ଓଡ଼ିଶା ବିଧାନ ସଭାରେ କଫିଟେବୁଲ ବୁକ୍‌ ଉନ୍ମୋଚିତ ଏବଂ ଫିଜିଓଥେରାପି ସେଣ୍ଟର ଉଦ୍‌ଘାଟିତ

ଯୁବପିଢ଼ି ଓ ଗବେଷକମାନଙ୍କ ପାଇଁ ଏହା ଅମୂଲ୍ୟ ପୁସ୍ତକ ହେବ

ବୟୋଜ୍ୟେଷ୍ଠ ପୂର୍ବତନ ବିଧାୟକମାନେ ଫିଜିଓଥେରାପି ସେଣ୍ଟର ମାଧ୍ୟମରେ ବହୁଳ ଭାବେ ଉପକୃତ ହେବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୧/୦୭: ଆଜି ଓଡ଼ିଶା ବିଧାନ ସଭା ପକ୍ଷରୁ ପ୍ରସ୍ତୁତ ଦୁଇଟି ମୂଲ୍ୟବାନ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଓ ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଫିଟେବୁଲ ବୁକ ‘Presiding with Purpose- Two Years Legislative Journey of Speaker Surama Padhy’ ଏବଂ ‘Two Years of Transformative Leadership Under Speaker Surama Padhy’ ଉନ୍ମୋଚନ କରିବା ସହିତ ଗୋଟିଏ ନୂଆ ଫିଜିଓଥେରାପି ସେଣ୍ଟରକୁ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ନେତୃତ୍ୱରେ ବିଗତ ଦୁଇ ବର୍ଷ ଭିତରେ ବିଧାନ ସଭାରେ ଅନେକ ଐତିହାସିକ ଘଟଣା ଘଟି ଯାଇଛି । ଅନେକ ପ୍ରଭାବଶାଳୀ ଆଇନ ପାରିତ ହେବା ସହ ବିଧାନସଭାର ସମସ୍ତ ପ୍ରକ୍ରିୟା ଡିଜିଟାଇଜ କରାଯାଇପାରିଛି । ତାଙ୍କର ଜ୍ଞାନ, ଅନୁଭବ ଓ ସଂସଦୀୟ ଗଣତନ୍ତ୍ରର ଗରିମା ପ୍ରତି ତାଙ୍କର ନିଷ୍ଠା ଆମ ଓଡ଼ିଶା ବିଧାନ ସଭାର ଦୁଇ ବର୍ଷର ଇତିହାସକୁ ଆହୁରି ଋଦ୍ଧିମନ୍ତ କରିଛି ବୋଲି ସେ କହିଥିଲେ ।

ଆଗାମୀ ଦିନରେ ତାଙ୍କ ନେତୃତ୍ୱରେ ଓଡ଼ିଶା ବିଧାନସଭା ଏକ ଆଦର୍ଶ ବିଧାନ ସଭା ଭାବରେ ସବୁ ରାଜ୍ୟର ବିଧାନ ସଭା ପାଇଁ ଅନୁକରଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୁଣି କହିଥିଲେ ଯେ ଆଜି ଉନ୍ମୋଚିତ ହୋଇଥିବା ପୁସ୍ତକରେ ବିଧାନ ସଭାର ଦୁଇ ବର୍ଷର କାର୍ଯ୍ୟକଳାପକୁ ନିଖୁଣ ଭାବରେ ଫଟୋଚିତ୍ର ମାଧ୍ୟମରେ ପ୍ରକାଶ କରାଯାଇଛି ଏବଂ ଏହି ଦୁଇଟି ପୁସ୍ତକରେ ବିଧାନ ସଭାର ବିଭିନ୍ନ କାର୍ଯ୍ୟକ୍ରମ ସଠିକ୍‌ ଭାବେ ଚିତ୍ରଣ କରାଯାଇଛି । ସାଧାରଣ ଜନତା, ବୁଦ୍ଧିଜୀବୀ, ଗବେଷକ, ବିଶେଷକରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣତନ୍ତ୍ର ପ୍ରତି ଆଗ୍ରହ ବଢାଇବା ସହିତ ଆମ ବିଧାନ ସଭାର ଗରିମାକୁ ଏହି ପୁସ୍ତକଦ୍ୱୟ ଆହୁରି ଉଜ୍ଜ୍ୱଳ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ପୁସ୍ତକ ସଂପର୍କରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ବିଗତ ଦୁଇ ବର୍ଷ ମଧ୍ୟରେ ନୂତନ ବିଧାୟକମାନଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ ଶିବିର ଓ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀର ସୁନ୍ଦର ଚିତ୍ର ଏଥିରେ ସ୍ଥାନ ପାଇଛି । ମହାମହିମ ରାଷ୍ଟ୍ରପତି ମହୋଦୟାଙ୍କ ଓଡ଼ିଶା ଆଗମନ ଏବଂ ବିଧାନ ସଭାରେ ତାଙ୍କର ପ୍ରଥମ ଅଭିଭାଷଣ ଓଡ଼ିଶାର ସଂସଦୀୟ ଇତିହାସର ଏକ ବିରଳ ଓ ଚିରସ୍ମରଣୀୟ ଘଟଣା । ଏହି ପୁସ୍ତକରେ ସନ୍ନିବେଶିତ ହୋଇଥିବା ତାଙ୍କର ପ୍ରେରଣାଦାୟୀ ଅଭିଭାଷଣର ଫଟୋଚିତ୍ର ସମସ୍ତଙ୍କୁ ନିଶ୍ଚିତ ରୂପେ ଉତ୍ସାହିତ କରିବ । ଆଗାମୀ ଦିନରେ ଏହି ପୁସ୍ତକ ଆମ ଯୁବପିଢ଼ି ଓ ଗବେଷକମାନଙ୍କ ପାଇଁ ଏକ ଅମୂଲ୍ୟ ପୁସ୍ତକ ହେବା ସହିତ ଓଡ଼ିଶା ବିଧାନସଭାର ଯଶ ଓ ଗୌରବକୁ ଏହା ଆହୁରି ଆଗକୁ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଜି ବିଧାନ ସଭା ପରିସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୂଆ ଭାବେ ଆରମ୍ଭ ହୋଇଥିବା ଫିଜିଓଥେରାପି ସେଣ୍ଟରରେ କ୍ୟାପିଟାଲ ହସ୍‌ପିଟାଲ ଏବଂ NIRTARର ଡାକ୍ତର ଓ ପାରାମେଡିକାଲ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହି ଫିଜିଓଥେରାପି କେନ୍ଦ୍ର ମାଧ୍ୟମରେ ସମସ୍ତ ମାନ୍ୟବର ବିଧାୟକ, ପୂର୍ବତନ ବିଧାୟକ ସେମାନଙ୍କ ସମ୍ପର୍କୀୟ ଏବଂ ଓଡ଼ିଶା ବିଧାନ ସଭା ଅଧିକାରୀ ଓ କର୍ମଚାରୀମାନେ ଉପକୃତ ହେବେ ବୋଲି କହିଛନ୍ତି । ବୟୋଜ୍ୟେଷ୍ଠ ପୂର୍ବତନ ବିଧାୟକମାନେ ଏହା ମାଧ୍ୟମରେ ବହୁଳ ଭାବେ ଉପକୃତ ହେବେ ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି ।

ବାଚସ୍ପତି ଶ୍ରୀମତୀ ପାଢ଼ୀ ନିଜ ବକ୍ତବ୍ୟରେ ପୁସ୍ତକ ସଂପର୍କରେ ଅଭିମତ ରଖି କହିଛନ୍ତି ଯେ କଫି ଟେବୁଲ୍‌ ବୁକ୍‌ରେ ବିଗତ ଦୁଇବର୍ଷରେ ବିଧାନସଭାର କାର୍ଯ୍ୟକ୍ରମ ସମ୍ବଳିତ ଫଟୋଚିତ୍ର ସ୍ଥାନ ପାଇଛି । ନୂତନ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ବିଧାନସଭାରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ, ଜନକଲ୍ୟାଣକାରୀ ଆଇନ ପ୍ରସ୍ତୁତ କାର୍ଯ୍ୟକ୍ରମ, ପାଟନା, ଲକ୍ଷ୍ନୌ, ଜୟପୁର ଓ ମୁମ୍ବାଇ ଠାରେ ଅନୁଷ୍ଠିତ ସର୍ବଭାରତୀୟ ପିଠାସୀନ ଅଧିକାରୀମାନଙ୍କର ସମ୍ମିଳନୀ ସମ୍ପର୍କିତ ବିଶଦ ଫଟୋ ଓ ତଥ୍ୟ ଏହି ପୁସ୍ତକରେ ସ୍ଥାନିତ ହୋଇଛି । ଏହି ପୁସ୍ତକରେ ବିଧାନସଭା ତରଫରୁ ଲୋକସେବା ଭବନରେ ଅନୁଷ୍ଠିତ ସର୍ବଭାରତୀୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ସମ୍ମିଳନୀ ଏବଂ ପୁରୀଠାରେ ଦଳବଦଳ ନିରୋଧ ଆଇନର ତର୍ଜମା ନିମିତ୍ତ ଅନୁଷ୍ଠିତ ସମ୍ମିଳନୀ, ତଥା ବିଗତ ଦୁଇବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟ ବିଧାନସଭାର କମିଟିମାନଙ୍କର ଆଗମନର ଫଟୋଚିତ୍ର ସ୍ଥାନିତ କରାଯାଇଛି । ଏହି ସମୟ ମଧ୍ୟରେ ବିଧାନସଭାର ବିଧାୟକ, ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଆୟୋଜିତ ଅନେକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଫଟୋଚିତ୍ର ମଧ୍ୟ ସ୍ଥାନ ପାଇଛି ।

ବାଚସ୍ପତି ଶ୍ରୀମତୀ ପାଢ଼ୀ ଆହୁରି ମଧ୍ୟ କହିଛନ୍ତି ଯେ ବିଧାନସଭାକୁ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ପାଇଁ Commonwealth Parliamentary Association ର ବାର୍ଷିକ ସମ୍ମିଳନୀରେ ବିଧାନସଭା ତରଫରୁ ଯୋଗଦାନ ଓ ବିଭିନ୍ନ ଗଣତାନ୍ତ୍ରିକ ବିଧି, ବ୍ୟବସ୍ଥା ଉପରେ ଆଲୋଚନା ଇତ୍ୟାଦିର ଫଟୋଚିତ୍ର ଏହି ପୁସ୍ତକକୁ ଅଧିକ ଋଦ୍ଧିମନ୍ତ କରିଛି । ମାନ୍ୟବର ରାଷ୍ଟ୍ରପତିଙ୍କର ଓଡ଼ିଶା ଆଗମନ ଏବଂ ଓଡ଼ିଶା ବିଧାନସଭାରେ ତାଙ୍କର ପ୍ରଥମ ଅଭିଭାଷଣର ଫଟୋଚିତ୍ର ଏହି ପୁସ୍ତକକୁ ଅଧିକ ରୁଦ୍ଧିମନ୍ତ କରିଛି ବୋଲି ବାଚସ୍ପତି ଉଲ୍ଲେଖ କରିଛନ୍ତି ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ, ବିଧାୟକଗଣ, ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ଗବେଷଣା ଶାଖାର ନିର୍ଦ୍ଦେଶକ ଡ. ତ୍ରିବିକ୍ରମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।