୧୪୯ତମ ବରପାଲି ଶୀତଳଷଷ୍ଠୀ: ସମ୍ବଲପୁରୀ ଫେସନ୍ ସୋ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି

ଅଡିସନରେ ଦେଖିବାକୁ ମିଳିଲା ଯୁବପିଢିଙ୍କ ଉତ୍ସାହ

ବରପାଲି ୦୭/୦୭: ବରପାଲିର ସୁନାମଧନ୍ୟ ୧୪୯ତମ ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ସହର। ଚଳିତ ବର୍ଷର ଆକର୍ଷଣ ସାଜିବାକୁ ଯାଉଥିବା ‘ସମ୍ବଲପୁରୀ ଫେସନ୍ ସୋ’ ପାଇଁ ଆଜି ବରପାଲି କେଡି ଭବନଠାରେ ଏକ ଗ୍ରାଣ୍ଡ ଅଡିସନ ଅନୁଷ୍ଠିତ ହୋଇଯାଇଛି।

ଏହି ଅଡିସନରେ ଅଂଶଗ୍ରହଣ କରିବା ପାଇଁ କେବଳ ବରଗଡ଼ ଜିଲ୍ଲା ନୁହେଁ, ବରଂ ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ା ଓ ସୋନପୁର ସମେତ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ ଜଣ ଯୁବତୀ ଉତ୍ସାହର ସହିତ ଯୋଗଦେଇଥିଲେ। ସମ୍ବଲପୁରୀ ବସ୍ତ୍ର ଓ କଳା ସଂସ୍କୃତିକୁ ଫେସନ ମାଧ୍ୟମରେ ପ୍ରଦର୍ଶନ କରିବା ପାଇଁ ପ୍ରତିଯୋଗୀଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖିବାକୁ ମିଳିଥିଲା।

କାର୍ଯ୍ୟକ୍ରମର ଶୁଭାରମ୍ଭରେ ବରପାଲି ଥାନାଧିକାରୀ ପ୍ରମୋଦ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା’ ସମଲେଶ୍ବରୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରିଥିଲେ। ଶୀତଳଷଷ୍ଠୀ କମିଟିର ସଭାପତି ଆନନ୍ଦ ବାବୁ ଏବଂ ସମ୍ପାଦକ ଜୟନ୍ତ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅଡିସନ କାର୍ଯ୍ୟକ୍ରମ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା। କମିଟିର ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଶୀତଳଷଷ୍ଠୀର ପରମ୍ପରା ସହିତ ଆଧୁନିକତାର ସମନ୍ୱୟ ରକ୍ଷା କରିବା ପାଇଁ ଆୟୋଜିତ ଏହି ଫେସନ୍ ସୋ ରାଜ୍ୟସ୍ତରୀୟ ସ୍ୱୀକୃତି ପାଇବ ବୋଲି କମିଟି ଆଶା ରଖିଛି। ଆଗାମୀ ଦିନରେ ଏହି ଫେସନ୍ ସୋ’ର ମେଗା ଇଭେଣ୍ଟ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।