ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ଯୋଜନା ୨୦୨୬-୨୭ ପାଇଁ ପ୍ରସ୍ତୁତି କର୍ମଶାଳା

ସ୍ୱାସ୍ଥ୍ୟ ସୂଚକାରେ ଉନ୍ନତି ପାଇଁ ତୃଣମୂଳସ୍ତରରେ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱଦେବାକୁ ଉପଦେଶ ଦେଲେ ମାନ୍ୟବର ସ୍ଵାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର, ୦୮/୦୯: ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୨୦୨୬-୨୭ ବର୍ଷ ପାଇଁ ପ୍ରସ୍ତୁତ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ନେଇ ଆଜି ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କର୍ମଶାଳାରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାସ୍ତରରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ବିଭିନ୍ନ କାର୍ଯ୍ୟକ୍ରମକୁ ଅଧିକ ଫଳପ୍ରଦ ଓ ଲକ୍ଷ୍ୟଭିତ୍ତିକ ଭାବେ କାର୍ଯ୍ୟାନ୍ୱୟନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

କର୍ମଶାଳାରେ ମନ୍ତ୍ରୀ ଡଃ ମହାଲିଙ୍ଗ କହିଥିଲେ ଯେ, “ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ହେଉଛନ୍ତି ରାଜ୍ୟର ସ୍ୱାସ୍ଥ୍ୟ ନେତୃବୃନ୍ଦ। ସେମାନଙ୍କ ନେତୃତ୍ୱ ଓ କାର୍ଯ୍ୟଦକ୍ଷତା ତୃଣମୂଳସ୍ତରରେ ସ୍ୱାସ୍ଥ୍ୟସେବାର ଫଳପ୍ରଦତାକୁ ନିର୍ଦ୍ଧାରଣ କରିବ। ତେଣୁ ଯୋଜନାର ସଠିକ୍ ପ୍ରସ୍ତୁତି ସହ ତାହାର ସମୟୋପଯୋଗୀ ଓ ଗୁଣାତ୍ମକ କାର୍ଯ୍ୟାନ୍ୱୟନ ପ୍ରମୁଖ ଦାୟିତ୍ୱ” ବୋଲି କହିଛନ୍ତି ।

ସେ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ୨୦୧୪ରୁ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ର ବିକାଶ ହୋଇଛି । ଜାତୀୟ ସ୍ୱାସ୍ଥ୍ୟ ନୀତି, ୨୦୧୭ର ଉଦ୍ଦେଶ୍ୟ ଓ ଦୃଷ୍ଟିକୋଣ ଅନୁଯାୟୀ ଲୋକଙ୍କୁ ସୁଲଭ, ଗୁଣାତ୍ମକ ଓ ସ୍ୱାସ୍ଥ୍ୟସେବା ପ୍ରଦାନ ଦିଗରେ ଦେଶ ଆଗେଇ ଚାଲିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାରେ ମଧ୍ୟ ଏହାର ସୁଫଳ ସ୍ୱାସ୍ଥ୍ୟ ସୂଚକାଙ୍କରେ ପ୍ରତିଫଳିତ ହେଉଛି । ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ଆଗକୁ ନେବା ପାଇଁ ଜିଲ୍ଲାସ୍ତରରେ ନିରନ୍ତର ମନିଟରିଂ ଓ ମୂଲ୍ୟାଙ୍କନର ଆବଶ୍ୟକତା ରହିଛି । ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ, ଆନିମିଆ ନିରାକରଣ, ଯକ୍ଷ୍ମା ମୁକ୍ତ ଓଡ଼ିଶା ଏବଂ ଅନ୍ୟାନ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ ଲକ୍ଷ୍ୟ ହାସଲ ଦିଗରେ ଅଧିକ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ମନ୍ତ୍ରୀ ଆହୁରି କହିଥିଲେ ଯେ, ଶିଶୁ ମୃତ୍ୟୁ ହାର ଏବଂ ମାତୃ ମୃତ୍ୟୁ ଅନୁପାତ ହ୍ରାସ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ରାଜ୍ୟର ପ୍ରାୟ ୮୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିବାରୁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ପହଞ୍ଚ ଓ ଗୁଣବତ୍ତା ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ। ବିଭିନ୍ନ ଜାତୀୟ ଓ ରାଜ୍ୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ମାଧ୍ୟମରେ ଆମେ ସ୍ୱାସ୍ଥ୍ୟ ସୂଚକାଙ୍କରେ ଆହୁରି ଉନ୍ନତି ଆଣିପାରିବା।

‘ଟିବି ମୁକ୍ତ ଭାରତ’ ଅଭିଯାନକୁ ଆହୁରି ଗତିଶୀଳ କରିବା ସହ ଅଧିକ ଲୋକଙ୍କୁ ନିକ୍ଷୟ ବ୍ୟବସ୍ଥାରେ ଚିହ୍ନଟ ଓ ପଞ୍ଜୀକୃତ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଯକ୍ଷ୍ମା ରୋଗୀଙ୍କ ଶୀଘ୍ର ଚିହ୍ନଟ, ଚିକିତ୍ସା ଓ ନିରନ୍ତର ଅନୁସରଣ ମାଧ୍ୟମରେ ଯକ୍ଷ୍ମା ନିରାକରଣ ଲକ୍ଷ୍ୟ ହାସଲ କରିବାକୁ ସେ ଆହ୍ୱାନ ଦେଇଥିଲେ। ସେହିପରି ‘ଆନିମିଆ ମୁକ୍ତ ଭାରତ’ ଅଭିଯାନକୁ ଅଧିକ ଫଳପ୍ରଦ କରିବା ପାଇଁ ନିୟମିତ ସ୍କ୍ରିନିଂ, ଚିହ୍ନଟ, ଚିକିତ୍ସା ଓ ଫଲୋଅପ୍ ଉପରେ ଗୁରୁତ୍ୱ ଦେବା ସହ ପ୍ରଚଳିତ ଅନିମିଆ ପ୍ରବଣ ଅଞ୍ଚଳଗୁଡ଼ିକରେ ସ୍ୱତନ୍ତ୍ର ରଣନୀତି ଗ୍ରହଣ କରିବାକୁ ସେ କହିଥିଲେ।

ସ୍ୱାସ୍ଥ୍ୟସେବାର ଗୁଣାତ୍ମକ ମାନ ଓ ଗୁଣବତ୍ତା ନିଶ୍ଚିତକରଣ (Quality Assurance) ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ହସ୍ପିଟାଲଗୁଡ଼ିକରେ ଗୁଣବତ୍ତାମୂଳକ ସେବା ବୃଦ୍ଧି ସହ ସ୍କ୍ରିନିଂ ଓ ମନିଟରିଂକୁ ସୁଦୃଢ଼ କରିବା ଏବଂ ପ୍ରତ୍ୟେକ ଯୋଜନାର ଲକ୍ଷ୍ୟ ଓ ପ୍ରଗତିକୁ ନିୟମିତ ଭାବେ ସମୀକ୍ଷା କରିବାକୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ।

କର୍ମଶାଳାରେ ମାନବ ସମ୍ବଳ, ଭିତ୍ତିଭୂମି, ଔଷଧ ଓ ନିଦାନ ସେବା, ଡିଜିଟାଲ୍ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ତୃଣମୂଳସ୍ତରରେ ସ୍ୱାସ୍ଥ୍ୟସେବାର ପହଞ୍ଚ ବୃଦ୍ଧି ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଲକ୍ଷ୍ୟଗୁଡ଼ିକୁ ସମୟବଦ୍ଧ ଭାବେ ହାସଲ କରିବା ସହ ରାଜ୍ୟର ସ୍ୱାସ୍ଥ୍ୟ ସୂଚକାଙ୍କରେ ଆହୁରି ଉନ୍ନତି ଆଣିବା ପାଇଁ ଜିଲ୍ଲାସ୍ତରରେ ଦୃଢ଼ କାର୍ଯ୍ୟଯୋଜନା ଓ ନିରନ୍ତର ମନିଟରିଂ ଉପରେ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଥିଲା।

କର୍ମଶାଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ସଚିବ ଅଶ୍ଵତୀ ଏସ. ବକ୍ତବ୍ୟ ପ୍ରଦାନ କରି ସ୍ୱାସ୍ଥ୍ୟସେବାର ଗୁଣବତ୍ତା ବୃଦ୍ଧି, ତୃଣମୂଳସ୍ତରରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ସମାନ, ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉପରେ ଆଲୋକପାତ କରିଥିଲେ । ୨୦୩୬ ସୁଦ୍ଧା ସ୍ବାସ୍ଥ୍ୟ କ୍ଷେତ୍ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ନିଜକୁ ଭିଜନ ଦେବାକୁ ପଡିବ ।

ଏହି ଅବସରରେ ମିଶନ ଡାଇରେକ୍ଟର ଡ଼ ବୃନ୍ଦା ଡ଼ି କାର୍ଯ୍ୟାନ୍ୱୟନ ଯୋଜନା୨୦୨୬-୨୭ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଛନ୍ତି । ଏଥିରେ ସାମଗ୍ରିକ ରୂପରେଖା, ପ୍ରମୁଖ ଶର୍ତ୍ତାବଳୀ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ଼ୀକରଣ ଅଧୀନରେ ଗ୍ରହଣ କରାଯିବାକୁ ଥିବା ପ୍ରମୁଖ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡ଼ ମହେଶ ମୋହନ ପଣ୍ଡା, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରବୀନ୍ଦ୍ର ନାଥ ମିଶ୍ର , ପରିବାର କଲ୍ୟାଣ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ ।