ଭୁବନେଶ୍ୱର, ୦୬/୦୬: ପୁଣି ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ସରକାରୀ ବାବୁ। ଇଣ୍ଟିଗ୍ରେଟେଡ ଟ୍ରାଇବାଲ ଡେଭଲପମେଣ୍ଟ ଏଜେନ୍ସି ବା ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ।
ଭୁବନେଶ୍ବରର ୪ଟି ଘର ସମେତ ମୋଟ୍ ୯ଟି ସ୍ଥାନରେ ରେଡ୍ ଚାଲିଛି। ITDA କାର୍ଯ୍ୟାଳୟ ଓ ବାଲିଗୁଡ଼ା ସରକାରୀ ଘରେ ଚାଲିଛି ଚଢ଼ାଉ। ଯାଜପୁର ଧର୍ମଶାଳା ପୈତୃକ ଘର ଓ ବାରିପଦା ସଂପର୍କୀୟଙ୍କ ଘରେ ବି ରେଡ୍ କରିଛି ଭିଜିଲାନ୍ସ। ଚଢ଼ାଉରେ ୨ ଅତିରିକ୍ତ SP, ୫ DSP, ୬ଇନ୍ସପେକ୍ଟର ସାମିଲ।
ଚଢ଼ାଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ଭୁବନେଶ୍ୱରର ନୀଳାଦ୍ରି ବିହାରରେ ଏକ ଚାରି ମହଲା ଘର, ଶୈଳଶ୍ରୀ ବିହାରରେ ଏକ ତିନି ମହଲା ଘର, ପଟିଆର କାନନ ବିହାର ଫେଜ୍-୧ରେ ଏକ ଦୁଇ ମହଲା ଘର ଏବଂ ଚନ୍ଦ୍ରଶେଖରପୁରରେ ଅନ୍ୟ ଏକ ଦୁଇ ମହଲା ଘର ଠାବ କରିଛନ୍ତି। ଯାଜପୁର ଧର୍ମଶାଳା କଲେଜ ନିକଟବର୍ତ୍ତୀ ପାଣ୍ଡୁଆ ଗାଁରେ ପୈତୃକ ଜମିରେ ନିର୍ମିତ ଆଉ ଏକ ଦୁଇ ମହଲା ଘର ମଧ୍ୟ ଠାବ କରିଛି ଭିଜିଲାନ୍ସ। ଏହି ଘର ଗୁଡ଼ିକ ବେଶ ବିଳାସବ୍ୟସନ ଥିବାର ଦେଖିବାକୁ ମିଳିଛି।
ରିପୋର୍ଟ ଅନୁଯାୟୀ, କନ୍ଧମାଳ ଜିଲ୍ଲାର ଗ୍ରାମୀଣ ବିକାଶ ପାଇଁ ଉଦ୍ଦିଷ୍ଟ ପାଣ୍ଠିର ଅପବ୍ୟବହାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମଧ୍ୟ ହୋଇଥିଲା। ଯାହା ପରେ ଚଢ଼ାଉ କରିଥିଲା ଭିଜିଲାନ୍ସ।