ବ୍ରଜରାଜନଗରରେ ବିକାଶ ବିରୋଧୀ ଦଲାଲ ସକ୍ରିୟ
ଜନସ୍ୱାର୍ଥର ଆଳରେ ବିକାଶ କାର୍ଯ୍ୟକୁ ବିରୋଧ; ଲୋକଙ୍କୁ ଭ୍ରମିତ କରିବା ଅଭିଯୋଗ
ପରଦା ପଛର ସ୍ୱାର୍ଥ କାହାର?
ଝାରସୁଗୁଡ଼ା, ୯/୯: ଦଶନ୍ଧି ଦଶନ୍ଧି ଧରି ବିକାଶରେ ପଛରେ ପଡ଼ିଥିବା ବ୍ରଜରାଜନଗର ଏବେ ବିକାଶ ଚାହୁଁଥିବା ବେଳେ ରାଜ୍ୟ ସରକାର ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ସହସ୍ରାଧିକ କୋଟି ଟଙ୍କାର ଅନୁଦାନରେ ଅଞ୍ଚଳରେ ବିକାଶର ଗତି ବଢ଼ୁଛି; ମାତ୍ର ଏହି ବିକାଶ କାର୍ଯ୍ୟକୁ ପଛରୁ ଟାଣି ଧରିବା ପାଇଁ ବିକାଶ ବିରୋଧୀ ଦଲାଲ ସକ୍ରିୟ ହୋଇଥିବା ନେଇ ସଚେତନ ନାଗରିକ ମଞ୍ଚ ଗୁରୁତର ଅଭିଯୋଗ ଆଣିଛି।
ଜନସ୍ୱାର୍ଥର ମୁଖା ପିନ୍ଧି କିଛି ବ୍ୟକ୍ତି ବ୍ରଜରାଜନଗର ଅଞ୍ଚଳରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ ବାଧା ସୃଷ୍ଟି କରୁଥିବା, ପ୍ରକଳ୍ପ ବିରୋଧରେ ନାନା ପ୍ରକାର ଗୁଜବ ପ୍ରଚାର କରି ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଥିବା ଏବଂ ସରକାରୀ କାମକୁ ପ୍ରଭାବିତ କରୁଥିବା ନେଇ ସଚେତନ ନାଗରିକ ମଞ୍ଚ ଗୁରୁତର ଅଭିଯୋଗ ଆଣିଛି।
ଜିଲ୍ଲାପାଳଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ମଞ୍ଚ ଅଭିଯୋଗ କରିଛି ଯେ, କିଛି ବ୍ୟକ୍ତି ନିଜସ୍ୱ ସ୍ୱାର୍ଥରେ ସରକାରୀ ବିକାଶ ଯୋଜନାକୁ ବାଧା ଦେଉଛନ୍ତି ଏବଂ ପ୍ରକଳ୍ପ ସମ୍ପର୍କରେ ଭୁଲ ତଥ୍ୟ ଦେଇ ସାଧାରଣ ଲୋକଙ୍କୁ ବିରୋଧ ପାଇଁ ପ୍ରଭାବିତ କରାଯାଉଛି। ପରିବେଶ, ଜମି, ଜନସ୍ୱାର୍ଥ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇ ପ୍ରକଳ୍ପକୁ ପ୍ରଶ୍ନ କରିବା ନାଗରିକଙ୍କ ଅଧିକାର ହୋଇଥିଲେ ମଧ୍ୟ ପ୍ରତ୍ୟେକ ବିକାଶମୂଳକ ପ୍ରକଳ୍ପକୁ ବିରୋଧ କାହିଁକି, ଅଭିଯୋଗର ତଥ୍ୟାଧାର କେତେ ଏବଂ ଏହି ବିରୋଧରୁ ଲାଭ କାହାର—ଏହା ଏବେ ବଡ଼ ପ୍ରଶ୍ନ। ଯଦି ଅଭିଯୋଗରେ ସତ୍ୟତା ରହିଛି, ତେବେ ପ୍ରମାଣ ସାମ୍ନାକୁ ଆସିବା ସହ ତଦନ୍ତ କରାଯାଇ ଅନିୟମିତତା ଥିଲେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ; ଅନ୍ୟପକ୍ଷରେ ପ୍ରମାଣ ବିନା ଅଭିଯୋଗର ପାହାଡ଼ ଠିଆ କରି ପ୍ରକଳ୍ପକୁ ଅନିଶ୍ଚିତତା ମଧ୍ୟରେ ଠେଲିଦେବା ଯଦି କାହାର ଉଦ୍ଦେଶ୍ୟ, ତେବେ ତାହାର ମଧ୍ୟ ହିସାବ ହେବା ଦରକାର। କେଉଁ ବ୍ୟକ୍ତି କେଉଁ ପ୍ରକଳ୍ପକୁ ବିରୋଧ କରୁଛନ୍ତି, ପୂର୍ବରୁ ଏଭଳି ଅଭିଯୋଗ କେତେଥର ହୋଇଛି, କେଉଁ ଅଭିଯୋଗ ଆଧାରରେ କେତେଦିନ ପ୍ରକଳ୍ପ କାମ ପ୍ରଭାବିତ ହୋଇଛି ଏବଂ ଅଭିଯୋଗକାରୀଙ୍କର ସମ୍ପୃକ୍ତ ପ୍ରକଳ୍ପ ସହ କୌଣସି ପ୍ରତ୍ୟକ୍ଷ, ପରୋକ୍ଷ, ବ୍ୟକ୍ତିଗତ କିମ୍ବା ବ୍ୟବସାୟିକ ସ୍ୱାର୍ଥ ଅଛି କି—ଏସବୁର ଉତ୍ତର ଖୋଜିବା ଆବଶ୍ୟକ ବୋଲି ମଞ୍ଚ ଦାବି କରିଛି। ସରକାରୀ ଯୋଜନାର ଲାଭ ସାଧାରଣ ଲୋକଙ୍କ ପାଇଁ ହୋଇଥିବା ବେଳେ ମଧ୍ୟସ୍ଥଙ୍କ ହସ୍ତକ୍ଷେପ କାହିଁକି ଏବଂ ପ୍ରକଳ୍ପ ଅଟକାଇବା, ଲୋକଙ୍କୁ ଉସୁକାଇବା କିମ୍ବା ପ୍ରଶାସନ ଉପରେ ଚାପ ସୃଷ୍ଟି କରିବା ପଛରେ ଯଦି କୌଣସି ଆର୍ଥିକ କିମ୍ବା ବ୍ୟକ୍ତିଗତ ସ୍ୱାର୍ଥ ରହିଛି, ତେବେ ତାହା ଜନସ୍ୱାର୍ଥ ନୁହେଁ, ବରଂ ଜନସ୍ୱାର୍ଥର ଆବରଣରେ ସ୍ୱାର୍ଥର ଖେଳ ବୋଲି ମଞ୍ଚ ଅଭିଯୋଗ କରିଛି। ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ଲଖନପୁର ବ୍ଲକ ସହ ବ୍ରଜରାଜନଗର ଓ ବେଲପାହାଡ଼ ପୌରାଞ୍ଚଳ ରହିଥିବାରୁ ଏତେ ବଡ଼ ଅଞ୍ଚଳର ବିକାଶ ପ୍ରକଳ୍ପ ଯଦି ଅଭିଯୋଗ, ପ୍ରତିବାଦ ଓ ବାହ୍ୟ ଚାପରେ ଅଟକିଯାଏ, ତେବେ ତାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବ। ତେଣୁ ପ୍ରଶାସନ କେବଳ ଅଭିଯୋଗ ଶୁଣି ଫାଇଲ୍ ଚାପି ନରଖି କିଏ ଅଭିଯୋଗ କଲା, କାହିଁକି କଲା, ଅଭିଯୋଗର ଆଧାର କ’ଣ ଏବଂ ଏଥିରୁ କାହାର ଲାଭ ହେଉଛି—ତାହାର ନିରପେକ୍ଷ ତଦନ୍ତ କରିବା ଆବଶ୍ୟକ। ବିକାଶର ନାଁରେ ଯଦି ଅନିୟମିତତା ହେଉଛି, ତାହା ଉଜାଗର ହେଉ; ଆଉ ଯଦି ଜନସ୍ୱାର୍ଥର ନାଁରେ ବିକାଶକୁ ଅଟକାଇବା ପାଇଁ କୌଣସି ଚକ୍ର ସକ୍ରିୟ ଅଛି, ତେବେ ସେହି ଚକ୍ରର ମୁଖା ମଧ୍ୟ ଖୋଲୁ। ବ୍ରଜରାଜନଗରର ବିକାଶ କୌଣସି ଦଲାଲ, ମଧ୍ୟସ୍ଥ କିମ୍ବା ସ୍ୱାର୍ଥାନ୍ୱେଷୀ ଗୋଷ୍ଠୀର ଇଚ୍ଛାରେ ଚାଲିପାରିବ ନାହିଁ; ଜନସ୍ୱାର୍ଥର ମୁଖା ତଳେ କିଏ ସ୍ୱାର୍ଥର ଦୋକାନ ଖୋଲିଛି, ତାହା ଖୋଜିବା ସହ ବିକାଶକୁ ଅଟକାଇବାର ପ୍ରମାଣିତ ଚେଷ୍ଟା ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନାଗରିକ ମଞ୍ଚ ଦାବି କରିଛି।