୨୦୨୩ ବ୍ୟାଚ୍ ଓଡ଼ିଶା ରାଜସ୍ୱ ସେବା ଅଧିକାରୀଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଉଦଯାପିତ

"ରାଜଧର୍ମର ରକ୍ଷା କର, ଚାପକୁ ମନରୁ ଦୂର କରି ଲୋକଙ୍କ ସେବା କର" - ରାଜସ୍ୱ ମନ୍ତ୍ରୀ

ନବନିଯୁକ୍ତ ଅଧିକାରୀଙ୍କୁ ସମର୍ପଣ ମନୋଭାବ ନେଇ ଲୋକସେବାକୁ ଜୀବନର ବ୍ରତ କରିବାକୁ ରାଜସ୍ୱ ସଚିବଙ୍କ ଆହ୍ଵାନ

ଭୁବନେଶ୍ୱର, ୦୧/୦୭: ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ (ROTI), ଗୋଠପାଟଣାଠାରେ ଓଡ଼ିଶା ରାଜସ୍ୱ ସେବା (ସିଧାସଳଖ ନିଯୁକ୍ତି)–୨୦୨୩ ବ୍ୟାଚ୍‌ର ଅଧିକାରୀମାନଙ୍କ ପାଇଁ ଆୟୋଜିତ ୨୧ତମ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଛି। ଏହି ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ଅନ୍ୟତମ ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଯୋଗ ଦେଇଥିଲେ l ନବନିଯୁକ୍ତ ଅଧିକାରୀଙ୍କୁ ଉଦବୋଧନ ଦେଇ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ, ରାଜଧର୍ମର ରକ୍ଷା ପାଇଁ ଚାପକୁ ନ ଡରି ଅଧିକାରୀମାନେ ଜନତାଙ୍କ ସେବା କରିବା ଉଚିତ୍ l ସଭିଙ୍କର ସମ୍ମିଳିତ ନିଷ୍ଠାପୂର୍ଣ୍ଣ ଏବଂ ଦାୟିତ୍ୱସମ୍ପନ୍ନ ସେବା ତଥା କର୍ତ୍ତବ୍ୟ ସମ୍ପାଦନ ହିଁ ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଦିଗରେ ପ୍ରମୁଖ ଉପାଦାନ ହେବ l ସେହିପରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କୁ ପ୍ରେରଣା ଦେଇ IPS ମନ୍ତ୍ର ତଥା Integrity (ସଚ୍ଚୋଟତା), Professionalism (ବୃତ୍ତିଗତ ଦକ୍ଷତା), Sensitivity (ସହାନୁଭୂତି)କୁ ପାଥେୟ କରି ଲୋକସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ l ଏଥିସହିତ 2C (Conscience- ବିବେକ ଓ Constitution- ସମ୍ବିଧାନ) କୁ କେବେହେଲେ ସାଲିସ୍ ନ କରିବାର ମନ୍ତ୍ରକୁ ଅବତାରଣା କରି ସଭିଙ୍କୁ ଲୋକସେବା ନିମନ୍ତେ ଅନୁପ୍ରାଣିତ କରିଥିଲେ l

ଏହି ଅବସରରେ ROTIର ନିର୍ଦ୍ଦେଶକ ଶ୍ରୀ ଦିଗନ୍ତ ରାଉତରାୟ କହିଲେ ଯେ, ଆଇନଗତ ଜ୍ଞାନ, ବ୍ୟାବହାରିକ ପ୍ରଶିକ୍ଷଣ, ଡିଜିଟାଲ୍ ଶାସନ, କ୍ଷେତ୍ର ପରିଦର୍ଶନ ଓ ବ୍ୟକ୍ତିତ୍ୱ ବିକାଶର ସମନ୍ୱିତ ଆଭିମୁଖ୍ୟ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନବନିଯୁକ୍ତ ଅଧିକାରୀମାନଙ୍କୁ ସୁଦକ୍ଷ, ସଚ୍ଚୋଟ, ଦାୟିତ୍ଵସମ୍ପନ୍ନ ଏବଂ ଲୋକାଭିମୁଖୀ ପ୍ରଶାସକ ଭାବେ ଗଢ଼ି ତୋଳିବାରେ ସଫଳ ହୋଇଛି। ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭବିଷ୍ୟତରେ ମଧ୍ୟ ଉଚ୍ଚମାନର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ରାଜସ୍ୱ ପ୍ରଶାସନକୁ ଅଧିକ ସୁଦୃଢ଼ କରିବାରେ ନିଜର ଭୂମିକା ଜାରି ରଖିବ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୬ ତାରିଖରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ଥିଲା ନବନିଯୁକ୍ତ ଅଧିକାରୀମାନଙ୍କୁ ରାଜସ୍ୱ ପ୍ରଶାସନରେ ଦକ୍ଷ, ଦାୟିତ୍ୱବାନ୍ ଓ ଲୋକାଭିମୁଖୀ ସେବା ପ୍ରଦାନ ପାଇଁ ଆବଶ୍ୟକୀୟ ଜ୍ଞାନ, ଦକ୍ଷତା ଓ ବୃତ୍ତିଗତ ମନୋଭାବରେ ପ୍ରସ୍ତୁତ କରିବା l

ଏହି ପ୍ରଶିକ୍ଷଣରେ ମୋଟ ୭୪ ଜଣ ଅଧିକାରୀ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ୪୫ ଜଣ ପୁରୁଷ ଏବଂ ୨୯ ଜଣ ମହିଳା ଅଧିକାରୀ ରହିଥିଲେ। ଏହାସହ ପ୍ରୋମୋସନ ବ୍ୟାଚ୍‌ର ମଧ୍ଯ ଦୁଇଜଣ ଅଧିକାରୀ ୪୫ ଦିନିଆ ପ୍ରଶିକ୍ଷଣ ସଫଳତାର ସହ ସମାପ୍ତ କରିଥିବାବେଳେ ଜଣେ ଅଧିକାରୀ ଓଡ଼ିଶା ବନ ସେବାରେ ଯୋଗଦେଇଛନ୍ତି।

ପ୍ରଶିକ୍ଷଣ ପାଠ୍ୟକ୍ରମକୁ ଜ୍ଞାନ (Knowledge), ମନୋଭାବ (Attitude) ଓ ଦକ୍ଷତା (Skills) ବିକାଶ ନୀତିକୁ ଆଧାର କରି ପ୍ରସ୍ତୁତ କରାଯାଇଥିଲା। ଏଥିରେ ରାଜସ୍ୱ ଆଇନ, ସାଧାରଣ ଓ ଦେୱାନୀ ଆଇନ, ଫୌଜଦାରୀ ଆଇନ, ବନ ସଂରକ୍ଷଣ ଆଇନ, ସେବା ନିୟମାବଳୀ, ପୌର ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା, ନିର୍ବାଚନ ପରିଚାଳନା ଏବଂ ହାଇଟେକ୍ ସର୍ଭେ ପ୍ରଣାଳୀ ସମ୍ପର୍କିତ ବିଷୟ ଅନ୍ତର୍ଭୁକ୍ତ ଥିଲା।

ବ୍ୟାବହାରିକ ଓ ବ୍ୟକ୍ତିତ୍ୱ ବିକାଶ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ମନସ୍ତାତ୍ତ୍ୱିକ ଚାପ ପରିଚାଳନା, ନେତୃତ୍ୱ ବିକାଶ, ଯୋଗାଯୋଗ କୌଶଳ, କୃତ୍ରିମ ବୁଦ୍ଧିମତ୍ତା, ଦଳଗତ କାର୍ଯ୍ୟ, ଜନସାଧାରଣଙ୍କ ସହ ବ୍ୟବହାର ଏବଂ ସାମାଜିକ ଗଣମାଧ୍ୟମର ଦାୟିତ୍ୱଶୀଳ ବ୍ୟବହାର ସମ୍ପର୍କିତ ପ୍ରଶିକ୍ଷଣ ଅଧିକାରୀମାନଙ୍କ ବୃତ୍ତିଗତ ଦକ୍ଷତାକୁ ସୁଦୃଢ଼ କରିଛି।

ପ୍ରାୟୋଗିକ ପ୍ରଶିକ୍ଷଣରେ ପ୍ଲେନ୍ ଟେବୁଲ ସର୍ଭେ, ହାଇଟେକ୍ ସର୍ଭେ, ମକ୍‌ ଅଫିସ, ମକ୍‌ କୋର୍ଟ, ମକ୍‌ ସେଟଲମେଣ୍ଟ କ୍ୟାମ୍ପ୍, ବିପର୍ଯ୍ୟୟ ସମୟରେ ଜୀବନରକ୍ଷା କୌଶଳ ଓ ଗ୍ରୁପ୍‌ ପ୍ରେଜେଣ୍ଟେସନ୍‌ ଭଳି ବିଭିନ୍ନ କାର୍ଯ୍ୟକଳାପ ସାମିଲ ଥିଲା। ଏହା ଅଧିକାରୀମାନଙ୍କୁ କ୍ଷେତ୍ରସ୍ତରରେ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକୀୟ ବ୍ୟାବହାରିକ ଦକ୍ଷତା ପ୍ରଦାନ କରିଛି।

ଡିଜିଟାଲ୍ ଶାସନ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଭୂ-ଲେଖ, ଭୂ-ନକ୍ସା, LRMS, ଅନଲାଇନ୍ ପଞ୍ଜୀକରଣ, LARRMS, DAMPS, କୃତ୍ରିମ ବୁଦ୍ଧିମତ୍ତା (AI) ଓ ମୌଳିକ କମ୍ପ୍ୟୁଟର କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

ପ୍ରଶିକ୍ଷଣର ଅଂଶ ଭାବେ ପ୍ରଶିକ୍ଷାର୍ଥୀମାନେ ଭୁବନେଶ୍ୱରସ୍ଥିତ SCSTRTI, ୱାର୍ଲ୍ଡ୍ ସ୍କିଲ୍ ସେଣ୍ଟର, ଲୋକସେବା ଭବନ, ପାରାଦୀପ ବନ୍ଦର, ହାଇଦ୍ରାବାଦସ୍ଥିତ NIGST, ଝୁମକା ଡ୍ୟାମ୍ ଏବଂ ଓଡ଼ିଶା ଭିଜିଲାନ୍ସ ଏକାଡେମୀ ପରି ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରି ଶାସନ, ପ୍ରଶାସନ ଓ ରାଜସ୍ୱ ସେବା ପରିଚାଳନାର ସର୍ବୋତ୍ତମ ପଦ୍ଧତି ସମ୍ପର୍କରେ ଅଭିଜ୍ଞତା ତଥା ଅନୁଭୂତି ହାସଲ କରିଥିଲେ।

ଏହାବ୍ୟତୀତ ରକ୍ତଦାନ ଶିବିର, ବୃକ୍ଷରୋପଣ, କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ, ଯୋଗ, ଜୁମ୍ବା ଓ ଜିମ୍ କାର୍ଯ୍ୟକଳାପ ମାଧ୍ୟମରେ ପ୍ରଶିକ୍ଷାର୍ଥୀମାନଙ୍କ ସର୍ବାଙ୍ଗୀନ ବ୍ୟକ୍ତିତ୍ୱ ବିକାଶକୁ ମଧ୍ଯ ଗୁରୁତ୍ଵ ଦିଆଯାଇଥିଲା। ପ୍ରଶିକ୍ଷଣ ସମୟରେ ହାଇଟେକ୍ ସର୍ଭେ ପରୀକ୍ଷା, ପ୍ଲେନ ଟେବୁଲ ସର୍ଭେ ପରୀକ୍ଷା, ଲିଖିତ ପରୀକ୍ଷା, ମକ୍‌ ଅଫିସ ଓ ମକ୍‌ କୋର୍ଟ ମୂଲ୍ୟାୟନ, ଭାଇଭା-ଭୋସ୍ ଏବଂ ନିର୍ଦ୍ଦେଶକଙ୍କ ମୂଲ୍ୟାୟନ ମାଧ୍ୟମରେ ପ୍ରଶିକ୍ଷାର୍ଥୀମାନଙ୍କ ଦକ୍ଷତାର ସାମଗ୍ରିକ ଆକଳନ କରାଯାଇଥିଲା। ନବନିଯୁକ୍ତ ଅଧିକାରୀମାନେ ନିଜର ଅନୁଭୂତି ଏବଂ ଅଭିଜ୍ଞତା ବାଣ୍ଟିବା ସହ ROTIର ମନୋଜ୍ଞ ପରିବେଶ, ଆତ୍ମୀୟତା ଏବଂ ପ୍ରଶିକ୍ଷଣ ଶୈଳୀ ଏକ ସ୍ଵତନ୍ତ୍ର ଅନୁଭବ ଦେବା ସହ ଜୀବନ ପ୍ରତିଟି କ୍ଷେତ୍ରରେ ସଂଜୀବନୀ ଭାବେ ଏହା କାମ କରିବ ବୋଲି ଆତ୍ମସନ୍ତୋଷ ବ୍ୟକ୍ତ କରିଥିଲେ l