ଗୃହ ନିର୍ମାଣ ଅନୁମତି ପ୍ରଦାନରେ ବିଳମ୍ବ ଦୂର କରିବାକୁ ଏସିଏସ୍‌ଙ୍କ ନିର୍ଦ୍ଦେଶ

ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନଗୁଡ଼ିକର ଫଇସଲା ଉପରେ ଗୁରୁତ୍ୱ

ଜାଣିଶୁଣି ବିଳମ୍ବ କଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୧୩/୧୧: ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ, ମହାନଗର ନିଗମ ଏବଂ ଅନ୍ୟାନ୍ୟ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗୁଡ଼ିକରେ ଅନଲାଇନ୍ ବିଲ୍ଡିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥା ମାଧ୍ୟମରେ ଗୃହ ନିର୍ମାଣ ଅନୁମତି ପାଇଁ ପଡ଼ିରହିଥିବା ଆବେଦନଗୁଡ଼ିକର ସ୍ଥିତି ସମୀକ୍ଷା କରିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ । ସମସ୍ତ ବକେୟା ଆବେଦନର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଫଇସଲା କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜାଣିଶୁଣି କିମ୍ବା ଅଯଥାରେ ବିଳମ୍ବ କଲେ ଦାୟିତ୍ୱ ନିର୍ଦ୍ଧାରଣ ସହ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଖାରବେଳ ଭବନଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଶ୍ରୀମତୀ ପାଢ଼ୀ ବକେୟା ଆବେଦନଗୁଡ଼ିକର ସ୍ଥିତି, ପ୍ରକ୍ରିୟାଗତ ସମସ୍ୟା ଏବଂ ଯୋଜନା ଅନୁମୋଦନ କ୍ଷେତ୍ରରେ ହେଉଥିବା ବିଳମ୍ବର ସମୀକ୍ଷା କରିଥିଲେ । ଗୃହ ନିର୍ମାଣ ଅନୁମତି ପ୍ରଦାନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ଦକ୍ଷ ଓ ଜନସାଧାରଣଙ୍କ ପାଇଁ ସୁବିଧାଜନକ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ବକେୟା ଆବେଦନଗୁଡ଼ିକର ତଥ୍ୟଭିତ୍ତିକ ସମୀକ୍ଷା କରି କର୍ତ୍ତୃପକ୍ଷ ଓ ସହରାଞ୍ଚଳ ଅନୁଯାୟୀ ବିଳମ୍ବର କାରଣ ଚିହ୍ନଟ କରିବା ସହ ସେଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଡିଜିଟାଲ୍ ଫାଇଲ୍ ଟ୍ରାକିଂ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଆବଶ୍ୟକ ସ୍ଥଳେ ନିର୍ଦ୍ଧାରିତ ଦିନରୁ ଅଧିକ ସମୟ ଧରି ପଡ଼ିରହିଥିବା ଫାଇଲ୍‌ଗୁଡ଼ିକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇବା ପାଇଁ ଏକ ପ୍ରଭାବଶାଳୀ ବ୍ୟବସ୍ଥା ପ୍ରଚଳନ କରିବାକୁ ସେ କହିଥିଲେ । ପ୍ରତ୍ୟେକ ସ୍ତରରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ସହ ଜାଣିଶୁଣି ଅବହେଳା ଏବଂ ଅଯଥା ବିଳମ୍ବ କରୁଥିବା ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।

ଏହି ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ପାଇଁ SUJOG ପ୍ଲାଟଫର୍ମରେ ଉନ୍ନତ ମନିଟରିଂ ଓ ଉତ୍ତରଦାୟିତ୍ୱ ବ୍ୟବସ୍ଥା ସାମିଲ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଆବେଦନକାରୀମାନଙ୍କୁ ବାରମ୍ବାର ଅନାବଶ୍ୟକ ତଥ୍ୟ ମାଗିବାରୁ ବିରତ ରହିବା ସହ ଅନୁମୋଦନ ପାଇଁ ଆବଶ୍ୟକ କାଗଜପତ୍ର, ପ୍ରକ୍ରିୟା ଓ ସମୟସୀମା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ଜନସାଧାରଣଙ୍କୁ ସୁବିଧାଜନକ ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇ ସରଳ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ସହ ଡିଜିଟାଲ୍ ପ୍ଲାଟଫର୍ମ, ବ୍ୟାଖ୍ୟାତ୍ମକ ଭିଡିଓ ଏବଂ ଅନ୍ୟାନ୍ୟ ଯୋଗାଯୋଗ ମାଧ୍ୟମରେ ଏହାକୁ ବ୍ୟାପକ ଭାବେ ଉପଲବ୍ଧ କରାଇବାକୁ ସେ ପରାମର୍ଶ ଦେଇଥିଲେ । ଯୋଜନା ପ୍ରସ୍ତୁତି ଓ ଅନୁମୋଦନ ପ୍ରକ୍ରିୟାକୁ ଅଧିକ ଦକ୍ଷ କରିବା ପାଇଁ ସରକାରୀ ଇଞ୍ଜିନିୟରିଂ କଲେଜ ଓ ପଲିଟେକ୍ନିକ୍‌ଗୁଡ଼ିକରେ ଉପଲବ୍ଧ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବାକୁ ମଧ୍ୟ ସେ ଉତ୍ସାହିତ କରିଥିଲେ ।

ପ୍ରଯୁକ୍ତିବିଦ୍ୟା ଆଧାରିତ ଶାସନ ବ୍ୟବସ୍ଥାର ପ୍ରକୃତ ସୁଫଳ ଯେପରି ସାଧାରଣ ନାଗରିକଙ୍କ ନିକଟରେ ପହଞ୍ଚିପାରିବ, ସେଥିପାଇଁ SUJOG ଟିମ୍ ଏବଂ ସମସ୍ତ ସମ୍ପୃକ୍ତ ଅଧିକାରୀ ନିଜ ନିଜ ଦାୟିତ୍ୱକୁ ଗୁରୁତ୍ୱର ସହ ନିର୍ବାହ କରିବା ସହ ଏକ ସରଳ, ସ୍ୱଚ୍ଛ ଓ ନିର୍ଭରଯୋଗ୍ୟ ଅନୁମୋଦନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଶ୍ରୀମତୀ ପାଢ଼ୀ ଆହ୍ୱାନ ଦେଇଥିଲେ ।

ଖାରବେଳ ଭବନ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ନିର୍ଦ୍ଦେଶକ,ଟାଉନ ପ୍ଲାନିଙ୍ଗ ଶ୍ରୀ ଶତ୍ରୁଘ୍ନ କର, ଅତିରିକ୍ତ ସଚିବ ଶ୍ରୀ ସୁଭେନ୍ଦୁ କୁମାର ସାହୁ, ସହକାରୀ ନଗର ଯୋଜନାକାରୀ ଏବଂ SUJOG ଟିମ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ ।