ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ପ୍ରତିଷ୍ଠା ହେବ ୬ଟି ନୂଆ ସ୍ବତନ୍ତ୍ର କୋର୍ଟ

ଉପେକ୍ଷିତ ବର୍ଗଙ୍କ ପାଇଁ ଆଇନଗତ ସୁରକ୍ଷା ସୁଦୃଢ଼ କରିବାକୁ ବଡ଼ ପ୍ରୟାସ

ଭୁବନେଶ୍ୱର, ୨୨/୦୭: ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଶୀଘ୍ର ଆଇନଗତ ନ୍ୟାୟ ପ୍ରଦାନ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିରୋଧ) ଆଇନ, ୧୯୮୯ ଅଧୀନରେ ଆସୁଥିବା ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ଏବଂ ଦଣ୍ଡବିଧାନ ପାଇଁ ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ସଂଖ୍ୟା ୨୬୩୯୫ ଅନୁଯାୟୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ସୁପାରିଶ ଓ ସହମତି କ୍ରମେ ଏହି କୋର୍ଟଗୁଡ଼ିକ ସ୍ଥାପନ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ରାଜ୍ୟ ସରକାର ସାମାଜିକ ନ୍ୟାୟ ଓ ଶୋଷିତ ବର୍ଗର ଅଧିକାର ସୁରକ୍ଷା ପାଇଁ ସଂକଳ୍ପବଦ୍ଧତା ପ୍ରଦର୍ଶନ କରିଛନ୍ତି।

ଏହି ନୂତନ ସ୍ୱତନ୍ତ୍ର କୋର୍ଟଗୁଡ଼ିକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍-କମ୍-ସ୍ୱତନ୍ତ୍ର କୋର୍ଟ ଭାବେ କାର୍ଯ୍ୟ କରିବେ। ଏଗୁଡ଼ିକ ଭଦ୍ରକ, ଗଞ୍ଜାମ (ବ୍ରହ୍ମପୁର), ଯାଜପୁର, କେନ୍ଦ୍ରାପଡ଼ା, ଓ ପୁରୀ ରାଜସ୍ୱ ଜିଲ୍ଲା ଏବଂ ଖୋର୍ଦ୍ଧା ରାଜସ୍ୱ ସବ-ଡିଭିଜନ୍ ପରିସୀମା ମଧ୍ୟରେ କାର୍ଯ୍ୟକାରୀ ହେବ। ଏହି କୋର୍ଟଗୁଡ଼ିକ ପ୍ରତିଷ୍ଠା ହେବା ଦ୍ୱାରା ବହୁ ଦିନରୁ ପଡ଼ିରହିଥିବା ମାମଲାଗୁଡ଼କର ତ୍ୱରିତ ନିଷ୍ପତ୍ତି ହୋଇପାରିବ।

ପୋଲିସ ମୁଖ୍ୟାଳୟର ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍ (SHRPC) ର ନିରନ୍ତର ସମୀକ୍ଷା ଓ ପ୍ରୟାସ ଫଳରେ ଏହି ପ୍ରସ୍ତାବ ସାକାର ହୋଇପାରିଛି। ଏଡିଜିପି ଶ୍ରୀ ଯତୀନ୍ଦ୍ର କୋୟଲଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ  ପ୍ରଚେଷ୍ଟା ବଳରେ ପେଣ୍ଡିଂ ମାମଲାର ସଠିକ୍ ଆକଳନ କରାଯାଇ ଗୃହ ବିଭାଗ ମାଧ୍ୟମରେ ହାଇକୋର୍ଟଙ୍କ ଆବଶ୍ୟକୀୟ ସ୍ୱୀକୃତି ହାସଲ କରାଯାଇପାରିଛି।

ଏହି ଆନୁଷ୍ଠାନିକ ବିଜ୍ଞପ୍ତି ପରେ, ଗୃହ ବିଭାଗ ପକ୍ଷରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କୁ ଏହି ନୂତନ କୋର୍ଟଗୁଡ଼ିକ ପାଇଁ ବିଚାରପତି ନିଯୁକ୍ତ କରିବାକୁ ଅନୁରୋଧ କରାଯାଇଛି। ଏହା ସହିତ ଅଧିକ ମାମଲା ପେଣ୍ଡିଂ ଥିବା ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଆଗାମୀ ଦିନରେ ଏହିପରି ସ୍ୱତନ୍ତ୍ର କୋର୍ଟ ଓ ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତି ନେଇ ସରକାର ବିଚାର କରୁଛନ୍ତି।