ଓଡ଼ିଶା ଓ କିଟ-କିସରୁ ମଧୁର ଅନୁଭୂତି ନେଇ ଫେରିଲେ ଇଣ୍ଡିଆ ଟ୍ରେକ୍‍ ପ୍ରତିନିଧି ମଣ୍ଡଳ

ବିଭିନ୍ନ ବିଶ୍ୱବିଦ୍ୟାଳୟର ୨୮ଜଣ ଛାତ୍ରଛାତ୍ରୀ ପ୍ରତିନିଧିମଣ୍ଡଳରେ ସାମିଲ ଥିଲେ

ଭୁବନେଶ୍ୱର, ୧୧/୦୮: ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ୍ କ୍ୟୁନି କ୍ରେଷ୍ଟ ଇନଷ୍ଟିଚ୍ୟୁଟ’ (ଏଏସଆଇଆଇସିସିଆଇ) ମାଧ୍ୟମରେ ଆମେରିକାର ସିଟି ୟୁନିଭରସିଟି ଅଫ୍‍ ନ୍ୟୁୟର୍କ (କ୍ୟୁନି ବିଶ୍ୱବିଦ୍ୟାଳୟ)ରୁ ୩୮ ଜଣିଆ ପ୍ରତିନିଧିମଣ୍ଡଳ ଇତି ମଧ୍ୟରେ କିଟ୍‍ ଓ କିସ୍‍ ପରିଦର୍ଶନ ପରେ ମଧୁର ସ୍ମୃତି ନେଇ ଫେରିଯାଇଛନ୍ତି। ସେଥିମଧ୍ୟରୁ ୧୦ଜଣ ବିଶିଷ୍ଟ ପ୍ରଫେସର ହୋଇଥିବା ବେଳେ ୨୮ଜଣ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ପ୍ରତିନିଧିମଣ୍ଡଳରେ ସାମିଲ ହୋଇଥିଲେ।

ଦୀର୍ଘ ୧୫ ଦିନ ରହଣି ମଧ୍ୟରେ ସେମାନେ ଏଠାରେ କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀଙ୍କ ସହ ମତ ଓ ଶିକ୍ଷା ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶେଷ ଦିନରେ ସେମାନେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହ କିଟ୍‍ ଓ କିସ୍‍ ରେ ସେମାନଙ୍କ ଅଭିଜ୍ଞତା ବଖାଣି ଥିଲେ । କିଟ୍‍ ଓ କିସ୍‍ର ଶିକ୍ଷା ପରିବେଶ ଓ ଭିତ୍ତିଭୂମି ଦେଖି ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏହା ସହ ସେମାନଙ୍କୁ ମିଳିଥିବା ଆତିଥେୟତା ଓ ଆତ୍ମୀୟତା କେବେ ଭୁଲି ପାରିବେ ନାହିଁ ବୋଲି କହିଥିଲେ। ଏଭଳି ପ୍ରୟାସ ପାଇଁ ସେମାନେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

‘ଇଣ୍ଡିଆଟ୍ରେକ୍‌’ ମାଧ୍ୟମରେ ପ୍ରତିବର୍ଷ କିଟ୍‍ ଓ କିସ୍‍ ପକ୍ଷରୁ ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ଏକ ଭିନ୍ନ ପ୍ରୟାସ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀମାନେ ଓଡ଼ିଶାର ସଂସ୍କୃତି, ଐତିହ୍ୟ, ଖାଦ୍ୟ, ପରମ୍ପରା ଓ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସଂପର୍କରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବା ସହ ଦିଲ୍ଲୀ ଏବଂ ଆଗ୍ରାର ତାଜମହଲ ମଧ୍ୟ ପରିଦର୍ଶନ କରିଥାନ୍ତି। ନିଜ ଦେଶକୁ ଫେରିବା ସମୟରେ ସେମାନେ କେବଳ କିଟ୍‍ ଓ କିସ୍‍ର ସ୍ମୃତି ନୁହେଁ, ବରଂ ଓଡ଼ିଶା ଓ ଭାରତରୁ ମଧୁର ଅନୁଭୂତିକୁ ମଧ୍ୟ ସାଙ୍ଗରେ ନେଇ ଫେରନ୍ତି। ସେମାନଙ୍କ ଗସ୍ତର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତ ବିଶେଷ କରି ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ସାମାଜିକ-ଅର୍ଥନୈତିକ ସ୍ଥିତି ବିଷୟରେ ଜାଣିବା ଓ ଜ୍ଞାନ ଆହରଣ କରିବା।

ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ବ୍ରୋଙ୍କସ୍ କମ୍ୟୁନିଟି କଲେଜ ରସାୟନ ବିଜ୍ଞାନ, ପୃଥିବୀ ବିଜ୍ଞାନ ଏବଂ ପରିବେଶ ବିଜ୍ଞାନ ବିଭାଗ ପ୍ରଫେସର ତଥା ଅଧ୍ୟକ୍ଷ ଏବଂ ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ୍‌, ସିଟି ୟୁନିଭର୍ସିଟି ଅଫ୍ ନ୍ୟୁୟର୍କର ସହ-ନିର୍ଦ୍ଦେଶକ ନୀଲ୍ ହଡସନ୍ ଫିଲିପ୍‌; ସିଟି ୟୁନିଭର୍ସିଟି ଅଫ୍ ନ୍ୟୁୟର୍କର ବ୍ରୋଙ୍କସ୍ କମ୍ୟୁନିଟି କଲେଜର ରସାୟନ ବିଜ୍ଞାନ, ପୃଥିବୀ ବିଜ୍ଞାନ ଏବଂ ପରିବେଶ ବିଜ୍ଞାନ ବିଭାଗ ପ୍ରଫେସର ପରିମିତା ସେନ୍‌, ହାଇଦ୍ରାବାଦସ୍ଥିତ ଆମେରିକା କନସୁଲେଟ୍ ପୂର୍ବତନ ପରାମର୍ଶଦାତା ସଲିଲ୍ କାଦର, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।