତି।

ବିଦ୍ୟୁତ ସେକ୍ଟରରେ ୩୪ ବର୍ଷରୁ ଅଧିକ ସମୟର ସମୃଦ୍ଧ ଅଭିଜ୍ଞତା ଥିବା ଶ୍ରୀ କାଲେ ଟାଟା ପାୱାରର ଡିଷ୍ଟ୍ରିବ୍ୟୁସନ୍ ବିଜନେସ୍ କ୍ଷେତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିଥିବା ବେଳେ ପରିଚାଳନା, ଗ୍ରାହକ ସେବା, ନେଟୱର୍କ ଇଞ୍ଜିନିୟରିଂ ଏବଂ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ତାଙ୍କର ବ୍ୟାପକ ଦକ୍ଷତା ରହିଛି।

ନୂଆ ଦାୟିତ୍ୱ ନେବା ପୂର୍ବରୁ ସେ ଟିପିଏନଓଡିଏଲ୍, ଟିପିଡିଡିଏଲ୍, ଟିପିଏଡିଏଲ୍ ଏବଂ ଟିପିଡବ୍ଲୁଓଡିଏଲ୍ ର ସିଇଓ ଭାବେ ଦାୟିତ୍ୱ ସମ୍ଭାଳି ସଫଳତାର ସହିତ କାର୍ଯ୍ୟ କରିଛନ୍ତି। ଏହା ସହିତ ସେ ଟାଟା ପାୱାରର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ୍ ଭାବରେ ମଧ୍ୟ ନିଜର ସେବା ଜାରି ରଖିବେ।

ନିଯୁକ୍ତି ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀ କାଲେ କହିଛନ୍ତି, “ଏହି ଦାୟିତ୍ୱ ପାଇ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି। ଆମର ସମସ୍ତ କର୍ମଚାରୀ ଓ ଅଂଶୀଦାରମାନଙ୍କ ସହଯୋଗରେ ଆମେ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ସହ ଗ୍ରାହକମାନଙ୍କୁ ଉନ୍ନତ ସେବା ଯୋଗାଇଦେବୁ ଏବଂ ଓଡ଼ିଶାର ବିକାଶ ଯାତ୍ରାରେ ଯୋଗଦାନ ଦେବା ଜାରି ରଖିବୁ।”

ଟିପିସିଓଡିଏଲ୍ ୨୯,୩୫୪ ବର୍ଗ କିଲୋମିଟର ପରିମିତ ବିସ୍ତୃତ ନେଟୱର୍କ ମାଧ୍ୟମରେ ପ୍ରାୟ ୧.୩୬ କୋଟି ଜନସଂଖ୍ୟାକୁ ସେବା ଯୋଗାଉଛି ଏବଂ ଏହାର ଉପଭୋକ୍ତା ସଂଖ୍ୟା ପ୍ରାୟ ୩୨.୯୬ ଲକ୍ଷ ଅଟେ। ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଯାଜପୁରର କିଛି ଅଂଶ ଏହାର ସେବା ଅଞ୍ଚଳ ମଧ୍ୟରେ ସାମିଲ ରହିଛି।

ନୂତନ ସିଇଓଙ୍କ ସକ୍ରିୟ ପଦକ୍ଷେପ ଏବଂ ଘନଘନ ବୈଠକ ଟିପିସିଓଡିଏଲ୍ ର ଆଗାମୀ ଯାତ୍ରାରେ ନୂଆ ଗତି ଆଣିବ ବୋଲି ଆଶା କରାଯାଉଛି।