ପାରାଦ୍ୱୀପ ପୌରାଞ୍ଚଳର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ

• ବର୍ଜ୍ୟବସ୍ତୁ ବ୍ୟବସ୍ଥାପନ କେନ୍ଦ୍ର ଓ ପ୍ରସ୍ତାବିତ କନଭେନସନ ସେଣ୍ଟର ସ୍ଥଳ ପରିଦର୍ଶନ

ନାଗରିକ ସେବାକୁ ଆହୁରି ସୁଦୃଢ଼ କରିବା ସହ ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

ପାରାଦ୍ୱୀପ, ୨୬/୦୬: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଆଜି ପାରାଦ୍ୱୀପ ପୌରପାଳିକା ଗସ୍ତ କରି ସହରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଭିତ୍ତିଭୂମି ବିକାଶ ଓ ଜନକଲ୍ୟାଣମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଥିଲେ। ସହରର ବିକାଶ ଗତିକୁ ଆହୁରି ତ୍ୱରାନ୍ୱିତ କରିବା ସହ ନାଗରିକ ସେବାର ମାନ ବୃଦ୍ଧି କରିବା ଏହି ଗସ୍ତର ପ୍ରମୁଖ ଉଦ୍ଦେଶ୍ୟ ଥିଲା।

ଗସ୍ତ ଅବସରରେ ଶ୍ରୀମତୀ ପାଢ଼ୀ ସହରର ବର୍ଜ୍ୟବସ୍ତୁ ବ୍ୟବସ୍ଥାପନ କେନ୍ଦ୍ର ପରିଦର୍ଶନ କରି କଠିନ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା, ଆବର୍ଜନା ପ୍ରକ୍ରିୟାକରଣ ଏବଂ ପରିବେଶ ଅନୁକୂଳ ପରିଚାଳନା ପଦ୍ଧତିର ସମୀକ୍ଷା କରିଥିଲେ। ସହରକୁ ସ୍ୱଚ୍ଛ, ସବୁଜ ଓ ସୁସ୍ଥ ପରିବେଶ ସମ୍ପନ୍ନ କରିବା ଲକ୍ଷ୍ୟରେ ଆଧୁନିକ ବୈଷୟିକ ଜ୍ଞାନକୌଶଳର ସର୍ବାଧିକ ଉପଯୋଗ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହାପରେ ସେ ପାରାଦ୍ୱୀପରେ ପ୍ରସ୍ତାବିତ କନଭେନସନ ସେଣ୍ଟରର ସ୍ଥଳ ପରିଦର୍ଶନ କରି ପ୍ରକଳ୍ପର ରୂପରେଖ, ଭିତ୍ତିଭୂମି ସୁବିଧା ଏବଂ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ସମୀକ୍ଷା କରିଥିଲେ। ପ୍ରକଳ୍ପଟିକୁ ଗୁଣାତ୍ମକ ମାନ ବଜାୟ ରଖି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ।

ଗସ୍ତର ଏକ ବିଶେଷ ଦିଗ ଥିଲା ଶ୍ରୀମତୀ ପାଢ଼ୀଙ୍କ ଆହାର କେନ୍ଦ୍ର ପରିଦର୍ଶନ। ସେ କେନ୍ଦ୍ରରେ ସାଧାରଣ ଲୋକଙ୍କ ସହ ମଧ୍ୟାହ୍ନ ଭୋଜନ କରି ଖାଦ୍ୟର ଗୁଣବତ୍ତା, ପରିବେଷଣ ବ୍ୟବସ୍ଥା, ପରିମଳ ଓ ସ୍ୱଚ୍ଛତାକୁ ନିଜେ ଅନୁଧ୍ୟାନ କରିଥିଲେ। ଆହାର ଯୋଜନା ମାଧ୍ୟମରେ ସୁଲଭ ମୂଲ୍ୟରେ ଗୁଣାତ୍ମକ ଖାଦ୍ୟ ଯୋଗାଇ ଦିଆଯାଉଥିବାରୁ ସେ ସନ୍ତୋଷ ପ୍ରକାଶ କରିବା ସହ ଏହାର ମାନ ସର୍ବଦା ବଜାୟ ରଖିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ପରବର୍ତ୍ତୀ ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାରାଦ୍ୱୀପ ପୌରାଞ୍ଚଳରେ ଚାଲିଥିବା ସମସ୍ତ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ସହ ନାଗରିକଙ୍କୁ ଦକ୍ଷ, ସ୍ୱଚ୍ଛ ଓ ସମୟୋପଯୋଗୀ ସେବା ପ୍ରଦାନକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ପ୍ରକଳ୍ପକୁ ଗୁଣାତ୍ମକ ମାନ ବଜାୟ ରଖି ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱର ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।

ଏହି ଗସ୍ତ ସମୟରେ ପାରାଦ୍ୱୀପ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କ ସମେତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ଏବଂ ପୌରପାଳିକାର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।