ଓଡ଼ିଶାର ଜଳସେଚନ ଐତିହ୍ୟକୁ ପର୍ଯ୍ୟଟନ ଓ ବିକାଶ ସହ ଯୋଡ଼ିବ ‘ବୋଇତ’

ଜଳ ସମ୍ପଦ ବିଭାଗର ₹୬୫୦ କୋଟିର ‘ବୋଇତ’ ଯୋଜନାକୁ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ

ଭୁବନେଶ୍ୱର, ୦୮/୦୯: ଓଡ଼ିଶାର ସମୃଦ୍ଧ ଜଳସେଚନ ଐତିହ୍ୟକୁ ସଂରକ୍ଷଣ କରିବା ସହ ଏହାକୁ ପର୍ଯ୍ୟଟନ ଓ ଆଞ୍ଚଳିକ ବିକାଶ ସହ ଯୋଡ଼ିବା ଲକ୍ଷ୍ୟରେ ରାଜ୍ୟ କ୍ୟାବିନେଟ୍‌ ‘ଓଡ଼ିଶାର ଜଳସେଚନ ପ୍ରକଳ୍ପ ପର୍ଯ୍ୟଟନ ସୁବିଧାର ବିକାଶ’ (Building Odisha’s Irrigation Project Tourism Amenities-BOITA) ଯୋଜନାକୁ ଅନୁମୋଦନ କରିଛି। ଜଳସମ୍ପଦ ବିଭାଗର ଏହି ଯୋଜନା ପାଇଁ ₹୬୫୦ କୋଟିର ବ୍ୟୟବରାଦ କରାଯାଇଛି। ୫ ବର୍ଷ ଧରି, ଅର୍ଥାତ୍‌ ୨୦୨୬-୨୭ରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ।

ଐତିହାସିକ ଜଳସେଚନ ସଂରଚନାଗୁଡ଼ିକର ସଂରକ୍ଷଣ ଓ ପୁନରୁଦ୍ଧାର, ପାରମ୍ପରିକ ଜଳ ପରିଚାଳନା ପଦ୍ଧତିକୁ ଲୋକଲୋଚନକୁ ଆଣିବା ଏବଂ ଐତିହ୍ୟ ସମ୍ପଦ ମାଧ୍ୟମରେ ଆଞ୍ଚଳିକ ସାମାଜିକ ଓ ଆର୍ଥିକ ସୁଯୋଗ ସୃଷ୍ଟି କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ। ଓଡ଼ିଶାର ପ୍ରାଚୀନ ସାମୁଦ୍ରିକ ପରମ୍ପରାଠାରୁ ବ୍ରିଟିଶ ଓ ସ୍ୱାଧୀନତା ପରବର୍ତ୍ତୀ ସମୟର ଜଳସେଚନ ସଂରଚନା ପର୍ଯ୍ୟନ୍ତ ବ୍ୟାପ୍ତ ଏହି ଐତିହ୍ୟ ରାଜ୍ୟର ଐତିହାସିକ, ସାଂସ୍କୃତିକ ଓ ଯାନ୍ତ୍ରିକ ପରମ୍ପରାର ପରିଚୟ ବହନ କରେ।

ଯୋଜନା ଅଧୀନରେ ଐତିହାସିକ କୋଠା ଓ ସଂରଚନାଗୁଡ଼ିକର ପୁନଃବ୍ୟବହାର, ସେଗୁଡ଼ିକର ମୂଳ ଜଳ ବ୍ୟବସ୍ଥାର ସ୍ଥିରୀକରଣ ଓ ପୁନରୁଦ୍ଧାର ସହ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯିବ। ଏହା ମାଧ୍ୟମରେ ଐତିହ୍ୟ ସମ୍ପଦର ସ୍ଥାୟୀ ବ୍ୟବହାର ଓ ସଂରକ୍ଷଣ ସୁନିଶ୍ଚିତ ହେବ।

‘ବୋଇତ’ ଯୋଜନା ଓଡ଼ିଶାର ଜଳସେଚନ ଐତିହ୍ୟକୁ ସଂରକ୍ଷଣ କରିବା ସହ ତାହାକୁ ଜନସାଧାରଣ, ପର୍ଯ୍ୟଟନ ଓ ଆଞ୍ଚଳିକ ବିକାଶ ସହ ଯୋଡ଼ିବାରେ ଏକ ନୂଆ ଦିଗନ୍ତ ସୃଷ୍ଟି କରିବ ବୋଲି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ମତପ୍ରକାଶ କରିଛନ୍ତି।