ୟୁଏଇର ଆଇଏଚସି ଗ୍ରୁପ ଓ ଇପିକଲ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ପ୍ରତିଷ୍ଠା ହେବ ମେଗା ଆଲୁମିନିୟମ ପ୍ରକଳ୍ପ

ସୃଷ୍ଟି ହେବ ୫୩ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର, ୦୨/୦୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆଜି ରାଜ୍ୟ ସରକାରଙ୍କ ଇପିକଲ (IPICOL) ଏବଂ ୟୁଏଇ (UAE) ର ପ୍ରତିଷ୍ଠିତ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (IHC Group) ମଧ୍ୟରେ ଏକ ସ୍ମାରକପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଭୁବନେଶ୍ୱର ସ୍ଥିତ କନଭେନସନ ସେଣ୍ଟରଠାରେ ଏହି ମେଗା ଆଲୁମିନିୟମ ପ୍ରକଳ୍ପ ପାଇଁ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।

ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାରେ ୧.୧୦ ଲକ୍ଷ କୋଟି ଟଙ୍କାର (୧୧.୫ ବିଲିୟନ ଡଲାର) ନିବେଶ ହେବ। ଏହି ମେଗା ପ୍ରକଳ୍ପଟି ଆଦାନୀ ଗ୍ରୁପ୍ (Adani Group) ଏବଂ ଆଇଏଚ୍‌ସି (IHC) ର ସହଯୋଗୀ ସଂସ୍ଥା ‘ଇଣ୍ଟରନ୍ୟାସନାଲ ରିସୋର୍ସେସ୍ ହୋଲ୍ଡିଂ’ (IRH) ମଧ୍ୟରେ କାର୍ଯ୍ୟକାରୀ ହେବ।

ଏହାଦ୍ୱାରା ରାଜ୍ୟରେ ପ୍ରାୟ ୫୩,୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିମଧ୍ୟରୁ ନିର୍ମାଣ କାର୍ଯ୍ୟ ସମୟରେ ୩୫,୦୦୦ ଏବଂ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ୧୮,୫୦୦ ଲୋକ ସିଧାସଳଖ ଓ ପରୋକ୍ଷ ଭାବେ ରୋଜଗାର ପାଇବେ।

ଏହି ପ୍ରକଳ୍ପ ଅଧୀନରେ ବକ୍ସାଇଟ୍ ଖନନ ସହ ଏକ ୪ MTPA ଆଲୁମିନା ରିଫାଇନାରୀ, ୨ MTPA ଆଲୁମିନିୟମ ସ୍ମେଲ୍ଟର, ୪,୦୦୦ ମେଗାୱାଟର କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ଏବଂ ୧ MTPA ର ଏକ ଡାଉନଷ୍ଟ୍ରିମ ମ୍ୟାନୁଫ୍ୟାକଚରିଂ ପାର୍କ ପ୍ରତିଷ୍ଠା କରାଯିବ।