ବାହୁଡ଼ା ଯାତ୍ରାରେ ଉତ୍ସବମୁଖର ପାତ୍ରପୁର ଅଞ୍ଚଳ

ସାରଥୀଧାମ ଜରଡ଼ାରେ ରଥଟଣା, ଆନ୍ଧ୍ର ଓ ପାହାଡ଼ିଆ ଅଞ୍ଚଳରୁ ଭକ୍ତଙ୍କ ଭିଡ଼

ପାତ୍ରପୁର, ୨୫/୭ (ସୁରେଶ କୁମାର ପଟ୍ଟନାୟକ): ପାତ୍ରପୁର ବ୍ଲକର ପ୍ରସିଦ୍ଧ ସାରଥୀଧାମ ଜରଡ଼ାରେ ପବିତ୍ର ବାହୁଡ଼ା ଯାତ୍ରା ଶ୍ରଦ୍ଧା ଓ ଭକ୍ତିଭାବର ସହ ଅନୁଷ୍ଠିତ ହୋଇଛି। ସକାଳୁ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ସମ୍ପନ୍ନ ହେବା ପରେ ପ୍ରଭୁ ଜଗନ୍ନାଥ ଓ ସାରଥୀ ଗୋସାଇଁଙ୍କୁ ପାରମ୍ପରିକ ପହଣ୍ଡିରେ ରଥାରୂଢ଼ କରାଯାଇଥିଲା। ଛେରା ପହଁରା ନୀତି ପରେ ହଜାର ହଜାର ଭକ୍ତ ରଥ ଟାଣି ପ୍ରଭୁଙ୍କ ପ୍ରତି ନିଜର ଅଗାଧ ଭକ୍ତି ପ୍ରକାଶ କରିଥିଲେ।

ରଥଟଣା ସମୟରେ ହରିବୋଲ ଧ୍ୱନି ସହ ଭେରି, ତୂରୀ, ଶଙ୍ଖ ଓ କାହାଳୀର ନାଦରେ ସମଗ୍ର ରଥଦାଣ୍ଡ ମୁଖରିତ ହୋଇଉଠିଥିଲା। ବିଭିନ୍ନ ଗ୍ରାମରୁ ଆସିଥିବା ସଙ୍କୀର୍ତ୍ତନ ଦଳ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ। ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା।

ଯାତ୍ରାକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ଆୟୋଜକ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସ୍ୱେଚ୍ଛାସେବୀମାନେ ଭିଡ଼ ନିୟନ୍ତ୍ରଣ, ରଥଟଣା ଏବଂ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ ସହଯୋଗ କରିଥିବା ବେଳେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଜରଡ଼ା ଥାନା ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

ପାତ୍ରପୁର ବ୍ଲକର ତୁମ୍ବା, ନୂଆଗଡ଼, ପଦାଦିଗି, ଜୟନ୍ତୀପୁର, ଭ୍ରମରପୁର, ଗୋପୀନାଥପୁର ଓ ସୁରଙ୍ଗୀଗଡ଼ ସମେତ ବିଭିନ୍ନ ଅଞ୍ଚଳରେ ମଧ୍ୟ ବାହୁଡ଼ା ଯାତ୍ରାକୁ ନେଇ ଉତ୍ସବମୁଖର ପରିବେଶ ଦେଖାଯାଇଥିଲା। ସୁରଙ୍ଗୀଗଡ଼ରେ ପହଣ୍ଡିବିଜେ ସମ୍ପନ୍ନ ହୋଇଥିବା ବେଳେ ପରଦିନ ରଥଟଣା କାର୍ଯ୍ୟକ୍ରମ ହେବ ବୋଲି ଜଣାପଡ଼ିଛି। ପାତ୍ରପୁର ରେ ମଧ୍ୟ ବାହୁଡ଼ା ଯାତ୍ରା ପାରମ୍ପରିକ ନୀତି ନିୟମ ଅନୁସାରେ ସମ୍ପାଦିତ ହୋଇଛି। ଓଡ଼ିଶା ବିଧାନସଭା ର ମାନ୍ୟବର ଚିକିଟି ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଏବଂ ପୂର୍ବତନ ଓଡ଼ିଶା ବିଧାନସଭା ର ବାଚସ୍ପତି ଶ୍ରୀଯୁକ୍ତ ଚିନ୍ତାମଣି ଦ୍ୟାନ ସାମନ୍ତରା ଙ୍କ ଉପସ୍ଥିତିରେ ବାହୁଡ଼ା ଯାତ୍ରା ସମାପନ ହୋଇଥିଲା।

ବାହୁଡ଼ା ଯାତ୍ରା ଅବସରରେ ବିଭିନ୍ନ ସ୍ଥାନରେ ଭଜନ, ସଙ୍କୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆନ୍ଧ୍ର ପ୍ରଦେଶ ସମେତ ପାହାଡ଼ିଆ ଅଞ୍ଚଳର ବହୁ ଆଦିବାସୀ ପରିବାର ଏହି ଯାତ୍ରାରେ ଯୋଗଦେଇ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ସମଗ୍ର ପାତ୍ରପୁର ଅଞ୍ଚଳ ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଅପୂର୍ବ ସମନ୍ୱୟରେ ଉତ୍ସବମୁଖର ହୋଇଉଠିଥିଲା।