କଲ୍ୟାଣସିଂହପୁର, ୦୬/୦୬ (ନରସିଂହ ନାଥ ମହାପାତ୍ର): କଲରାପତରିଆ ବାଘ ଛାଲ କିଣାବିକା ନେଇ ଡିଏଫଓ କୌଣସି ସୂତ୍ରରୁ ଖବର ପାଇ କଲ୍ୟାଣସିଂହପୁର ରେଞ୍ଜ ଶିକରପାଇ ସେକ୍ସନ ଅନ୍ତର୍ଗତ ରିଭଲକଣା ବିଟରେ ଜଙ୍ଗଲ ବିଭାଗ କର୍ମଚାରୀମାନେ ଚଢ଼ାଉ କରିଛନ୍ତି। ବାଘ ଛାଲ ବେପାର କରୁଥିବା ବେଳେ ଜଙ୍ଗଲ ବଭାଗ କର୍ମଚାରୀ ମାନେ ୮ ଜଣଙ୍କୁ କାବୁ କରିବାରେ ସକ୍ଷମ ହେବା ସହ ସେମାନଙ୍କ ଠାରୁ ଗୋଟିଏ ବାଘ ଚମଡା ଜବତ କରିଛନ୍ତି।
ସେମାନେ ହେଲେ କଳାହାଣ୍ଡି ଜିଲ୍ଲାର ରାକ୍ସି ଗ୍ରାମର ମୁନୁଜ ମାଝୀ, ଲାଞ୍ଜିଗଡ଼ ଥାନାର ପାହାଡ଼ ପଦର ଗ୍ରାମର ଜିତେନ୍ଦ୍ର ବେନିଆ, ଟିଟିଝୋଲା ଗ୍ରାମର ଇଜେ ରାଓ ସାହୁ, ରାୟଗଡା ଜିଲ୍ଲା କୋଲନର ବ୍ଲକର ରିଭଲକଣା ଗ୍ରାମର ଭରତ ନାଚିକା, କୈଳାସ ଜାନି, ବଡଚାମ୍ପିଆ ଗ୍ରାମର ସୀମାଦ୍ରୀ ତାଡିଙ୍ଗି, ପ୍ରଶାନ୍ତ କାଡ୍ରାକା, କରିନିପାଡ଼ୁ ଗ୍ରାମର ଧାର୍ମା ପାତିକା ବୋଲି ସୂଚନା ମିଳିଛି।
ଏହି ଚଢ଼ାଉରେ କଳାହାଣ୍ଡି ଓ ରାୟଗଡା ଜଙ୍ଗଲ ବିଭାଗର କର୍ମଚାରୀ ମାନେ ଭାଗ ନେଇଥିଲେ। ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ ତଦନ୍ତ ପାଇଁ ରାୟଗଡା ଅଣାଯାଉଥିବା ଜଙ୍ଗଲ ବିଭାଗ କର୍ମଚାରୀ ପ୍ରକାଶ କରିଛନ୍ତି। ତଦନ୍ତ ପରେ ବାଘ ଛାଲ କେଉଁଠାରୁ ଅଣାଯାଇଥିବା ସେ ନେଇ ସ୍ପଷ୍ଟ ହେବ କୁହାଯାଇଛି। ଏହି ଚଢ଼ାଉରେ ରାୟଗଡା ରେଞ୍ଜର ଅନୀଲ ପାଣିଗ୍ରାହି, କଲ୍ୟାଣସିଂହପୁର ରେଞ୍ଜର ସଚ୍ଚିଦାନନ୍ଦ ପରିଡା, ଗୌରୀ ଶଙ୍କର ସାହୁ, ରବି ଚନ୍ଦ୍ର ପାତ୍ର ଓ ଶିବ ଶଙ୍କର ମହାପାତ୍ର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
ତଦନ୍ତ ପରେ ସବିଶେଷ ତଥ୍ୟ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବେ ବୋଲି ରାୟଗଡା ଡିଏଫଓ ସଚ୍ଚିନ ଆନ୍ନା ସାହେବ ଓହଲ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ରାୟଗଡା ଜିଲ୍ଲାରୁ ଗତ ୨ ବର୍ଷ ମଧ୍ୟରେ ପାଖାପାଖି ୧୦ଟି କଲରାପତରିଆ ବାଘ ଛାଲ ଜବତ ହେଲାଣି।
ରାୟଗଡା ଜିଲ୍ଲାର ଗୁମ୍ମା ରଜର୍ଭ ଫରେଷ୍ଟ ଏବଂ ମୁନିଗୁଡା ରେଞର ଚନ୍ଦ୍ରପୁର ବନାଞ୍ଚଳରେ ବହୁ ସଂଖ୍ୟକ କଲରାପତରିଆ ବାଘ ଦେଖାଯାଉଥିଲେ। କିନ୍ତୁ ନିକଟରେ ଜଙ୍ଗଲ ବିଭାଗ ଦ୍ବାରା ହୋଇଥିବା ବାଘ ଗଣନା ସମୟରେ ଗୋଟିଏ ମଧ୍ୟ ବାଘର ସୂଚନା ଟ୍ରାପ କ୍ୟାମେରାରେ ଧରାପଡିନଥିଲା। ଗତ ଡିସେମ୍ବର ମାସରେ ଶେଷ ଥର ପାଇଁ ଟ୍ରାପ କମେରାରେ ଗୋଟିଏ ବାଘର ସୂଚନା ମିଳିଥିଲା।
ବର୍ତ୍ତମାନ ମିଳିଥିବା କଲରାପତରିଆ ବାଘ ଛାଲକୁ କଳାହାଣ୍ଡି ଜିଲ୍ଳା କର୍ଲାପାଟ ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ଅଣାଯାଇଥିବା ଅନୁମାନ କରାଯାଉଛି। ଏହି ବାଘ ଚାଲ ଧରିବା ପାଇଁ ୬ଟି ଦଳ କଲ୍ୟାଣ ସିଂହପୁର, ଟିକିରି, ଗୁଣୁପୁର, ରାୟଗଡା, ମୁନିଗୁଡା ଓ କଳାହାଣ୍ଡି ଗଠନ କରାଯାଇଥିଲା ବୋଲି ବନ ବିଭାଗ ପକ୍ଷରୁ ଜଣାପଡୁଛି।