CMOରୁ ଫାଇଲ୍‌ ଚୋରି ମାମଲା; ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ୍‌

ଫାଇଲ ଚୋରି କରିଥିବା ବ୍ୟକ୍ତି ଅସୁସ୍ଥ ଅଛନ୍ତି: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର, ୨୨/୦୭: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫାଇଲ୍‌ ଚୋରି ମାମଲାରେ ନବୀନଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ୍‌। ପାଣ୍ଡିଆନ୍‌ଙ୍କୁ କ୍ୟାପିଟାଲ୍‌ ଥାନା ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।

ଜୁଲାଇ ୨୫ ତାରିଖ ଦିନ ୧୧ଟାରେ ହାଜର ହେବା ପାଇଁ ନୋଟିସ୍‌ରେ ଉଲ୍ଲେଖ ରହିଛି। ଏସିପି ଜୋନ୍‌-୧ଙ୍କ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲା ସମ୍ପର୍କିତ ଡକ୍ୟୁମେଣ୍ଟ, ଇଲେକ୍ଟ୍ରୋନିକ୍‌ ଡିଭାଇସ୍‌ ଆଦି ଆଣିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ପୂର୍ବରୁ କ୍ୟାପିଟାଲ ଥାନା ୨ ପୂର୍ବତନ ଅଧିକାରୀଙ୍କୁ ନୋଟିସ୍‌ କରିଥିଲା। ତତ୍କାଳୀନ ଆଇଟି ସଚିବ ମନୋଜ ମିଶ୍ର ହାଜର ହୋଇଥିଲା ବେଳେ ଆଇଏଏସ ରାଜେଶ ବର୍ମା ହାଜର ହୋଇନାହାନ୍ତି। ଆଜି ସକାଳ ୧୧ଟା ସୁଦ୍ଧା ରାଜେଶ ହାଜର ହେବା ପାଇଁ ନୋଟିସ ଦିଆଯାଇଥିଲା।

ଅନ୍ୟପଟେ ତଦନ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅପଡେଟ୍‌ କରିଛନ୍ତି କମିଶନର। ତଦନ୍ତରେ ଅଗ୍ରଗତି ନେଇ ପୋଲିସ କମିଶନର ଓ ଡିସିପି ସୂଚନା ଦେଇଛନ୍ତି।

ସେହିପରି ଫାଇଲ ଚୋରି କରିଥିବା ବ୍ୟକ୍ତି ଅସୁସ୍ଥ ଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସୁସ୍ଥ ହେବା ପରେ ସନ୍ଦେହରେ ଥିବା ଅଫିସରଙ୍କୁ ଜେରା କରାଯିବ। ସୋପାନ ସୋପାନ ହୋଇ ତଦନ୍ତ ଜାରି ରହିଛି, ଅପରାଧୀ ନିଶ୍ଚୟ ଧରା ପଡିବେ ବୋଲି କହିଛନ୍ତି ମନ୍ତ୍ରୀ।

ସୂଚନାଯୋଗ୍ୟ, ସ୍ୱାମୀ ଲକ୍ଷ୍ଣଣାନନ୍ଦ ସରସ୍ୱତୀ ହତ୍ୟା ମାମଲା ଓ ସମ୍ ହସ୍ପିଟାଲ ନିଆଁ ମାମଲାରେ ଗଠିତ ତଦନ୍ତ କମିଶନର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗାୟବ ହୋଇଥିବା ନେଇ ତଦନ୍ତ ଚାଲିଛି।