ଜଳ ଯୋଗାଣ ବିଭାଗର ମନମୁଖୀ ନୀତି

ମରଣଯନ୍ତା ପାଲଟିଛି ପୂର୍ତ୍ତ ବିଭାଗ ରାସ୍ତା

ପାତ୍ରପୁର, ୦୭/୦୬ (ସୁରେଶ କୁମାର ପଟ୍ଟନାୟକ): ଜଳ ଯୋଗାଣ ବିଭାଗର ଅବ୍ୟବସ୍ଥିତ ଓ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ପାନୀୟ ଜଳ ପାଇପ୍ ବିଛାଇବା ଏବଂ ମରାମତି କାମ ନାମରେ ବିଭିନ୍ନ ସ୍ଥାନରେ ଖୋଳା ଯାଇଥିବା ନିକଟରେ ନିର୍ମାଣ ହୋଇଥିବା ପୂର୍ତ୍ତ ବିଭାଗର ରାସ୍ତାଗୁଡ଼ିକ ଏବେ ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଛି।

କେଉଁଠି ଜଳ ଯୋଗାଣ ବିଭାଗ ତ କେଉଁଠି ବିଏସଏନଏଲ କେବୁଲ ନାମରେ ନିକଟରେ ନିର୍ମାଣ ହୋଇଥିବା ପୂର୍ତ୍ତ ବିଭାଗର ରାସ୍ତାଗୁଡାକ ଖାଲ କରି ଭାଙ୍ଗି ନିଜ କାମ ସାରି ଦେଇ ଅଧପନ୍ତରିଆ ଭାବେ ଛାଡି ଚାଲିଯାଉଛନ୍ତି। ଏଥିପ୍ରତି ଉଭୟ ବିଭାଗର ଉପସ୍ଥିତ ଅଧିକାରୀମାନେ ଉଚିତ ଧ୍ୟାନ ଦେଇ ପୁନଃ ସେହି ରାସ୍ତାକୁ ନିର୍ମାଣ କରି ଯିବା ପାଇଁ ସାଧାରଣରେ ଦାବି ହେଉଛି।

ସୂଚନା ଅନୁଯାୟୀ, ଚିକିଟୀ ବ୍ଲକ କଳବାଡ ପଞ୍ଚାୟତ ଅନ୍ତର୍ଗତ ମୈସାଣପୁର ନିକଟରେ ଥିବା ବାହୁଦା ସେତୁ ନିକଟରେ ଜଳ ଯୋଗାଣ ପାଇଁ ରାସ୍ତା ଖୋଳି କାମ କାମ କରିଥିଲେ। ପରବର୍ତ୍ତୀ ସମୟରେ ପାଇପ ବିଛାଇ ଗାତଗୁଡ଼ିକୁ ଠିକ୍ ଭାବରେ ପୋତା ଯାଇନଥିଲେ। ଫଳରେ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହେଉଛି। ଉକ୍ତ ଖାଲ ବର୍ତମାନ ଏହି ରାସ୍ତା ଦେଇ ଯାଇଥିବା ଯାନବାହନ ଚଳାଚଳରେ ବ୍ୟାଘାତ ହେବା ସହିତ ଅତ୍ୟନ୍ତ ବିପଦଜନକ ପରିସ୍ଥିତି ସୃଷ୍ଟି କରୁଛି।

ଏପରିକି ଏହି ସ୍ଥାନରେ ଛୋଟ ବଡ଼ ଦୁର୍ଘଟଣା ଘଟିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ତଥାପି ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଏହାକୁ ଗୁରୁତ୍ୱ ଦେଉନଥିବାରୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏନେଇ ପାତ୍ରପୁର ଜଳ ଯୋଗାଣ ଅଧିକାରୀଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇ ପାରିନଥିବା ବେଳେ ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବାରୁ ଜଳ ଯୋଗାଣ ବିଭାଗ ରାସ୍ତା ଖୋଲିବା ପାଇଁ ପୂର୍ତ୍ତ ବିଭାଗ ପାଖରେ କୌଣସି ଅନୁମତି ନେଉ ନାହାନ୍ତି। ଯେଉଁଠି ପଡ଼ିଲା ସେଇଠି ମନମୁଖୀ ରାସ୍ତା ଖୋଲି ପାଇପ ବିଛାଇ ସେଠାରେ ଠିକ୍ ଭାବରେ ରାସ୍ତା ନିର୍ମାଣ କରୁନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି ବୋଲି କହିଛନ୍ତି।

ଅନ୍ୟ ପକ୍ଷରେ ଜଳ ଯୋଗାଣ ବିଭାଗ ଓ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଏଭଳି ସମସ୍ୟା ଉପୁଜୁଛି। ଖୋଳାଯାଇଥିବା ରାସ୍ତାକୁ ତୁରନ୍ତ ମରାମତି କରିବା ସହ ଭବିଷ୍ୟତରେ ଏପରି ଅବ୍ୟବସ୍ଥା ନ ହେବା ପାଇଁ ଦୃଢ଼ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦାବି ଜୋର ଧରିଛି। ତେବେ ଖବର ପ୍ରସାରଣ ପରେ ଚିକିଟୀ ଓ ପାତ୍ରପୁର ବ୍ଲକର ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ କେବେ ଏହି ସମସ୍ୟାର ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।