ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ ‘ଉଦ୍‌ଗମ -୨୦୨୬’ ଅନୁଷ୍ଠିତ

‘ଛାତ୍ରଛାତ୍ରୀମାନେ ନୂତନ ଚିନ୍ତାଧାରା ଓ ଗବେଷଣା ପ୍ରତି ଆଗ୍ରହୀ ହେବା ଉଚିତ’

ଭୁବନେଶ୍ୱର, ୧୩/୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଫୁଲନଖରା, କ୍ୟାମ୍ପସ -୨ରେ ଶୁକ୍ରବାର ୨୦୨୬-୨୭ ପ୍ରଥମ ବ୍ୟାଚର ନୂତନ ବି.ଫାର୍ମା ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ଶ୍ରେଷ୍ଠ ୧୫ତମ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ସୋଆରେ ଅଧ୍ୟୟନ କରିବାକୁ ଚୟନ କରିଥିବା ଫାର୍ମାସୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

ଶିକ୍ଷା ସହିତ ଗବେଷଣା, ନବସୃଜନ, ଉଦ୍ୟୋଗୀକରଣ ଓ ସାମାଜିକ ଦାୟିତ୍ୱବୋଧକୁ ଗୁରୁତ୍ୱ ଦେବା ଆବଶ୍ୟକ । ଛାତ୍ରଛାତ୍ରୀମାନେ କେବଳ ପାଠ୍ୟପୁସ୍ତକରେ ସୀମିତ ନ ରହି ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିବା ସହ ନୂତନ ଚିନ୍ତାଧାରା ଓ ଗବେଷଣା ପ୍ରତି ଆଗ୍ରହୀ ହେବା ଉଚିତ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ନବାଗତ ଛାତ୍ରଛାତ୍ରୀମାନଙ୍କୁ ସୋଆ ପରିବାରର ଅଂଶ ଭାବେ ଗର୍ବ ଅନୁଭବ କରିବା, ନିଜର ସ୍ୱପ୍ନକୁ ବଡ଼ କରିବା ଏବଂ ଶିକ୍ଷା ଜୀବନର ଚାରିବର୍ଷକୁ ଜ୍ଞାନ, ଗବେଷଣା ଓ ଅଭିଜ୍ଞତା ହାସଲର ଏକ ସଫଳ ଅବଧିରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଥିଲେ । ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଦକ୍ଷ ଫାର୍ମାସି ବୃତିଧାରୀ ଭାବେ ସମାଜ ଓ ଦେଶର ସେବା କରିବା ସହ ବିଶ୍ୱବିଦ୍ୟାଳୟର ଗୌରବ ବୃଦ୍ଧି କରିବେ ବୋଲି ପ୍ରଫେସର ନନ୍ଦ ଆଶା ପ୍ରକାଶ କରିଥିଲେ ।

ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ୟୁନିଭର୍ସିଟି ଡିପାର୍ଟମେଂଟ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ୟୁଡିପିଏସ୍‌)ର ଫାର୍ମାସୀ ସଂଯୋଜକ ଡଃ ସାଗର କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଆଧୁନିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଫାର୍ମାସୀ ବୃତିଜୀବୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଔଷଧ ଉତ୍ପାଦନଠାରୁ ଆରମ୍ଭ କରି ଔଷଧର ଗୁଣବତା ନିୟନ୍ତ୍ରଣ, ଗବେଷଣା, ଔଷଧ ସୁରକ୍ଷା ଏବଂ ରୋଗୀଙ୍କୁ ଉପଯୁକ୍ତ ପରାମର୍ଶ ଦେବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଫାର୍ମାସି ବୃତିଜୀବୀଙ୍କ ପାଇଁ ଅନେକ ସୁଯୋଗ ରହିଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ-୨ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନବାଗତ ଛାତ୍ରଛାତ୍ରୀଙ୍କୁ ଫାର୍ମାସୀ କୁ ଏକ ଉତମ ବୃତି ଭାବେ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ ।

ଫାର୍ମାସୀ କେବଳ ଔଷଧ, ଡାକ୍ତରଙ୍କ ପ୍ରେସ୍‌କ୍ରିପସନ୍ ଓ ଔଷଧ ପ୍ରସ୍ତୁତି ମଧ୍ୟରେ ସୀମିତ ନୁହେଁ । ବରଂ ଏହା ବିଜ୍ଞାନ, ସ୍ୱାସ୍ଥ୍ୟସେବା, ପ୍ରଯୁକ୍ତିବିଦ୍ୟା ଓ ମାନବିକତାର ଏକ ସମନ୍ୱିତ କ୍ଷେତ୍ର । ଜଣେ ଫାର୍ମାସିଷ୍ଟ ଡାକ୍ତର , ଔଷଧ ଓ ରୋଗୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ କାର୍ଯ୍ୟ ତୁଲାଇଥାଏ ବୋଲି ସେ କହିଥିଲେ ।

ଏଥିସହ ଛାତ୍ରଛାତ୍ରୀମାନେ ବୈଜ୍ଞାନିକ ମନୋଭାବ, ଶୃଙ୍ଖଳା, ନୈତିକ ମୂଲ୍ୟବୋଧ ଓ ଜିଜ୍ଞାସା ମନୋଭାବକୁ ନିଜ ଜୀବନରେ ଗୁରୁତ୍ୱ ଦେବା ସହ ପ୍ରତ୍ୟେକ ସୁଯୋଗର ସଦୁପଯୋଗ କରିବାକୁ ପ୍ରଫେସର (ଡାକ୍ତର) ଲେଙ୍କା କହିଥିଲେ ।

ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଯୋଗଦେଇ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ କହିଥିଲେ ଯେ ସମୟାନୁବର୍ତିତା, ଶୃଙ୍ଖଳା, କଠିନ ପରିଶ୍ରମ ଓ ଅଧ୍ୟବସାୟ ହିଁ ଛାତ୍ରଛାତ୍ରୀଙ୍କ ଜୀବନର ମୂଳମନ୍ତ୍ର ହେବା ଆବଶ୍ୟକ ।

ଏହି କାର୍ଯ୍ୟକ୍ରମରେ ଫାର୍ମାସୀ-୨ର ଡିନ୍ ପ୍ରଫେସର (ଡକ୍ଟର) ଦୁର୍ଗାମାଧବ କର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର (ଡକ୍ଟର) ଲକ୍ଷ୍ମୀଧର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଫାର୍ମାସୀ ପାଠ୍ୟକ୍ରମ ଓ ସୋଆ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

ଶେଷରେ ଏସ୍‌ପିଏସ୍‌-୨ର ପ୍ରଫେସର(ଡ) ସତ୍ୟନାରାୟଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ତିନିଦିନ ଧରି ଛାତ୍ରଛାତ୍ରୀମାନଙ୍କୁ ଏକାଡେମିକସ୍ ଓ ପାଠ୍ୟକ୍ରମ ସଂକ୍ରାନ୍ତ ବିଭିିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯିବା ସହ ସେମାନଙ୍କୁ ଏ ବିଷୟରେ ସୂଚନା ପ୍ରଦାନ କରାଯିବ ।