ସରକାରୀ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟ ସମୀକ୍ଷା କଲେ ଶିଳ୍ପ ମନ୍ତ୍ରୀ

ଦକ୍ଷତା ଅଭାବ ଦୂର କରିବାରେ ଆଇଟିଆଇ ଓ ପଲିଟେକ୍ନିକ୍ ର ଭୂମିକା ଗୁରୁତ୍ୱପୂର୍ଣ୍ଣ: ମନ୍ତ୍ରୀ ଶ୍ରୀ ସ୍ୱାଇଁ

ଭୁବନେଶ୍ୱର, ୨୨/୦୭: ଓଡ଼ିଶାର ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆଜି ଭୁବନେଶ୍ୱରସ୍ଥିତ SCTE&VT ଠାରେ ରାଜ୍ୟର ସରକାରୀ ଆଇଟିଆଇ ଓ ପଲିଟେକ୍ନିକ୍‌ଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହି ବୈଠକରେ ରାଜ୍ୟର ୭୨ଟି ସରକାରୀ ଆଇଟିଆଇ ଏବଂ ୩୫ଟି ସରକାରୀ ପଲିଟେକ୍ନିକ୍‌ର ଅଧ୍ୟକ୍ଷମାନେ ଯୋଗ ଦେଇ ବୈଷୟିକ ଶିକ୍ଷାର ମାନ ବଢ଼ାଇବା ଉପରେ ଆଲୋଚନା କରିଥିଲେ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ଆଇଟିଆଇ ଓ ପଲିଟେକ୍ନିକ୍ ଗୁଡ଼ିକ ଓଡ଼ିଶାର ଶିଳ୍ପ ଓ ଅର୍ଥନୈତିକ ବିକାଶର ମୁଖ୍ୟ ଆଧାର। ବଦଳୁଥିବା ଶିଳ୍ପ ଜଗତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନଗୁଡ଼ିକର ଆଧୁନିକୀକରଣ ଏବଂ ନୂଆ କୌଶଳ ଆପଣାଇବା ଜରୁରୀ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଏହି ବୈଷୟିକ ଅନୁଷ୍ଠାନଗୁଡ଼ିକର ସମଗ୍ର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ପାଠପଢ଼ାର ମାନ ବଢ଼ାଇ ଛାତ୍ରଛାତ୍ରୀଙ୍କୁ ଶିଳ୍ପ-ଉପଯୋଗୀ କରି ଗଢ଼ିତୋଳିବାକୁ ସେ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇଥିଲେ।

ଏହାସହ ମନ୍ତ୍ରୀ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇ କହିଥିଲେ ଯେ, ଆଇଟିଆଇ ଓ ପଲିଟେକ୍ନିକ୍‌ରେ ଯେପରି କୌଣସି ସିଟ୍ ଫାଙ୍କା ନରହେ ସେଥିପାଇଁ ସମସ୍ତେ ଚେଷ୍ଟିତ ହେବା ଦରକାର। ଛାତ୍ରୀ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ବିଶେଷ ଭାବେ ଅନ୍ନୁନତ ଜନଜାତି ଛାତ୍ରଛାତ୍ରୀଙ୍କ ନାମଲେଖା ବୃଦ୍ଧି କରାଯାଉ। ପାଠପଢ଼ା ମଝିରୁ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବା ନେଇ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ପ୍ଲେସମେଣ୍ଟ (ଚାକିରି ସୁଯୋଗ) ବୃଦ୍ଧି କରାଯାଉ।

ଓଡ଼ିଶାର ଶିଳ୍ପଗୁଡ଼ିକର ଭବିଷ୍ୟତ ଦକ୍ଷ ଯୁବପିଢ଼ିଙ୍କ ଉପରେ ନିର୍ଭର କରେ। ଆଇଟିଆଇ ଏବଂ ପଲିଟେକ୍ନିକ୍‌ଗୁଡ଼ିକ ଉତ୍ତମ ପେସାଦାର ବ୍ୟକ୍ତି ତିଆରି କରୁଥିବା ଉତ୍କର୍ଷ କେନ୍ଦ୍ର ହେବା ଉଚିତ, ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।

ଏହି ବୈଠକରେ ତାଲିମର ଗୁଣବତ୍ତା, ଶିଳ୍ପ ସଂସ୍ଥାଙ୍କ ସହ ସହଯୋଗ, ପ୍ଲେସମେଣ୍ଟ ଓ ଅନୁଷ୍ଠାନର ସୁବିଧାସୁଯୋଗର ସଠିକ୍ ବ୍ୟବହାର ଉପରେ ଆଲୋଚନା ହୋଇଥିଲା।

ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଶ୍ରୀ ଚକ୍ରବର୍ତ୍ତୀ ସିଂହ ରାଠୋର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।