ସ୍ତ୍ରୀ ଆଗରେ ସ୍ୱାମୀକୁ ହତ୍ୟା

ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

ଜୟପାଟଣା, ୨୬/୦୭ (ଅସରଫ ଅଲ୍ଲୀ): ଜୟପାଟଣା ଥାନା କୁମଜୋର ଗ୍ରାମଠାରେ ଜମିବାଡ଼ି ବିବାଦ କୁ ନେଇ ଏକ ଅଭାବନୀୟ କାଣ୍ଡ ଘଟି ଯାଇଛି। ପ୍ରାୟ ସାତ ବର୍ଷ ଧରି ଜମିବାଡ଼ି ଭାଗ ବଣ୍ଟା କୁ ନେଇ ସୂବେଶ୍ୱର ଶବର ଓ ଜଗନ୍ନାଥ ଶବର ଙ୍କ ପରିବାର ମଧ୍ୟରେ ମାଳି ମୋକଦ୍ଦମା ଚାଲିରହିଥିବା ବେଳେ ଇତିମଧ୍ୟରେ ଏହା ଉଗ୍ରରୂପ ନେଇ ଥିଲା।

୨୪ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ସୂବେଶ୍ୱର ଶବର ଓ ତାଙ୍କ ସ୍ତ୍ରୀ ସତ୍ୟ ଶବର ବିଳକମ ସାରି ଘରକୁ ଫେରୁଥିବା ସମୟରେ ବିଲ ମଝି ରେ ଜଗନ୍ନାଥ ଶବର ଓ ତାଙ୍କ ପୁଅ ଦିଶେଶ୍ୱର ଶବର ଏକ ଧରୁଆ ଅସ୍ତ୍ର ଓ ଠେଙ୍ଗା ରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ସୂବେଶ୍ୱର ଶବରଙ୍କୁ ମୃତ ଘୋଷଣା କରିଥିଲେ।

ମୃତକଙ୍କ ପତ୍ନୀ ସତ୍ୟ ଶବରଙ୍କ ଏତଲା ଅନୁଯାୟୀ ଜୟପାଟଣା ପୋଲିସ ଶବ ଜବତ କରିବା ସହ ଜଗନ୍ନାଥ ଶବର ଓ ଦିଶେଶ୍ୱର ଶବରଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ମୃତକ ସୂବେଶ୍ୱର ଏକମାତ୍ର ଘରର ରୋଜଗାର କ୍ଷମ ବ୍ୟକ୍ତି ଥିବାବେଳେ ତାଙ୍କ ଆବର୍ତ୍ତମାନରେ ଦୁଇ ନାବାଳିକା ଓ ବିଧବା ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଛନ୍ତି।