ନିୟମଗିରି–ମାଳି ପର୍ବତରେ ଖଣି ଖନନକୁ ତୀବ୍ର ବିରୋଧ

ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଆଦିବାସୀ

ରାୟଗଡା, ୨୬/୧୦(ଦକ୍ଷ ବାଥ୍ରା): ନିୟମଗିରି ଓ ମାଳି ପର୍ବତରେ ଖଣି ଖନନ ତଥା ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ କରି ଆଦିବାସୀଙ୍କ ପକ୍ଷରୁ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ସହ ଆଦିବାସୀଙ୍କ ଅଧିକାର ରକ୍ଷା ଦାବିରେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ର ମୁନିଖୋଲ ଗ୍ରାମପଞ୍ଚାୟତରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା।

ନିୟମଗିରି ସୁରକ୍ଷା ସମିତି, ମା’ ମାଟି ସୁରକ୍ଷା ମଞ୍ଚ ଓ ଶଶୁଆଲି ମାଳି ସୁରକ୍ଷା ସମିତିର ମିଳିତ ଆହ୍ୱାନରେ ହଜାର ହଜାର ଆନ୍ଦୋଳନକାରୀ ଏକାଠି ହୋଇଥିଲେ। ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ମୁନିଗୁଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଆନ୍ଦୋଳନକାରୀମାନେ ପାରମ୍ପରିକ ଗୀତ ମାଧ୍ୟମରେ ନିଜର ପ୍ରତିବାଦ ଜଣାଇଥିଲେ।ପେସା (PESA) ଆଇନ ଓ ବନ ଅଧିକାର ଆଇନର ଉପଯୁକ୍ତ କାର୍ଯ୍ୟକାରିତା ସହ ୨୦୧୩ର ସୁପ୍ରିମକୋର୍ଟଙ୍କ ରାୟକୁ ପାଳନ କରିବାକୁ ସେମାନେ ଦାବି କରିଥିଲେ। ଏଥିସହ ଗ୍ରାମସଭାର ନିଷ୍ପତ୍ତିକୁ ସମ୍ମାନ ଦେବା, ଗ୍ରାମସଭାର ଅନୁମୋଦନ ବିନା ଖଣି ଖନନ କିମ୍ବା କମ୍ପାନୀକୁ ଜମି ହସ୍ତାନ୍ତର ନ କରିବା ଏବଂ ଆଦିବାସୀ ନେତା ଓ କର୍ମୀଙ୍କ ବିରୋଧରେ ରହିଥିବା ବୋଲି ସେମାନେ ଦାବି କରୁଥିବା ମାମଲା ପ୍ରତ୍ୟାହାର କରିବାକୁ ଆନ୍ଦୋଳନକାରୀ ଦାବି କରିଥିଲେ।ଏହି ଦାବିଗୁଡ଼ିକ ନେଇ ଆନ୍ଦୋଳନକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁନିଗୁଡ଼ା ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ନିୟମଗିରି ଓ ମାଳି ପର୍ବତର ସୁରକ୍ଷା ଦାବିରେ ଆଗାମୀ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି I