‘ନିଶାମୁକ୍ତ ଓଡ଼ିଶା’ ଅଭିଯାନରେ ଓଡ଼ିଶା ପୋଲିସର ଐତିହାସିକ ସଫଳତା
୨,୧୦୬ କୋଟି ଟଙ୍କାର ଗଞ୍ଜେଇ ଓ ୨୨୫ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ
“ନିଶାମୁକ୍ତ, ସୁରକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ଓଡ଼ିଶା ପୋଲିସ ଦୃଢ଼ ସଂକଳ୍ପବଦ୍ଧ”: ଡିଜିପି
ଭୁବନେଶ୍ୱର, ୦୧/୦୭: ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ଓଡ଼ିଶା ପୋଲିସ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ବେଆଇନ ନିଶା କାରବାର, ଗଞ୍ଜେଇ ଚାଷ, ମାଦକଦ୍ରବ୍ୟ ଚୋରାଚାଲାଣ ଏବଂ ଆନ୍ତଃରାଜ୍ୟ ଡ୍ରଗ୍ ନେଟୱାର୍କ ବିରୋଧରେ ‘ଶୂନ୍ୟ ସହନଶୀଳତା (Zero Tolerance)’ ନୀତି ଆଧାରରେ ଚାଲିଥିବା ନିରନ୍ତର ଅଭିଯାନ ରାଜ୍ୟକୁ ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି।
ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଜାତୀୟ ସ୍ତରୀୟ ପ୍ରାକ-ବିଚାରାଧୀନ ଜବତ ମାଦକଦ୍ରବ୍ୟ ବିନଷ୍ଟୀକରଣ ସ୍ୱତନ୍ତ୍ର ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତ ସରକାରଙ୍କ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)ର ନିର୍ଦ୍ଦେଶାନୁଯାୟୀ ୨୬ ଜୁନରୁ ୧୦ ଜୁଲାଇ ୨୦୨୬ ପର୍ଯ୍ୟନ୍ତ National Level Pre-Trial Drug Destruction Special Drive ସାରା ଦେଶରେ କାର୍ଯ୍ୟକାରୀ କରାଯାଉଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ କହିଥିଲେ ଯେ, “ନିଶାମୁକ୍ତ, ସୁରକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନ ହେଉଛି ଓଡ଼ିଶା ପୋଲିସର ସର୍ବୋଚ୍ଚ ପ୍ରାଥମିକତା। ନିଶା କାରବାର ଓ ଚୋରାଚାଲାଣ ବିରୋଧରେ ଆଗାମୀ ଦିନରେ ଅଭିଯାନକୁ ଆହୁରି ବ୍ୟାପକ କରାଯିବ।”
ଡିଜିପି ସୂଚନା ଦେଇଥିଲେ ଯେ, ନିଶା କାରବାର ସମ୍ପର୍କିତ ମାମଲାର ତ୍ୱରିତ ବିଚାର ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ୱର, ଖୋର୍ଦ୍ଧା, ଅନୁଗୁଳ ଓ ସମ୍ବଲପୁରରେ ୪ଟି ସ୍ୱତନ୍ତ୍ର NDPS କୋର୍ଟ ସ୍ଥାପନ କରିବାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।
ସେହିପରି, ଜଣେ ଏଡିଜିପି ପାହ୍ୟାର ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର Anti Narcotics Task Force (ANTF) ଗଠନ କରାଯିବ । ଏହା ଅଧୀନରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ଟି ୟୁନିଟ୍ ଏବଂ ୧୯ଟି ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ୟୁନିଟ୍ କାର୍ଯ୍ୟ କରିବ। ପ୍ରତିବର୍ଷ ଅତିକମରେ ୧୦୦ ଜଣ ପ୍ରମୁଖ ଡ୍ରଗ୍ ମାଫିଆଙ୍କ ବିରୋଧରେ NDPS ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରିଯିବା ବୋଲି ଡିଜିପି ସୂଚନା ଦେଇଥିଲେ । ଏହାବ୍ୟତୀତ ସମସ୍ତ ଡ୍ରଗ୍ ହଟସ୍ପଟ୍ ଗୁଡ଼ିକୁ ଚିହ୍ନଟ କରାଯାଇ ନିଷ୍କ୍ରିୟ କରିବାକୁ ଲକ୍ଷ୍ୟ ରକ୍ଷା ଯାଇଛି।
ବିଶେଷକରି ବେଆଇନ ଗଞ୍ଜେଇ ଚାଷ ପଛରେ ଥିବା ମାଷ୍ଟରମାଇଣ୍ଡ ଓ ଅର୍ଥଦାତାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଆର୍ଥିକ ତଦନ୍ତ କୁ ଗୁରୁତ୍ୱ ଦିଆଯାଉଛି, ଯାହାଦ୍ୱାରା ନିଶା ମାଫିଆଙ୍କ ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାବେ ଭଙ୍ଗା ଯିବ ବୋଲି ସେ କହିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ୨୦୨୪ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ରାଜ୍ୟବ୍ୟାପୀ ଅଭିଯାନରେ ୬୩,୭୨୦ ଏକରରୁ ଅଧିକ ବେଆଇନ ଗଞ୍ଜେଇ ଚାଷ, ଯାହାର ଆନୁମାନିକ ମୂଲ୍ୟ ୧,୯୧୧ କୋଟି ଟଙ୍କା, ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି।
ସେହି ସମୟ ମଧ୍ୟରେ ୨,୪୪୫ଟି NDPS ମାମଲା ରୁଜୁ କରାଯାଇ ୪୨୧ ଟନ୍ ଗଞ୍ଜେଇ (ଆନୁମାନିକ ମୂଲ୍ୟ ୨,୧୦୬ କୋଟି ଟଙ୍କା) ଜବତ କରାଯାଇଥିବା ବେଳେ ୩,୫୦୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ କୋରାପୁଟ ଜିଲ୍ଲା ପୋଲିସ ଏକ ବିରଳ ସଫଳତା ହାସଲ କରିଛି। ବେଆଇନ ଗଞ୍ଜେଇ ତେଲ ପ୍ରସ୍ତୁତ କରୁଥିବା ଏକ ୟୁନିଟ୍ ଉପରେ ଚଢ଼ାଉ କରି ପ୍ରାୟ ୧,୮୦୦ ଲିଟର ଗଞ୍ଜେଇ ତେଲ (ଆନୁମାନିକ ମୂଲ୍ୟ ୨୨୫ କୋଟି ଟଙ୍କା) ଏବଂ ପ୍ରାୟ ୫ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଏହି ରାକେଟର ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ କେରଳରୁ ଗିରଫ କରାଯାଇଛି।
ସେହିପରି କନ୍ଧମାଳ, ବୌଦ୍ଧ, ସୋନପୁର ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ସକ୍ରିୟ ଥିବା ଏକ ଆନ୍ତଃରାଜ୍ୟ ନିଶା ଚୋରାଚାଲାଣ ଗ୍ୟାଙ୍ଗର ୨ ଜଣ ସକ୍ରିୟ ସଦସ୍ୟଙ୍କୁ ଏସ୍.ଟି.ଏଫ୍. ଗିରଫ କରିଛି।
ଜନସଚେତନତାକୁ ସମାନ ଗୁରୁତ୍ୱ ଦେଇ ରାଜ୍ୟର ସମସ୍ତ ୩୫ଟି ପୋଲିସ ଜିଲ୍ଲାର ୫୫୦ରୁ ଅଧିକ ଥାନାରେ ନିଶାବିରୋଧୀ ଶପଥପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ୨୫ ହଜାରରୁ ଅଧିକ ନାଗରିକ, ୪,୮୮୨ ଜଣ ଛାତ୍ରଛାତ୍ରୀ ଓ ୩୩୭ ଜଣ ଶିକ୍ଷକ ସକ୍ରିୟ ଭାବେ ସାମିଲ ହୋଇ ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇଛନ୍ତି।
ରାଜ୍ୟର ଖୋର୍ଦ୍ଧା, ଅନୁଗୁଳ, ବାଲେଶ୍ୱର, ଗଞ୍ଜାମ, ବଲାଙ୍ଗିର, କୋରାପୁଟ ଓ ସୁନ୍ଦରଗଡ଼ସ୍ଥିତ ୭ଟି ଅନୁମୋଦିତ ଇନ୍ସିନେରେଟର କେନ୍ଦ୍ରରେ ପ୍ରାୟ ୮୦ ଟନ୍ ଗଞ୍ଜେଇ, ୧୧.୪ କିଲୋଗ୍ରାମ ବ୍ରାଉନ୍ ସୁଗାର ଏବଂ ୩,୬୩୮ ବୋତଲ କଫ୍ ସିରପ (ଆନୁମାନିକ ବଜାର ମୂଲ୍ୟ ୪୧୦ କୋଟି ଟଙ୍କା) ବିନଷ୍ଟ କରିବାର ଲକ୍ଷ୍ୟ ରଖାଯାଇଛି। ଅଭିଯାନ ଆରମ୍ଭ ହେବା ପରଠାରୁ ୩୬ ଟନ୍ ଗଞ୍ଜେଇ ସଫଳତାର ସହ ବିନଷ୍ଟ କରାଯାଇଥିବା ବେଳେ ଅବଶିଷ୍ଟ ଜବତ ମାଦକଦ୍ରବ୍ୟକୁ ଆଇନଗତ ପ୍ରକ୍ରିୟାରେ ପର୍ଯ୍ୟାୟକ୍ରମେ ଧ୍ୱଂସ କରାଯିବ।
ଶେଷରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ କହିଥିଲେ ଯେ, “ନିଶା କାରବାର, ଚୋରାଚାଲାଣ ଓ ମାଦକ ମାଫିଆଙ୍କ ବିରୋଧରେ ଏହି ଲଢ଼େଇ ଆଗାମୀ ଦିନରେ ଆହୁରି ତୀବ୍ର ହେବ। ଆଇନ ଉଲ୍ଲଂଘନକାରୀଙ୍କ ପ୍ରତି କୌଣସି ପ୍ରକାର କୋହଳ ମନୋଭାବ ପ୍ରଦର୍ଶନ କରାଯିବ ନାହିଁ। ମିଳିତ କାର୍ଯ୍ୟାନୁଷ୍ଠାନ, ଅତ୍ୟାଧୁନିକ ପ୍ରଯୁକ୍ତି, ଜନସାଧାରଣଙ୍କ ସହଯୋଗ ଏବଂ ଦୃଢ଼ ଇଚ୍ଛାଶକ୍ତି ବଳରେ ନିଶାମୁକ୍ତ, ସୁରକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନ ହିଁ ଓଡ଼ିଶା ପୋଲିସର ଅତୁଟ ସଂକଳ୍ପ।
ଉକ୍ତ କାର୍ଯ୍ୟକ୍ରମରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ୍ ବ୍ରାଞ୍ଚ) ଶ୍ରୀ ବିନୟ ତୋଷ ମିଶ୍ର, , ଆଇଜିପି (କ୍ରାଇମ୍ ବ୍ରାଞ୍ଚ) ଡ଼ ସାର୍ଥକ ଷଡଙ୍ଗୀ, ଡିଆଇଜିପି (ଏସଟିଏଫ) ଡ଼ କନୱର ବିଶାଳ ସିଂଙ୍କ ସହିତ ପୋଲିସ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।