ସମ୍ବଲପୁର, ୦୮/୦୯: ସରକାରୀ ଅର୍ଥ ହେରଫେର ଓ ଜାଲ୍ ବିଲ୍ ମାଧ୍ୟମରେ ଟଙ୍କା ହଡ଼ପ ଅଭିଯୋଗରେ ଭିଜିଲାନ୍ସ ଜଣେ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମିର୍ ଇମତିଆଜ୍ ଅଲୀ। ସେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅଧୀନ ଫାସିମାଲ CHCରେ ଜୁନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଥିଲେ। ଗୋବିନ୍ଦପୁର CHCର ଇନ୍ଚାର୍ଜ ଜୁନିୟର ଆସିଷ୍ଟାଣ୍ଟ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଥିଲେ।
ଭିଜିଲାନ୍ସର ତଦନ୍ତ ଅନୁଯାୟୀ, ୨୦୨୧-୨୨ରୁ ୨୦୨୬-୨୭ ଆର୍ଥିକ ବର୍ଷ ମଧ୍ୟରେ ଅଭିଯୁକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ନାଁରେ ମିଥ୍ୟା ଅନ୍ଲାଇନ୍ ଓ ଅଫ୍ଲାଇନ୍ ବିଲ୍ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି। ବିଶେଷକରି ବକେୟା ଦରମା, ଅବ୍ୟବହୃତ ଛୁଟିର ନଗଦୀକରଣ ଓ ଅସ୍ଥାୟୀ ପେନ୍ସନ୍ ଭଳି ବିଭିନ୍ନ ଆର୍ଥିକ ଖାତାରେ ଏହି ବିଲ୍ ପ୍ରସ୍ତୁତ କରାଯାଇଥିବା ତଦନ୍ତରୁ ଜଣାପଡ଼ିଥିବା ଭିଜିଲାନ୍ସ କହିଛି।
ଭିଜିଲାନ୍ସ ତଦନ୍ତ ଅନୁସାରେ, ଫାସିମାଲ CHCରେ କାର୍ଯ୍ୟରତ ଥିବା ସମୟରେ ଅବସରପ୍ରାପ୍ତ କର୍ମଚାରୀଙ୍କ ନାଁରେ ମିଥ୍ୟା ବିଲ୍ ପ୍ରସ୍ତୁତ କରାଯାଇଥିଲା। ଏହି ଅର୍ଥ ସମ୍ପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦେବା ପରିବର୍ତ୍ତେ ଅନ୍ୟତ୍ର ଡାଇଭର୍ଟ କରାଯାଇଥିବା ଅଭିଯୋଗ ହୋଇଛି। ଏହି ପ୍ରକ୍ରିୟାରେ ଅଭିଯୁକ୍ତ ନିଜ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୭୦ ଲକ୍ଷ ୫୭ ହଜାର ୪୫୦ ଟଙ୍କା ନେଇଥିବା ଭିଜିଲାନ୍ସ ତଦନ୍ତରେ ଜଣାପଡ଼ିଛି।
ସେହିପରି ଗୋବିନ୍ଦପୁର CHCରେ ଜୁନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରିବା ସମୟରେ ମଧ୍ୟ ସମାନ ଢଙ୍ଗରେ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଛି। ସେଠାରେ ଅବସରପ୍ରାପ୍ତ କର୍ମଚାରୀଙ୍କ ନାଁରେ ମିଥ୍ୟା ବିଲ୍ ପ୍ରସ୍ତୁତ କରି ୪୪ ଲକ୍ଷ ୫୭ ହଜାର ୮୯ ଟଙ୍କା ହଡ଼ପ କରାଯାଇଥିବା ଭିଜିଲାନ୍ସ କହିଛି।
ଫାସିମାଲ ସିଏଚସି ଓ ଗୋବିନ୍ଦପୁର ସିଏଚସିରେ ହୋଇଥିବା ଅର୍ଥ ହେରଫେରକୁ ମିଶାଇ ମୋଟ ୧ କୋଟି ୧୫ ଲକ୍ଷ ୧୪ ହଜାର ୫୩୯ ଟଙ୍କା ସରକାରୀ ଅର୍ଥ ହଡ଼ପ କରାଯାଇଥିବା ଭିଜିଲାନ୍ସ ତଦନ୍ତରୁ ସ୍ପଷ୍ଟ ହୋଇଥିବା କହିଛି। ଘଟଣାର ତଦନ୍ତ ଚାଲିଛି।