ଭୁବନେଶ୍ୱର, ୨୧/୦୭: ଓଡ଼ିଶାରେ ଶିକ୍ଷାର ମାନ କ୍ରମଶଃ ହ୍ରାସ ପାଉଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର UDISE+ ରିପୋର୍ଟରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଜଣେ ଶିକ୍ଷକଙ୍କୁ ଏକାଧିକ ସ୍କୁଲ୍ ଚଳାଇବାକୁ ପଡୁଛି, ଯାହା ଶିକ୍ଷା ଗୁଣବତ୍ତା ଉପରେ ଗଭୀର ପ୍ରଭାବ ପକାଉଛି।
ତଥ୍ୟ ଅନୁଯାୟୀ, ରାଜ୍ୟରେ ଜଣେ ଶିକ୍ଷକଙ୍କୁ ୧୪୫୮ଟି ସ୍କୁଲ୍ ପରିଚାଳନା କରିବାକୁ ପଡୁଛି। ଏହି ଜଣେ ଶିକ୍ଷକଙ୍କ ସ୍କୁଲ୍ଗୁଡ଼ିକରେ ପ୍ରାୟ ୬୦,୦୦୦ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ୨୦୨୫-୨୬ ଶିକ୍ଷା ବର୍ଷରେ ଜଣେ ଶିକ୍ଷକଙ୍କ ସ୍କୁଲ୍ ସଂଖ୍ୟା ୩୬୯ ଟି ବୃଦ୍ଧି ପାଇଛି। ପୂର୍ବ ବର୍ଷ ତୁଳନାରେ ଏହା ୩୪% ବୃଦ୍ଧି ପାଇଛି।
ଏହି ତଥ୍ୟ ସ୍ପଷ୍ଟ କରୁଛି ଯେ, ରାଜ୍ୟର ବହୁ ସ୍କୁଲ୍ରେ ଶିକ୍ଷକ ଅଭାବ ଅତ୍ୟନ୍ତ ଗମ୍ଭୀର ସ୍ତରରେ ପହଞ୍ଚିଛି। ଏକାଧିକ ସ୍କୁଲ୍ ପାଇଁ ଜଣେ ଶିକ୍ଷକ ନିଯୁକ୍ତ ହେବା ଫଳରେ ଛାତ୍ରଛାତ୍ରୀଙ୍କୁ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବା କଷ୍ଟକର ହୋଇପଡ଼ୁଛି।
ଶିକ୍ଷକମାନେ କେବଳ ପାଠ ପଢ଼ାଇବା ମଧ୍ୟରେ ସୀମିତ ନଥିବା ରିପୋର୍ଟରେ ଉଲ୍ଲେଖ ଅଛି। ସେମାନେ ଏକାଧିକ କାର୍ଯ୍ୟ ସହିତ ଜଡ଼ିତ। ଯେପରିକି ଜନଗଣନା କାର୍ଯ୍ୟ, ନିର୍ବାଚନ କର୍ତ୍ତବ୍ୟ, ବିପର୍ଯ୍ୟୟ ମୁକାବିଲା (ବନ୍ୟା, ବାତ୍ୟା) ଆଦି ବିଭିନ୍ନ କାର୍ଯ୍ୟରେ ସାମିଲ୍ ହେଉଛନ୍ତି।
ଏହି ଅତିରିକ୍ତ ଦାୟିତ୍ୱ ଯୋଗୁଁ ଶିକ୍ଷାଦାନର ମୂଳ କାର୍ଯ୍ୟ ପ୍ରଭାବିତ ହେଉଛି। ଏକାଧିକ ସ୍କୁଲ୍ ପରିଚାଳନା କରୁଥିବା ଶିକ୍ଷକଙ୍କ ପାଇଁ ନିୟମିତ ପାଠ ପଢ଼ାଇବା, ଛାତ୍ରଙ୍କ ମୂଲ୍ୟାଙ୍କନ ଓ ବ୍ୟକ୍ତିଗତ ଯତ୍ନ ନେବା ପ୍ରାୟ ଅସମ୍ଭବ ହୋଇପଡ଼ୁଛି।
ଶିକ୍ଷା କ୍ଷେତ୍ରର ବିଶେଷଜ୍ଞମାନେ କହୁଛନ୍ତି ଯେ, ଏହି ସ୍ଥିତି ଦୀର୍ଘକାଳୀନ ପରିଣାମ ଆଣିପାରେ। ଛାତ୍ରଛାତ୍ରୀଙ୍କ ଶିଖିବା କ୍ଷମତା ହ୍ରାସ ପାଉଛି, ଡ୍ରପ୍ ଆଉଟ୍ ହାର ବଢ଼ୁଛି ଏବଂ ସମଗ୍ର ଶିକ୍ଷା ବ୍ୟବସ୍ଥାର ଗୁଣବତ୍ତା ପ୍ରଶ୍ନ ସାମ୍ନାରେ ଆସୁଛି। ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଗତି ଆଣିବା ଆବଶ୍ୟକ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।