କଲ୍ୟାଣସିଂହପୁର ଭିଡ଼ ହିଂସା: ଆଉ ଜଣକୁ ଗିରଫ କରି କୋର୍ଟ ଚାଲାଣ

ବଢ଼ିଲା ଗିରଫଦାରୀ ସଂଖ୍ୟା

କଲ୍ୟାଣସିଂହପୁର, ୨୩/୬(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ପିଲା ଚୋର ସନ୍ଦେହରେ ଯୁବକ ଓ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ବିନିଷପୁର ଗ୍ରାମର ଜଗନ୍ନାଥ କାଡ୍ରାକାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ରବିବାର ଦିନ ସ୍ଥାନୀୟ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚାରଉଚରା କରିବା ପରେ ସୋମବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି।

ପ୍ରଥମେ ୧୬ ଜଣଙ୍କୁ, ପରେ ୪ ଜଣଙ୍କୁ ଓ ବର୍ତ୍ତମାନ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁଲିସ ମୋଟ ୨୧ ଜଣଙ୍କୁ ଗିରଫ କଲାଣି। ଏହି ଘଟଣାର ତଦନ୍ତ ଚାଲିଛି।

ଘଟିଥିବା ବର୍ବର ଘଟଣା ଓଡ଼ିଶାର ମୁଣ୍ଡ ସାରା ଦେଶରେ ତଳକୁ କରିଦେଇଛି। ଏହି ମାମଲା ସମ୍ବେଦନଶୀଳ ଥିବା ବେଳେ ରେଡଫ୍ଲାଗ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଇ କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (ସିଏଡ଼ବ୍ଲ୍ୟୁ ଆଣ୍ଡ ସିଡବ୍ଲୁ)ର ତତ୍ତ୍ଵାବଧାନରେ ପୁଲିସ ମହାନିର୍ଦେଶକ (ଡିଜିପି )ୱାଇ. ବି. ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ସିଏଡ଼ବ୍ଲ୍ୟୁ ଆଣ୍ଡ ସିଡବ୍ଲୁ ଏ ଡିଜି ଏସ. ସାଇନ ମାମଲାକୁ ନିରୀକ୍ଷଣ କରିବେ। ଏହି ମାମଲାରେ ୨୧ ଜଣଙ୍କୁ ଗିରଫ କରାଯାଇଛି। ଆଗକୁ ଗିରଫଦାରୀ ବଢିବାର ସମ୍ଭାବନା ରହିଛି। ଘଟଣାର ଭିଡିଓ ପ୍ରଘଟ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି। ଗତ କାଲି ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ସମ୍ବେଦନଶୀଳ ଅଞ୍ଚଳକୁ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ।