କଟକ, ୦୭/୦୬: ଓପିଏସସି ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କପି କରି ଧରା ପଡ଼ିଲେ ଆଶାୟୀ। କଟକ ସିଡିଏ ରେ ଏକ ଘରୋଇ କଲେଜରେ ଓସିଏସ ପରୀକ୍ଷା ଚାଲିଥିବା ବେଳେ ଜଣେ ପ୍ରାର୍ଥୀ କପି କରିବା ବେଳେ ସ୍କ୍ୱାର୍ଡ ହାତରେ ଧରା ପଡିଛନ୍ତି। ଅନ୍ତଃବସ୍ତ୍ର ଭିତରେ ମୋବାଇଲ ରଖି କାନରେ ଇୟରଫୋନ ବ୍ୟବହାର କରୁଥିଲେ। ଚଞ୍ଚକତା କରି ଉତ୍ତର ଲେଖୁଥିବା ବେଳେ ଧରିଥିଲା ସ୍କ୍ୱାର୍ଡ। ଏ ନେଇ ଅବିନାଶ ରାଉତ ନାମକ ପ୍ରାର୍ଥୀଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ମୁତାବକ, ଧରାପଡିଥିବା ସଂପୃକ୍ତ ପରୀକ୍ଷାର୍ଥୀ ଅବିନାଶଙ୍କ ଘର ହେଉଛି କଟକ ଚାଉଳିଆଗଞ୍ଜ ଅଞ୍ଚଳରେ। ଅବିନାଶ ଫୋନ୍ ଯୋଗେ ତାଙ୍କ ସହଯୋଗୀଙ୍କୁ ପ୍ରଶ୍ନ ଡାକୁଥିବା ବେଳେ ଫୋନ୍ ସେପଟେ ରହିଥିବା ଯୁବକ ପ୍ରଶ୍ନ ଶୁଣି ଗୁଗୁଲରେ ସର୍ଚ୍ଚ କରି ଉତ୍ତର ଡାକୁଥିଲେ। ଅବିନାଶଙ୍କ ଗତିବିଧି ଉପରେ ସନ୍ଦେହ ଉପୁଜିବାରୁ ତାଙ୍କୁ ଯାଞ୍ଚ କରାଯାଇଥିଲା। ଏହା ପରେ ତାଙ୍କ ପାଖରୁ ମୋବାଇଲ ଓ ଇୟରଫୋନ ମିଳିବା ପରେ ତାଙ୍କୁ ତୁରନ୍ତ ସେଣ୍ଟରରୁ ବାହାର କରି ମର୍କତନଗର ଥାନା ପୁଲିସ ଜିମା ଦିଆଯାଇଥିଲା।
ଉକ୍ତ ଛାତ୍ରଙ୍କୁ କପି କରିବାରେ ସହଯୋଗ କରୁଥିବା ଅନ୍ୟ ୩ ଜଣ ମଧ୍ଯ ଗିରଫ ହୋଇଛନ୍ତି। ସେମାନଙ୍କ ଲୋକେସନ ଟ୍ରାକିଙ୍ଗ କରି ଗିରଫ କରିଥିଲା ପୋଲିସ। ଗିରଫ ହୋଇଥିବା ଅନ୍ୟ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ଘର ଢେଙ୍କାନାଳ ଓ ଅନ୍ୟ ଜଣଙ୍କର ଝାଡ଼ଖଣ୍ଡରେ। ପୋଲିସ ସେମାନଙ୍କ ଠାରୁ ୪ଟି ଫୋନ୍, ଗୋଟିଏ ଇୟରବଡ୍ ଓ ଅନ୍ୟ କିଛି ଜିନିଷପତ୍ର ଜବତ କରିଛି।
ପଚରାଉଚରା ବେଳେ ଜଣାପଡ଼ିଛି ଯେ, ଅବିନାଶ ଏସସିବି ମେଡିକାଲରେ ଏକ ଆଉଟସୋର୍ସିଂ ସଂସ୍ଥାରେ ସୁପରଭାଇଜର ଭାବେ କାମ କରୁଥିବା ବେଳେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ସେ ବାରମ୍ବାର ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ଏଭଳି ସର୍ଟକର୍ଟ ତରିକାରେ ପରୀକ୍ଷାରେ ପାସ୍ କରିବା ପାଇଁ ଏହି ଉପାୟ ବାଛିଥିଲେ।