ଆହୁରି ସୁଦୃଢ ହେବ ରାଜ୍ୟର ସମବାୟ କ୍ଷେତ୍ର: ମେଗା ସଦସ୍ୟତା ଅଭିଯାନ “ସମ୍ବନ୍ଧ”ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତିକମରେ ଜଣଙ୍କୁ ସମବାୟ ସଦସ୍ୟ କରିବାର ଲକ୍ଷ୍ୟ
ନୂତନ କୃଷି ସେବା କେନ୍ଦ୍ର, ଦୁଗ୍ଧ ସଂଗ୍ରହ କେନ୍ଦ୍ର, ଖାଉଟି କେନ୍ଦ୍ର ଓ ଜନସେବା କେନ୍ଦ୍ରର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୩/୦୯: ଆହୁରି ସୁଦୃଢ ହେବ ରାଜ୍ୟର ସମବାୟ କ୍ଷେତ୍ର । ସମବାୟ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବ । ଆସନ୍ତା ଶୁକ୍ରବାର ସେପ୍ଟେମ୍ବର ୨୫ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ରାଜ୍ୟର ସମବାୟ କ୍ଷେତ୍ରର ସମ୍ପ୍ରସାରଣ ପାଇଁ ଏକ ମେଗା ସମବାୟ ସଦସ୍ୟତା ଅଭିଯାନ “ସମ୍ବନ୍ଧ”ର ଶୁଭାରମ୍ଭ ହେବ । ମେଗା ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ ଆରମ୍ଭ କରାଯିବା ସହ ଡିଜିଟାଲ ମାଧ୍ୟମରେ ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ନୂତନ ମୋବାଇଲ ଆପ୍ଲିକେସନ୍ର ଶୁଭାରମ୍ଭ ହେବ । ଏହି ଅବସରରେ ସମବାୟ କ୍ଷେତ୍ରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଆଖୁ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହନ ଏବଂ ବଡ଼ମ୍ବା ଓ ଆସିକା ଚିନି କଳକୁ କାର୍ଯ୍ୟକ୍ଷମ କରିବା ନେଇ ଯୋଜନାର ଶୁଭାରମ୍ଭ ମଧ୍ୟ କରାଯିବ। ଏହି କାର୍ଯକ୍ରମରେ ସମସ୍ତ ଜିଲ୍ଲାକୁ ଅଭାଷୀ ମାଧ୍ୟମରେ ସଂଯୋଗ କରାଯିବ।
ଏହା ସହିତ ଓଡ଼ିଶା ସମବାୟ ଇତିହାସରେ ପ୍ରଥମ ଥର ପାଇଁ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ବୃହଦାକାର ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପ୍ସ) ଗୁଡ଼ିକ ଚାଷୀ ସଦସ୍ୟମାନଙ୍କୁ ଲାଭାଂଶ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ କରିବା ଦିଗରେ ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ୟାକ୍ସ ଓ ଲ୍ୟାମ୍ପ୍ସରେ ନୂତନ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଉଦ୍ଘାଟନ କରାଯିବ । କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଯେପରି କମ ମୂଲ୍ୟରେ ଭଡ଼ା ସୂତ୍ରରେ ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷକାର୍ଯ୍ୟ କରିପାରିବେ, ସେଥିପାଇଁ ପ୍ୟାକ୍ସ ଓ ଲ୍ୟାମ୍ପ୍ସ ରେ କୃଷି ସେବା କେନ୍ଦ୍ରର ଶୁଭାରମ୍ଭ ହେବ । ଏହା ସହିତ ଗ୍ରାମାଞ୍ଚଳର ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ନିତ୍ୟ ବ୍ୟବହାର୍ୟ ଦ୍ରବ୍ୟ ଯୋଗାଇଦେବା ପାଇଁ ନୂତନ ଖାଉଟି କେନ୍ଦ୍ର ଏବଂ ଗ୍ରାମାଞ୍ଚଳର ଲୋକମାନଙ୍କୁ ବିଭିନ୍ନ ଅତ୍ୟାବଶ୍ୟକ ସରକାରୀ ଓ ବେସରକାରୀ ସେବା ସହଜରେ ଯୋଗାଇଦେବା ଉଦ୍ଦେଶ୍ୟରେ ନୂତନ ଜନସେବା କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରାଯିବ। ସ୍ୱଚ୍ଛତା ଓ କ୍ଷମତା ବୃଦ୍ଧି ପାଇଁ ପ୍ୟାକ୍ସଗୁଡିକୁ ଜାତୀୟ ପ୍ୟାକ୍ସ କମ୍ପ୍ୟୁଟରାଇଜେସନ ସଫ୍ଟୱେର୍ (NLPS) ରେ ସାମିଲ କରାଯାଉଥିବା ବେଳେ ଶୁକ୍ରବାର ଏହାର ଶୁଭାରମ୍ଭ କରାଯିବ ।
ସେହିପରି ମଡେଲ ମଣ୍ଡିର ଭିତ୍ତିପ୍ରସ୍ତର ସ୍ଥାପନ ସହ ‘ସର୍ବବୃହତ୍ ଶସ୍ୟ ସଂରକ୍ଷଣ ଯୋଜନା’ ଅଧୀନରେ ନିର୍ମାଣ ହେବାକୁ ଗୋଦାମ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଏହାସହିତ ଚୟନ ହୋଇଥିବା ସମବାୟ ନିରୀକ୍ଷକ ଓ ରାଜ୍ୟ ପଣ୍ୟାଗାର ନିଗମ (OSWC) ର ପ୍ରାର୍ଥୀଙ୍କୁ ମଧ୍ୟ ନିଯୁକ୍ତି ପତ୍ର ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ।