NLC ତଲବୀରା ଖଣିର ପ୍ରଦୂଷଣ ଯୋଗୁଁ ସଙ୍କଟରେ ପବିତ୍ର ଏକନଗୁଡ଼ି ଜଳସ୍ରୋତ

ସରଜମିନ ତଦନ୍ତ କଲେ ଜିଲ୍ଲାପାଳ

ଝାରସୁଗୁଡ଼ା, ୨୫/୦୭: ଶିଳ୍ପାୟନର ଚାପ ମଧ୍ୟରେ ପ୍ରାକୃତିକ ସମ୍ପଦ ଓ ଜନଜୀବନର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ପତ୍ରାପାଲି ଗ୍ରାମର ଐତିହାସିକ ଓ ପବିତ୍ର ଏକନଗୁଡ଼ି ପ୍ରାକୃତିକ ଜଳସ୍ରୋତ NLC ତଲବୀରା–୨ ଓ ୩ କୋଇଲା ଖଣିରୁ ନିର୍ଗତ କୋଇଲା ଧୂଳି, ବର୍ଜ୍ୟବସ୍ତୁ ଓ ପ୍ରଦୂଷିତ ପାଣି ଯୋଗୁଁ ଦୂଷିତ ହୋଇଥିବା ଅଭିଯୋଗକୁ କେନ୍ଦ୍ର କରି ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ଶ୍ରୀ କଙ୍ଗଲା ମାଞ୍ଜୀ ଆଦିବାସୀ କଲ୍ୟାଣ ସମିତି ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, ଖଣି ଅଞ୍ଚଳରୁ ନିର୍ଗତ କୋଇଲା ଗୁଣ୍ଡ ଓ ବର୍ଜ୍ୟବସ୍ତୁ ବର୍ଷାଜଳ ସହ ପ୍ରାକୃତିକ ଜଳସ୍ରୋତରେ ମିଶି ଏହାର ଜଳର ଗୁଣବତ୍ତାକୁ ଗୁରୁତର ଭାବେ ପ୍ରଭାବିତ କରୁଛି। ଫଳରେ ଜଳସ୍ରୋତର ପାଣି କଳା ଓ ଦୂଷିତ ହୋଇପଡ଼ିଥିବାରୁ ଏହା ଆଉ ପାନୀୟ କିମ୍ବା ନିତ୍ୟ ବ୍ୟବହାର ପାଇଁ ଉପଯୋଗୀ ରହିନାହିଁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏକନଗୁଡ଼ି କେବଳ ଏକ ଜଳସ୍ରୋତ ନୁହେଁ; ଏହା ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଆସ୍ଥା, ପରମ୍ପରା ଓ ସଂସ୍କୃତିର ଅବିଚ୍ଛିନ୍ନ ଅଂଶ। ବିଭିନ୍ନ ପାରମ୍ପରିକ ପୂଜାପାଠ, ସାମାଜିକ ରୀତିନୀତି ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ଏହି ଜଳ ବ୍ୟବହୃତ ହୋଇଆସୁଛି। ବର୍ତ୍ତମାନ ପ୍ରଦୂଷଣ ଯୋଗୁଁ ସେହି ପରମ୍ପରା ମଧ୍ୟ ପ୍ରଭାବିତ ହେଉଛି। ଏହା ସହିତ ଜଙ୍ଗଲର ବନ୍ୟଜନ୍ତୁମାନେ ମଧ୍ୟ ଏହି ଜଳସ୍ରୋତ ଉପରେ ନିର୍ଭରଶୀଳ ଥିବାରୁ ସେମାନଙ୍କ ଅସ୍ତିତ୍ୱ ମଧ୍ୟ ବିପଦରେ ପଡ଼ିଥିବା ଅଭିଯୋଗ କରାଯାଇଛି।

ଅଭିଯୋଗର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ୱାଣ ସ୍ୱୟଂ ଘଟଣାସ୍ଥଳକୁ ଯାଇ ଜଳସ୍ରୋତର ସ୍ଥିତି ଅନୁଧ୍ୟାନ କରିଥିଲେ। ସେ ଜଳସ୍ରୋତର ତୁରନ୍ତ ସଫେଇ, ପ୍ରଦୂଷଣର ଉତ୍ସ ଚିହ୍ନଟ, ବୈଜ୍ଞାନିକ ଭାବେ ଜଳର ଗୁଣବତ୍ତା ପରୀକ୍ଷା ଏବଂ ପରିବେଶ ସୁରକ୍ଷା ନିୟମ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସମ୍ପୃକ୍ତ କମ୍ପାନୀ ଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଘଟଣାର ସମସ୍ତ ଦିଗର ତଦନ୍ତ କରି ଯଦି କୌଣସି ନିୟମ ଉଲ୍ଲଂଘନ ହୋଇଥାଏ, ତେବେ ପ୍ରଚଳିତ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ମଧ୍ୟ କହିଥିଲେ।

ପରିଦର୍ଶନ ସମୟରେ ଜିଲ୍ଲାପାଳ ସ୍ଥାନୀୟ ଆଦିବାସୀ ପ୍ରତିନିଧି ଓ ଗ୍ରାମବାସୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଦାବି ଶୁଣିଥିଲେ। ଗ୍ରାମବାସୀ ଦାବି କରିଥିଲେ ଯେ, ପ୍ରଦୂଷିତ ଜଳସ୍ରୋତର ପୁନରୁଦ୍ଧାର, ବିକଳ୍ପ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ପରିବେଶ କ୍ଷୟକ୍ଷତିର ସ୍ୱାଧୀନ ତଦନ୍ତ ଏବଂ ଯଦି କୌଣସି ସଂସ୍ଥାର ଦାୟିତ୍ୱ ପ୍ରମାଣିତ ହୁଏ ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ।

ଜିଲ୍ଲାପାଳ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ପରିବେଶ ସୁରକ୍ଷା ଓ ଲୋକଙ୍କ ସ୍ୱାର୍ଥରେ କୌଣସି ପ୍ରକାରର ଅବହେଳାକୁ ପ୍ରଶ୍ରୟ ଦିଆଯିବ ନାହିଁ। ଘଟଣାର ନିରପେକ୍ଷ ତଦନ୍ତ କରାଯିବ ଏବଂ ଆବଶ୍ୟକ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ।

ତେବେ ଏହି ଘଟଣାକୁ ନେଇ NLC ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହି ।