ସମ୍ବଲପୁରରେ ବିଶିଷ୍ଟ ଗୀତିକାର ଦୁର୍ଗା ମାଧବ ପଣ୍ଡାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

‘ଗୀତ ରଚନା ପାଇଁ ସଂଗୀତ, ଧ୍ୱନି ଓ ନାନ୍ଦନିକତାର ଗଭୀର ସମନ୍ବୟ ଆବଶ୍ୟକ’

ସମ୍ବଲପୁର, ୦୨/୦୭: ଓଡ଼ିଶା ସରକାରଙ୍କ ୨୦୨୪ ବର୍ଷର ‘ଶ୍ରେଷ୍ଠ ଗୀତିକାର’ ସମ୍ମାନରେ ସମ୍ମାନିତ, ସୁନ୍ଦରଗଡ଼ ନିବାସୀ ବିଶିଷ୍ଟ କବି ଓ ଗୀତିକାର ଦୁର୍ଗା ମାଧବ ପଣ୍ଡାଙ୍କୁ ସମ୍ବଲପୁରଠାରେ ଏକ ଭବ୍ୟ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସମ୍ବଲପୁର ସାଂସ୍କୃତିକ ପରିଷଦ, ‘ରଙ୍ଗ ଫରୁଆ’ ନୃତ୍ୟାନୁଷ୍ଠାନ ଓ ସ୍ଥାନୀୟ କଳାକାରମାନଙ୍କ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ପଣ୍ଡା କହିଥିଲେ, “ମାତୃଭାଷା ସମ୍ବଲପୁରୀ ହୋଇଥିଲେ ମଧ୍ୟ ଓଡ଼ିଆ ସାହିତ୍ୟ ଓ ସଂଗୀତ ପ୍ରତି ମୋର ସାଧନା ଆକାଶବାଣୀ ସମ୍ବଲପୁରରୁ ଆରମ୍ଭ ହୋଇଥିଲା। ଗୀତ ରଚନା କେବଳ ଶବ୍ଦ ସଂଯୋଜନା ନୁହେଁ, ଏଥିପାଇଁ ସଂଗୀତ, ଧ୍ୱନି ଓ ନାନ୍ଦନିକତାର ଗଭୀର ସମନ୍ବୟ ଆବଶ୍ୟକ।”

ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଗବେଷକ ଡ. ସପନ ମିଶ୍ର, ବର୍ଷିୟାନ ସାହିତ୍ୟିକ ଡ. ଶ୍ୟାମସୁନ୍ଦର ଧର, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ପ୍ରମୁଖ ଯୋଗଦେଇ ଶ୍ରୀ ପଣ୍ଡାଙ୍କ ସାରସ୍ୱତ ସାଧନା ଓ ଓଡ଼ିଆ ସିନେମା ଜଗତକୁ ତାଙ୍କ ଅବଦାନର ଭୂୟସୀ ପ୍ରଶଂସା କରିଥିଲେ। ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଶ୍ରୀ ପଣ୍ଡାଙ୍କ ରଚିତ ଗୀତ ଗାଇ ସମ୍ମାନ ଜଣାଇଥିଲେ।

ଏହି ଅବସରରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, କଳାକାର ଓ ସାହିତ୍ୟିକମାନେ ଉପସ୍ଥିତ ରହି ଶ୍ରୀ ପଣ୍ଡାଙ୍କୁ ପୁଷ୍ପଗୁଛ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ସଦାନନ୍ଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।