ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲାଞ୍ଚ ନେଉଥିଲେ କନିଷ୍ଠ କିରାଣୀ
କନିଷ୍ଠ କିରାଣୀ ପ୍ରସନ୍ନ ସାହାଣୀଙ୍କୁ ଧରିଲା ଭିଜିଲାନ୍ସ
ଯାଜପୁର, ୨୫/୦୯: ଯାଜପୁରରେ ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ। ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ କନିଷ୍ଠ କିରାଣୀ ପ୍ରସନ୍ନ ସାହାଣୀଙ୍କୁ ଧରିଛି ଭିଜିଲାନ୍ସ। ଜମି ବିକ୍ରି ପାଇଁ ଅନୁମତି ପତ୍ର କରାଇଦେବାକୁ ଅଭିଯୋଗକାରୀଙ୍କୁ ସେ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।
ଅଭିଯୋଗ ଅନୁଯାୟୀ, ଜମି ବିକ୍ରି ସମ୍ପର୍କିତ ଅନୁମତି ପତ୍ର କରାଇଦେବା ପାଇଁ ପ୍ରସନ୍ନ ସାହାଣୀ ୪୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ଅନୁଯାୟୀ ଆଜି ଲାଞ୍ଚ ଟଙ୍କା ଦେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ପ୍ରସନ୍ନ ସାହାଣୀଙ୍କୁ ଧରିଥିଲେ। ଏହି ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି।