ଭାରତର ସୌର ଶକ୍ତି ବିକାଶର ବିଜେତା ଭାବେ ଉଭା ହେଲା ଓଡ଼ିଶା
ପିଏମ୍ ସୂର୍ଯ୍ୟ ଘର ଏକ୍ସିଲେନ୍ସ ଆୱାର୍ଡରେ ହାସଲ କଲା ଶୀର୍ଷ ସମ୍ମାନ
ଭୁବନେଶ୍ୱର, ୦୪/୦୬: ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାର ସଫଳ ରୂପାୟନରେ ଓଡ଼ିଶା ଭାରତର ଅନ୍ୟତମ ଅଗ୍ରଣୀ ରାଜ୍ୟ ଭାବେ ମାନ୍ୟତା ପାଇଛି । ପ୍ରତିଷ୍ଠିତ ପିଏମ୍ ସୂର୍ଯ୍ୟ ଘର ଏକ୍ସିଲେନ୍ସ ଆୱାର୍ଡ ରେ ମଧ୍ୟମ ଧରଣର ଉପଭୋକ୍ତା ସଂଖ୍ୟା ଥିବା ଶ୍ରେଣୀରେ ଓଡ଼ିଶା, ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି ।
୨୦୨୬ ମେ ମାସରେ ସାରା ଦେଶରେ ଚାଲିଥିବା “ମନ୍ଥ୍ ଅଫ୍ ସୋଲାର’ ଅଭିଯାନ ସମୟରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ଏହି ସ୍ୱୀକୃତି ମିଳିଛି । ଓଡ଼ିଶା ସରକାର ଏବଂ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକର ମିଳିତ ପ୍ରୟାସ ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି । ରାଜ୍ୟ ସରକାରଙ୍କ ସହ ମିଳିତ ଉଦ୍ୟୋଗ ଭାବେ କାର୍ଯ୍ୟ କରୁଥିବା ଏହି ଡିସକମ୍ ଗୁଡ଼ିକ ସାରା ଓଡ଼ିଶାରେ ରୁଫ୍ଟପ୍ ସୋଲାର କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ନୋଡାଲ ଏଜେନ୍ସି ହିସାବରେ କାର୍ଯ୍ୟ କରୁଛନ୍ତି ।
ଉପଭୋକ୍ତାମାନଙ୍କ ପାଖରେ ପହଞ୍ଚିବା, ପ୍ରକଳ୍ପ ସଫଳ ଭାବେ ଶେଷ କରିବା ଏବଂ ପରିଚାଳନାଗତ ଦକ୍ଷତା ଭଳି ପ୍ରମୁଖ ରୂପାୟନ ଦିଗ ଗୁଡ଼ିକରେ ଉକôୃଷ୍ଟ ପ୍ରଦର୍ଶନ କରି ଓଡ଼ିଶା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛି । ଏହି ଯୋଜନା ଅଧୀନରେ ଓଡ଼ିଶା ପିଏମ୍ ସୂର୍ଯ୍ୟ ଘର କାର୍ଯ୍ୟକ୍ରମରେ ସର୍ବାଧିକ ସଂଖ୍ୟକ ଉପଭୋକ୍ତା ଆବେଦନ ପାଇଁ ପ୍ରଥମ ସ୍ଥାନ, ସର୍ବାଧିକ ରୁଫ୍ଟପ୍ ସୋଲାର ସ୍ଥାପନ କାର୍ଯ୍ୟକ୍ଷମ କରିବାରେ ପ୍ରଥମ ସ୍ଥାନ, ଡିସକମ୍ ଗୁଡ଼ିକ ଦ୍ୱାରା ସର୍ବାଧିକ ସଂଖ୍ୟକ ଟେକ୍ନିକାଲ ଇନ୍ସପେକ୍ସନ କ୍ଷେତ୍ରରେ ପ୍ରଥମ ସ୍ଥାନ ଏବଂ ରାଜ୍ୟର ସୌର ଶକ୍ତି ବ୍ୟବସ୍ଥାକୁ ଅଧିକ ଦୃଢ଼ କରି ସର୍ବାଧିକ ଭେଣ୍ଡର ପଞ୍ଜୀକରଣ କ୍ଷେତ୍ରରେ ତୃତୀୟ ସ୍ଥାନ ହାସଲ କରିଛି ।
୨୦୨୬ ଜୁନ୍ ସୁଦ୍ଧା, ଓଡ଼ିଶା ପିଏମ୍ ସୂର୍ଯ୍ୟ ଘର ଅଭିଯାନ ଅଧୀନରେ ଏକ ଅସାଧାରଣ ପ୍ରଗତି ଲିପିବଦ୍ଧ କରିଛି । ରୁଫ୍ଟପ୍ ସୋଲାରର ଏହି ଦ୍ରୁତ ଗ୍ରହଣୀୟତା ଉପଭୋକ୍ତାମାନଙ୍କୁ ପାରମ୍ପରିକ ଗ୍ରୀଡ୍ ବିଦ୍ୟୁତ ଉପରେ ସେମାନଙ୍କ ନିର୍ଭରଶୀଳତା କମାଇବାରେ ସାହାଯ୍ୟ କରୁଛି ଏବଂ ଏହା ସହିତ ମାସିକ ବିଦ୍ୟୁତ ଖର୍ଚ୍ଚରେ ବହୁତ ବଡ଼ ଆର୍ଥôକ ସଞ୍ଚୟ ଆଣିଦେଉଛି ।
ଏହି କାର୍ଯ୍ୟକ୍ରମର ପ୍ରଭାବ କେବଳ ସ୍ୱଚ୍ଛ ଶକ୍ତି ଉତ୍ପାଦନ ମଧ୍ୟରେ ସୀମିତ ହୋଇ ରହିନାହିଁ । ଓଡ଼ିଶାର ହଜାର ହଜାର ପରିବାର ନିଜ ବିଦ୍ୟୁତ ବିଲ୍ରେ ବହୁତ ବଡ଼ ହ୍ରାସ ପାଇଥିବାର ଦେଖୁଛନ୍ତି ଏବଂ ଅନେକ ଉପଭୋକ୍ତା ସେମାନଙ୍କର ମାସିକ ବିଦ୍ୟୁତ ଖର୍ଚ୍ଚ ପ୍ରାୟ ଶୂନ ହୋଇଯାଇଥିବା ବିଷୟ ଜଣାଇଛନ୍ତି ।
କେବଳ ପଶ୍ଚିମ ଓଡ଼ିଶାରେ ପ୍ରାୟ ୧୧,୦୦୦ ପରିବାର ରୁଫ୍ଟପ୍ ସୋଲାର ଆପଣାଇ ପ୍ରାୟ ଶୂନ ବିଦ୍ୟୁତ ବିଲ୍ ପାଇଛନ୍ତି । ଏହି ସଞ୍ଚିତ ଅର୍ଥକୁ ସେମାନେ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଯାତାୟାତ ଏବଂ ଦୀର୍ଘକାଳୀନ ଆର୍ଥôକ ସୁରକ୍ଷା ଭଳି ପରିବାରର ଅନ୍ୟାନ୍ୟ ଜରୁରୀ ଆବଶ୍ୟକତା ଗୁଡ଼ିକରେ ବ୍ୟବହାର କରୁଛନ୍ତି ।
ଓଡ଼ିଶାର ଏହି ରୁଫ୍ଟପ୍ ସୋଲାର ପ୍ରୋଗ୍ରାମର ସଫଳତା, ସ୍ୱଚ୍ଛ ଶକ୍ତିର ବ୍ୟବହାରକୁ ତ୍ୱରାନ୍ୱିତ କରିବା, ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ମଜବୁତ କରିବା ଏବଂ ଭାରତର ଅକ୍ଷୟ ଶକ୍ତି ଲକ୍ଷ୍ୟକୁ ଆଗକୁ ବଢ଼ାଇବା ଦିଗରେ ରାଜ୍ୟର ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି ।
ଓଡ଼ିଶା ସରକାର, ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍, କାର୍ଯ୍ୟକାରୀ ସଂସ୍ଥା ଏବଂ ଉପଭୋକ୍ତାମାନଙ୍କର ନିରନ୍ତର ସହଯୋଗ ଦ୍ୱାରା ରାଜ୍ୟ ଏକ ଦୀର୍ଘସ୍ଥାୟୀ ଶକ୍ତି ପରିବର୍ତ୍ତନର ମଡେଲ ତିଆରି କରୁଛି; ଯାହା ପରିବେଶ ପ୍ରତି ଦାୟିତ୍ୱବୋଧ ସହିତ ନାଗରିକମାନଙ୍କ ପାଇଁ ପ୍ରତ୍ୟକ୍ଷ ସାମାଜିକ-ଆର୍ଥôକ ସୁବିଧା ପ୍ରଦାନ କରୁଛି ।
ପିଏମ୍ ସୂର୍ଯ୍ୟ ଘର ଏକ୍ସିଲେନ୍ସ ଆୱାର୍ଡ ରେ ମିଳିଥିବା ଏହି ସମ୍ମାନ ଭାରତର ସ୍ୱଚ୍ଛ ଶକ୍ତି ରୂପାନ୍ତରଣ କ୍ଷେତ୍ରରେ ଓଡ଼ିଶାର ଅଗ୍ରଣୀ ସ୍ଥାନକୁ ଆହୁରି ମଜବୁତ କରିଛି ଏବଂ ସମସ୍ତଙ୍କ ପାଇଁ ଏକ ସବୁଜ ଓ ଶକ୍ତି-ସୁରକ୍ଷିତ ଭବିଷ୍ୟତ ଗଠନ କରିବାର ଦୂରଦୃଷ୍ଟିକୁ ଦର୍ଶାଉଛି ।