ନୂଆପଡ଼ା, ୦୨/୦୭ (ସନ୍ତୋଷ ପଟ୍ଟନାୟକ): ନୂଆପଡ଼ା ଜିଲ୍ଲା କୋର୍ଟ ସମ୍ମୁଖରେ ଆଜି ସକାଳେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁଯାୟୀ, ଆଜି ସକାଳେ ସୁନାବେଡ଼ା ଅଞ୍ଚଳରୁ ଦୁଇ ଜଣ ବ୍ୟକ୍ତି କୌଣସି ଏକ ଜରୁରୀ କାମରେ ଏକ ମୋଟର ସାଇକେଲ୍ (ବାଇକ୍) ଯୋଗେ ନୂଆପଡ଼ା ଅଭିମୁଖେ ଆସୁଥିଲେ। ନୂଆପଡ଼ା ଜିଲ୍ଲା ଅଦାଲତ (କୋର୍ଟ) ସମ୍ମୁଖରେ ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କ ବାଇକକୁ ସେମାନ୍ ଜୋରରେ ଧକ୍କା ଦେଇଥିଲା। ଟ୍ରକ୍ର ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ୍ ପଛରେ ବସିଥିବା ବ୍ୟକ୍ତିଜଣକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ତେବେ ସୌଭାଗ୍ୟବଶତଃ ବାଇକ୍ ଚାଳକଙ୍କର କିଛି କ୍ଷତି ହୋଇନାହିଁ, ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତକଙ୍କ ଶରୀର କ୍ଷତବିକ୍ଷତ ହୋଇଯାଇଥିବାରୁ ବର୍ତ୍ତମାନ ସୁଦ୍ଧା ତାଙ୍କର ସଠିକ୍ ପରିଚୟ ମିଳିପାରି ନାହିଁ। ମୃତ ବ୍ୟକ୍ତିଜଣକ ସୁନାବେଡା ଅଞ୍ଚଳର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ନୂଆପଡ଼ା ଥାନା ପୋଲିସ ତୁରନ୍ତ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) ପାଇଁ ପଠାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଜବତ କରି ଥାନାରେ ଅଟକ ରଖିବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।