କଲ୍ୟାଣସିଂହପୁର, ୨୩/୭ (ନରସିଂହ ନାଥ ମହାପାତ୍ର): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ହିରସୁଳି ଗ୍ରାମରେ ବୁଧବାର ରାତିରେ ଜଣେ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ଡ ଯୋଗୁଁ ସମଗ୍ର ଗ୍ରାମରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଟାଙ୍ଗିଆରେ ଆକ୍ରମଣ କରିବା ସହ ବିଭିନ୍ନ ଘରର କବାଟ, କାନ୍ଥ, ଛପର ଓ ସିଟ୍ ଭାଙ୍ଗି କ୍ଷତିଗ୍ରସ୍ତ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ଆଜି ପୋଲିସ ଅଭିଯୁକ୍ତକୁ କେସ ନମ୍ବର ୮୯/୨୬ ଦଫା ୧୨୬(୨), ୧୧୫(୨), ୧୧୮(୧), ୧୦୯(୧)ରେ ୨୬ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।
ସୂଚନା ଅନୁଯାୟୀ, ହିରସୁଳି ଗ୍ରାମର ଜୟସିଂ ମାଞ୍ଜିକା (୪୨)। ଯିଏ ମାନସିକ ଅସୁସ୍ଥତାରେ ପୀଡ଼ିତ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବୁଧବାର ରାତି ପ୍ରାୟ ୯ଟା ସମୟରେ ହଠାତ୍ ଟାଙ୍ଗିଆ ଧରି ଗ୍ରାମର ବିଭିନ୍ନ ଘରକୁ ପଶି ଭଙ୍ଗାରୁଜା କରିଥିଲେ। ଏହାପରେ ସେ ରଘୁନାଥ କାଡ୍ରାକା (୪୬)ଙ୍କ ଘରେ ପଶି ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରଘୁନାଥଙ୍କ ମୁଣ୍ଡ ସମେତ ଶରୀରର ଅନେକ ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ବେଳେ ଚରଣ କାଡ୍ରାକା ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ରଘୁନାଥଙ୍କ ପୁଅ ମନୋଜ କାଡ୍ରାକା କଲ୍ୟାଣ ସିଂହପୁର ଥାନାରେ ଲିଖିତ ଦେଉଥିଲେ। ଘଟଣା ପରେ ଗ୍ରାମବାସୀ କଲ୍ୟାଣସିଂହପୁର ଥାନାକୁ ସୂଚନା ଦେଇଥିଲେ। ଥାନା ଅଧିକାରୀ ଅଜିତ ପରିଡାଙ୍କ ସହ ପୋଲିସ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ସେତେବେଳେ ତାଙ୍କୁ ପାଇନଥିଲେ। ପରଦିନ ସକାଳେ ପରିବାର ଲୋକେ ଜଇସିଂ ମାଞ୍ଜିକାଙ୍କୁ ଦାଣ୍ଡପିଣ୍ଡାରେ ବାନ୍ଧି ରଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଥାନାକୁ ପଚରାଉଚରା ପରେ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।
ଅନ୍ୟପକ୍ଷରେ, ଗୁରୁତର ଆହତ ରଘୁନାଥ କାଡ୍ରାକାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପରବର୍ତ୍ତୀ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ହିରସୁଳି ଗ୍ରାମରେ କିଛି ସମୟ ପର୍ଯ୍ୟନ୍ତ ଭୟ ଓ ଆତଙ୍କର ପରିବେଶ ଲାଗି ରହିଥିଲା।