କ୍ୟାଚ୍ ଦ ରେନ୍ ଅଭିଯାନରେ ଭୁବନେଶ୍ବରକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି
‘ମନ କି ବାତ୍’ରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର, ୨୬/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ୧୩୬ତମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ବର୍ଷା ଜଳ ସଂରକ୍ଷଣ ଅଭିଯାନ ‘କ୍ୟାଚ୍ ଦ ରେନ୍’ର ପ୍ରଶଂସା କରିଛନ୍ତି। ଏହି ଅଭିଯାନରେ ରାଜଧାନୀ ଭୁବନେଶ୍ୱରର ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଏବଂ ସଫଳତାକୁ ବିଶେଷ ଭାବେ ଉଲ୍ଲେଖ କରିଛନ୍ତି। ଜୁଲାଇ ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ବର୍ଷା ପାଣି ସଂରକ୍ଷଣକୁ ଏକ ବ୍ୟାପକ ଜନ ଆନ୍ଦୋଳନରେ ପରିଣତ କରିବା ଲକ୍ଷ୍ୟ ରଖିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗାଁ ହେଉ କି ସହର, ସାମାଜିକ ସଂଗଠନ, ସ୍ଥାନୀୟ ପ୍ରଶାସନ ଏବଂ ସାଧାରଣ ଜନତା ସମସ୍ତେ ଅତ୍ୟନ୍ତ ଉତ୍ସାହର ସହିତ ଏହି ଅଭିଯାନରେ ଯୋଗ ଦେଇଛନ୍ତି।ଭୁବନେଶ୍ୱରରେ ଅଭିଯାନର ପରିଣାମ ଅତ୍ୟନ୍ତ ଉତ୍ସାହପ୍ରଦ। ଏଠାରେ ବର୍ଷାଜଳ ସଂରକ୍ଷଣ, ଭୂତଳ ଜଳ ପୁନଃଚାର୍ଜ ଏବଂ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ପୁରୁଣା ପୋଖରୀ, କୂଅ ଏବଂ ପ୍ରାକୃତିକ ଜଳସ୍ରୋତଗୁଡ଼ିକୁ ସଂରକ୍ଷଣ ଏବଂ ପୁନର୍ଜୀବିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଛତିଶଗଡ଼ର କୋର୍ବା ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟ ଏହି ଅଭିଯାନ ସଫଳତାର ସହିତ ଆଗକୁ ବଢ଼ୁଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଆଜି ଯେଉଁ ପାଣି ଆମେ ସଂରକ୍ଷଣ କରୁଛୁ, ସେହି ପାଣି ଆଗାମୀ ପିଢ଼ିଙ୍କ ପାଇଁ ଅମୂଲ୍ୟ ସମ୍ପଦ ହୋଇ ରହିବ।”ଏହି ଅଭିଯାନ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ମଧ୍ୟ ନୂତନ ପ୍ରେରଣା ଦିଆଯାଉଛି। ଜଳ ସଂରକ୍ଷଣ ଏବଂ ବନ୍ୟାଜ ବୃଦ୍ଧିକୁ ଏକାସାଙ୍ଗରେ ନେଇ ପରିବେଶ ସନ୍ତୁଳନ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
କାର୍ଗିଲ୍ ବିଜୟ ଦିବସରେ ଶହୀଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି:-
‘ମନ କି ବାତ୍’ରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି କାର୍ଗିଲ୍ ବିଜୟ ଦିବସ ଉପଲକ୍ଷେ ଦେଶର ବୀର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଦିନ ଦେଶବାସୀଙ୍କ ମନରେ ଗର୍ବର ଭାବନା ସୃଷ୍ଟି କରେ ବୋଲି ସେ କହିଛନ୍ତି। “ଦେଶ କାର୍ଗିଲ୍ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ପାଖରେ ଋଣୀ। ସେମାନଙ୍କ ବଳିଦାନକୁ ଆମେ କେବେ ଭୁଲିପାରିବୁ ନାହିଁ,” ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଦେଶର ସୁରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ବଢ଼ାଇବା ଏବଂ ସଶକ୍ତ ସେନା ଗଠନ ପାଇଁ କେନ୍ଦ୍ର ସରକାରର ପ୍ରୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।