ପାତ୍ରପୁର, ୨୬/୦୬ (ସୁରେଶ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ ବିଦ୍ୟୁତ ବିଭାଗର ଅଘୋଷିତ ବିଦ୍ୟୁତ କାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଗତ କିଛି ଦିନ ହେଲା ପ୍ରାୟ ପ୍ରତିଦିନ ବିନା ପୂର୍ବ ସୂଚନାରେ ବିଦ୍ୟୁତ ସରବରାହ ବନ୍ଦ କରାଯାଉଥିବାରୁ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବିଦ୍ୟୁତ କାଟ ହେଲେ ମଧ୍ୟ ଯଦି ପୂର୍ବରୁ ଯଥେଷ୍ଟ ସମୟରେ ସୂଚନା ଦିଆଯାଏ, ତେବେ ସେଥିପାଇଁ ଲୋକେ ପ୍ରସ୍ତୁତ ରହିପାରିବେ। କିନ୍ତୁ ରାତି ପ୍ରାୟ ୧୦ଟା ୪୪ ମିନିଟ୍ରେ କେବଳ କିଛି ହ୍ୱାଟସ୍ଆପ୍ ଗ୍ରୁପ୍ରେ ଅଡିଓ ବାର୍ତ୍ତା ପଠାଇ ପରଦିନ ସକାଳ ୫ଟାରୁ ବିଦ୍ୟୁତ କାଟ କରିବା ବିଭାଗର ଦାୟିତ୍ୱହୀନ ମନୋଭାବକୁ ସୂଚାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ପାତ୍ରପୁରରେ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ମା’ ଗୃହ ସମେତ ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହିଛି। ପ୍ରତିଦିନ ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଶତାଧିକ ଲୋକ ବିଭିନ୍ନ କାମରେ ଏଠାକୁ ଆସୁଥିବା ବେଳେ ଏଭଳି ଅଘୋଷିତ ବିଦ୍ୟୁତ କାଟ ସେବାକୁ ପ୍ରଭାବିତ କରୁଥିବାରୁ ବୁଦ୍ଧିଜୀବୀ ଓ ସାଧାରଣ ଲୋକ ନାପସନ୍ଦ କରିଛନ୍ତି।
ଅଘୋଷିତ ବିଦ୍ୟୁତ କାଟର ପ୍ରଭାବ ମା’ ଗୃହରେ ମଧ୍ୟ ଦେଖିବାକୁ ମିଳିଛି। ବିଦ୍ୟୁତ ନଥିବାରୁ ଓଭରହେଡ୍ ଟାଙ୍କିରେ ପାଣି ଉଠିନଥିବାରୁ ଜଣେ ଗର୍ଭବତୀ ଆଦିବାସୀ ମହିଳାଙ୍କୁ ନିକଟସ୍ଥ ନଳକୂପରୁ ବାଲ୍ଟିରେ ପାଣି ବୋହି ଆଣିବାକୁ ପଡ଼ିଥିଲା। ଏହି ଘଟଣାକୁ ଦେଖି ସ୍ଥାନୀୟ ଲୋକେ ବିଦ୍ୟୁତ ବିଭାଗର ଅବ୍ୟବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ପାତ୍ରପୁର ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ସହ ବାରମ୍ବାର ଯୋଗାଯୋଗର ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନଥିଲା।
ଉପଭୋକ୍ତାମାନଙ୍କ କହିବା ଅନୁସାରେ, ବିଭାଗ ଯଦି ଆଗାମୀ ଦିନରେ ମଧ୍ୟ ଏଭଳି ଅଘୋଷିତ ବିଦ୍ୟୁତ କାଟ ଜାରି ରଖେ ଏବଂ ଏହା ଯୋଗୁଁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତେବେ ସେଥିପାଇଁ ବିଭାଗୀୟ ଅଧିକାରୀମାନେ ସମ୍ପୂର୍ଣ୍ଣ ଭାବେ ଉତ୍ତରଦାୟୀ ରହିବେ। ଏହା ସହ ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରି ପୂର୍ବରୁ ସମସ୍ତ ଉପଭୋକ୍ତାଙ୍କୁ ଯଥାସମୟରେ ସୂଚନା ଦେବାକୁ ସେମାନେ ଦାବି କରିଛନ୍ତି।