କଟକ, ୦୪/୦୭: କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC। କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ମହିଳା IIC ବିୟୁଟି ମହାନ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ପୋଲିସ।
ଥାନା କ୍ୱାର୍ଟର୍ସରେ ଏମିତି କ’ଣ ଘଟିଲା ଏବଂ IICଙ୍କ ମୃତ୍ୟୁ ପଛର କାରଣ କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ।
ଏ ସମ୍ପର୍କରେ ଅତିରିକ୍ତ ଡିସିପି ପ୍ରତିକ୍ରିୟା ଦେଇ କହିଛନ୍ତି, ଗତ କାଲି ବିୟୁଟି ସ୍ୱାଭାବିକ ଥିଲେ। ରାତି ୧୦ଟା ୩୦ରେ ଡ୍ୟୁଟି ସାରି ବିଶ୍ରାମ ନେବାକୁ ଯାଇଥିଲେ। ଘରକୁ ଫେରିବା ପରିବର୍ତ୍ତେ ରେଷ୍ଟ ରୁମରେ ରହିଥିଲେ। ହେଲେ, ଆଜି ସକାଳୁ ଫୋନ୍ କରିବାରୁ ଫୋନ ଉଠାଇନଥିଲେ।
ଏହା ପରେ, ଥାନା କର୍ମଚାରୀମାନେ ରେଷ୍ଟ ରୁମର କବାଟ ବାଡ଼େଇଥିଲେ। ଯେତେବେଳେ ସେ ଉତ୍ତର ଦେଲେ ନାହିଁ, ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ତୁରନ୍ତ ପରିସ୍ଥିତି ବିଷୟରେ ଅବଗତ କରାଯାଇଥିଲା। ପରେ ପୋଲିସ କର୍ମଚାରୀମାନେ କବାଟ ଭାଙ୍ଗି ପ୍ରବେଶ କରିବା ପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ।
ଚାଉଳିଆଗଞ୍ଜ ପୋଲିସ ଷ୍ଟେସନରେ ପୋଷ୍ଟିଂ ପୂର୍ବରୁ, ମହାନ୍ତି ସ୍ଥାନୀୟ ମହିଳା ଥାନା IIC ଭାବରେ କାର୍ଯ୍ୟ କରିଥିଲେ।