କଲ୍ୟାଣସିଂହପୁର, ୨୪/୦୭(ନିପ୍ର): ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରଠାରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ମହାଆଡମ୍ବରରେ ହୋଇଯାଇଛି। ଶନିବାର ଦିନ ହରିଶୟନ ଏକାଦଶୀ ହେଉଥିବାରୁ ରଥରେ ଦୁଇ ଦିନ ଧରି ଶ୍ରୀଜିଉ ରହି ଭକ୍ତଙ୍କୁ ଦର୍ଶନ ଦେବେ। ଏହା ପରେ ଶ୍ରୀଜିଉଙ୍କୁ ଶ୍ରମନ୍ଦିରରେ ପ୍ରବେଶ କରାଯିବ ବୋଲି ମନ୍ଦିରରେ ପରିଚାଳନା କମିଟି ପକ୍ଷରୁ ଜଣାପଡିଛି।
ଆଜି ଶୁକ୍ରବାର ଦିନ ସେବାୟତ ମାନେ ସକାଳୁ ଜୀଉଙ୍କୁ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ଶ୍ରୀ ଜଗନ୍ନାଥଙ୍କୁ ବୌଦ୍ଧ ଅବତାରରେ ସୁସଜ୍ଜିତ କରି ଧୂପଦୀପ ନୈବେଦ୍ୟ ଲାଗି କରିବା ପରେ ଦୁଆର ଫିଟାଯାଇଥିଲା। ଶ୍ରୀ ଜଗନ୍ନାଥଙ୍କ ବୌଦ୍ଧ ଅବତାର ଦେଖିବା ପାଇଁ ସକାଳୁ ପାଗ ମେଘୁଆ ହୋଇଥିଲେ ମଧ୍ୟ ବହୁ ଭକ୍ତଙ୍କ ଭିଡ଼ ଲାଗି ଥିବା ଦେଖିବାକୁ ମିଳିଛି। ଏହି ଅବସରରେ କମିଟି ତରଫରୁ ଶ୍ରୀ ଜୀଉଙ୍କୁ ଖେଚଡ଼ି ଭୋଗ ଲାଗି କରିବା ପରେ ଉକ୍ତ ଭୋଗକୁ ବିକ୍ରି କରିଥିଲେ।ସେବାୟତ ମାନେ ମଧ୍ୟାହ୍ନରେ ପୁଣି ଶ୍ରୀ ଜୀଉଙ୍କୁ କଳଙ୍କି ଅବତାରରେ ସୁସଜିତ କରିଥିଲେ।

ଅପରାହ୍ନ ରେ ଖରା ହେବା ପରେ ଶ୍ରୀ ଜୀଉଙ୍କ ଗୋଟି ପହଣ୍ଡି କରି ରଥାରୂଢ କରିଥିଲେ । ୫ ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ କରିଥିଲେ । ଶ୍ରୀ ଜଗନ୍ନାଥ ବଳଭଦ୍ର, ମାଆ ସୁଭଦ୍ରା ଓ ପତିତପାବନ ଗୁଣ୍ଡିଚା ମନ୍ଦିର ରେ ନଅ ଦିନ ଧରି ରହି ସେହିଠାରେ ଶ୍ରୀ ଜଗନ୍ନାଥ ମତ୍ସ୍ୟ , କଚ୍ଛପ, ବରାହ, ନରସିଂହ, ବାମନ, ପର୍ଶୁରାମ, ରାମ ବଳରାମ,ବୌଦ୍ଧ ଅବତାର ଧାରଣ କରିବା ପରେ କଳଙ୍କି ଅବତାରେ ଶ୍ରୀମନ୍ଦିରକୁ ଫେରିଥିଲେ । ଏଅବସରରେ ବିଭିନ୍ନ ପ୍ରକାରର ଦୋକାନ ବଜାର ବସାଯାଇଥିଲା ।ପୁଲିସ, ଜବାନ ସମେତ ଅଗ୍ନିଶମ ବିଭାଗ କର୍ମଚାରୀ ମିଳିତରେ ଟ୍ରାଫିକ ନିୟନ୍ତ୍ରଣ କରିବା ସହ ପହଣ୍ଡି ଠାରୁ ରଥ ଟଣା ପର୍ଯ୍ୟନ୍ତ ରହି ସମସ୍ତ କାର୍ଯ୍ୟ ତୁଲାଇଥିଲେ। ସ୍ୱାସ୍ଥ୍ୟ ବିଭାଗ ଓ ପଞ୍ଚାୟତ ପକ୍ଷରୁ ରଥ ଯାତ୍ରା ପଡିଆରେ ବ୍ଲିଚିଙ୍ଗ ପକାଇଥିଲେ। ଏଥିରେ ତହସିଲକାର୍ଯ୍ୟାଳୟ ବିଦ୍ୟୁତ ବିଭାଗ ଓ ଡ୍ରାଇଭର ସଙ୍ଘର କର୍ମଚାରୀ ମାନେ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ।
ଶେଷ ଯାତ୍ରା ଦିନ ଆଦିବାସୀ ଓ ଡ଼ମ୍ବ ସମ୍ପ୍ରଦାୟର ସମସ୍ତ ପରିବାରର ଲୋକମାନେ ପୂର୍ବପୁରୁଷରୁ ଚାଲିଆସୁଥିବା ପରମ୍ପରାକୁ ବଜାଇରଖିଛନ୍ତି। ଆଗକୁ ମଧ୍ୟ ଉକ୍ତ ପରମ୍ପରା ବଜାଇ ରଖିବା ପାଇ ଯୁବ ପୀଡିକୁ ପ୍ରେରଣା ଦେଇଛନ୍ତି। ପିତୃପୁରୁଷ ମାନେ ଶ୍ରୀ ଜିଉଙ୍କ ବାହୁଡା ଯାତ୍ରା ଦେଖିବା ପାଇ ଯାଉଛନ୍ତି ବୋଲି ବିଶ୍ୱାସ ରଖି ପ୍ରତ୍ୟେକ ଘରେ ରୀତିନୀତି ଅନୁଯାୟୀ ବିଭିନ୍ନ ପ୍ରକାରର ପିଠା, ପଣା, ଖିରି, ପୁଳି, ନଡ଼ିଆ, କଦଳୀ କରି ଭୋଗ କରିଥାନ୍ତି। ଏହି ଅବସରରେ କିଛି ଆଦିବାସୀ ମାନେ ପଶୁ ଯଥା କୁକୁଡ଼ା, ଛେଳି ବଳି ମଧ୍ୟ ଦେଇ ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ କରିଥାନ୍ତି। ଏହି ରଥଯାତ୍ରା, ଶିବରାତ୍ରି ଯାତ୍ରାରେ ନିୟମଗିରି ଡ଼ଙ୍ଗରିଆ ମାନେ ମଧ୍ୟ କନ୍ୟା ଝିଙ୍କା ପ୍ରଥା ରହିଛି।