ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେଲା ଲଘୁଚାପ କ୍ଷେତ୍ର
୭ ଯାଏଁ ସମୁଦ୍ରକୁ ଯିବା ମନା
ଭୁବନେଶ୍ୱର, ୦୪/୦୭: ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ଲଘୁଚାପ। ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଅଂଚଳରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ସମୁଦ୍ର ପତନଠାରୁ ୯.୪ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଘୂର୍ଣ୍ଣିବଳୟ ବିସ୍ତାରିତ ହୋଇଛି।
ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। କନ୍ଧମାଳ, ବୌଦ୍ଧ, ଅନୁଗୁଳ, ସମ୍ବଲପୁର ଓ ସୋନପୁରକୁ ଜାରି ହୋଇଛି ରେଡ୍ ଆଲର୍ଟ। ଏହି ଜିଲ୍ଲା ଗୁଡ଼ିକରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।
ସେହିଭଳି ୮ ଜିଲ୍ଲାରେ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବରଗଡ଼ ସୋହେଲାରେ ସର୍ବାଧିକ ୨୦୨ ମି.ମି. ବର୍ଷା ରେକର୍ଡ଼ ହୋଇଛି। ତେବେ ଆସନ୍ତା ୬ ତାରିଖ ଯାଏଁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ୭ ତାରିଖ ଯାଏଁ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।