ଏମସିଏଲରେ ସବୁଜ ପ୍ରତିଶ୍ରୁତି ସହ ପାଳିତ ହେଲା ବିଶ୍ୱ ପରିବେଶ ଦିବସ ୨୦୨୬
“ଏକ ପେଡ୍ ମାଆ କେ ନାମ” ଅଭିଯାନ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ
ସମ୍ବଲପୁର, ୦୬/୦୬: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ପକ୍ଷରୁ ପରିବେଶ ସୁରକ୍ଷା ଏବଂ ସୁଦୂରପ୍ରସାରୀ ବିକାଶ ପ୍ରତି ସଂକଳ୍ପବଦ୍ଧତା ସହ ବିଶ୍ୱ ପରିବେଶ ଦିବସ ୨୦୨୬ ପାଳିତ ହୋଇଯାଇଛି। କମ୍ପାନୀର ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ (CMD) ଶ୍ରୀ ଉଦୟ ଅନନ୍ତ କାଓଲେ ପରିବେଶ ପତାକା ଉତ୍ତୋଳନ କରିବା ସହ ମୁଖ୍ୟାଳୟର କର୍ମଚାରୀମାନଙ୍କୁ ପରିବେଶ ସୁରକ୍ଷା ସଙ୍କଳ୍ପ ପାଠ କରାଇଥିଲେ। ଏହା ସହ ପରିବେଶର ସୁରକ୍ଷା ଓ ସ୍ଥାୟୀ ପ୍ରଗତି ପ୍ରତି ଏମସିଏଲର ଉତ୍ସର୍ଗୀକୃତ ମନୋଭାବକୁ ସେ ଦୋହରାଇଥିଲେ।
ଏହି ଅବସରରେ ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ କେଶବ ରାଓ, କୋଲ୍ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷଙ୍କ ବାର୍ତ୍ତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ (ବିତ୍ତ) ଶ୍ରୀ ଅଜିତ କୁମାର ବେହୁରା, ନିର୍ଦ୍ଦେଶକ (ବୈଷୟିକ-ପରିଚାଳନା/ପି ଆଣ୍ଡ ପି) ଶ୍ରୀ ଏସ. କେ. ଝା, ବିଭିନ୍ନ ବିଭାଗୀୟ ମୁଖ୍ୟ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଏହି ସ୍ମରଣୀୟ ଦିବସରେ ଶ୍ରୀ କାଓଲେଙ୍କ ନେତୃତ୍ୱରେ “ଏକ ପେଡ୍ ମାଆ କେ ନାମ” ଅଭିଯାନ ଅଧୀନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହା ସମଗ୍ର କମ୍ପାନୀ ଅଞ୍ଚଳରେ ସବୁଜିମା ବୃଦ୍ଧି ଓ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ କମ୍ପାନୀର ନିରନ୍ତର ପ୍ରୟାସକୁ ଦର୍ଶାଉଛି। ଏହା ସହିତ ଏସିଆର ସବୁଠାରୁ ଦୀର୍ଘତମ ମାଟି ବନ୍ଧ ‘ହୀରାକୁଦ ବନ୍ଧ’ର ଜିରୋ ପଏଣ୍ଟଠାରେ ଏକ ସଫେଇ ଅଭିଯାନର ଆୟୋଜନ କରାଯାଇଥିଲା, ଯେଉଁଥିରେ କମ୍ପାନୀର ଉଚ୍ଚ ପଦାଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ।
ବିଶ୍ୱ ପରିବେଶ ଦିବସ ୨୦୨୬ ଉପଲକ୍ଷେ ଏମସିଏଲ୍ ପକ୍ଷରୁ ଜୁନ୍ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଏଥିରେ କୁଇଜ୍, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ ପ୍ରତିଯୋଗିତା ସହିତ ବର୍ଜ୍ୟବସ୍ତୁ ପରିଚାଳନା ଓ କିଚେନ୍ ଗାର୍ଡନିଂ (ରୋଷେଇ ଘର ବଗିଚା) ଉପରେ କର୍ମଶାଳା ଅନ୍ତର୍ଭୁକ୍ତ ଥିଲା। ଏହି ସବୁ କାର୍ଯ୍ୟକ୍ରମରେ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ଉତ୍ସାହର ସହ ଭାଗ ନେଇ ଏକ ସ୍ଥାୟୀ ତଥା ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବାକୁ ପ୍ରେରଣା ଯୋଗାଇଥିଲେ।
କମ୍ପାନୀର ଅନ୍ୟ ସମସ୍ତ ଖଣି ଅଞ୍ଚଳ ଗୁଡ଼ିକରେ ମଧ୍ୟ ଏଭଳି ସଦୃଶ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଏହି ସବୁ ପଦକ୍ଷେପ କର୍ମଚାରୀଙ୍କ ପରିବେଶ ସୁରକ୍ଷା ପ୍ରତି ଥିବା ସାମୂହିକ ପ୍ରତିଶ୍ରୁତିକୁ ପ୍ରଦର୍ଶିତ କରିବା ସହ ଏକ ସବୁଜ ଓ ସୁନ୍ଦର ଭବିଷ୍ୟତ ଗଠନରେ ସହଯୋଗ କରୁଛି।