କଲ୍ୟାଣସିଂହପୁର, ୨୫/୦୯(ନିପ୍ର): ଅସହାୟତାର ସୁଯୋଗ ନେଇ ଜଣେ ମାନସିକ ଭିନ୍ନକ୍ଷମ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ୮ ମାସର ଗର୍ଭବତୀ କରି ଫେରାର ହୋଇଯାଇଛି ଯୁବକ। ଏହି ଭଳି ଏକ ଅଭାବନୀୟ ଲଜ୍ଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହୁକୁମାରେ।
ମାନସିକ ଭିନ୍ନକ୍ଷମ ଯୁବତୀ ଜଣକ କଥା କହି ପାରୁ ନ ଥିବା ବେଳେ ସ୍ଥାନୀୟ ହାଇସ୍କୁଲ ପଛପଟେ ମଶାଣି ଓ ବଣ ଜଙ୍ଗଲ ଭିତରେ ଝାଟି ମାଟିର ଏକ ଜରି କୁଡ଼ିଆ ଘରେ ରୁହନ୍ତି। ଏହାର ସୁଯୋଗ ନେଇ କେହି ଜଣେ ନର ରାକ୍ଷସ ଶାରୀରିକ ସମ୍ପର୍କ ରଖି ୮ ମାସର ଗର୍ଭବତୀ କରି ଛାଡ଼ି ଫେରାର ହୋଇଯାଇଛି।
ଏହି ଖବର ଶୁଣିବା ପରେ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ରୀତା ରଞ୍ଜନୀ ପଣ୍ଡା ସିଡ଼ିପିଓଙ୍କୁ ଜଣାଇ ଥିଲେ। ଏହା ପରେ ମେଡିକାଲ୍ ନେଇ ଚିକିତ୍ସା କରାଇ ନିଜ ଘର ଜଗନ୍ନାଥ କୋଲେନୀରେ ନେଇ ରଖିଥିବା ଜଣା ପଡିଛି। ପୀଡିତାଙ୍କ ପରିବାର କହିଲେ, ତାଙ୍କ ବାପା କିଛି ବର୍ଷ ପୂର୍ବରୁ ଆରପାରିକୁ ଚାଲି ଯାଇଥିବା ବେଳେ ଭାଇ ଜଣେ କିନ୍ନର। ଘରେ କେବଳ ବୁଢ଼ୀ ମାଆ ଟିଏ ଅଛି। ବର୍ତ୍ତମାନ ଅଙ୍ଗନୱାଡ଼ି କର୍ମୀ ରୀତା ପଣ୍ଡା ନିଜ ଘରକୁ ନେଇ ଆଶ୍ରୟ ଦେଇ ରଖିଥିବା କହିଛନ୍ତି।
ଏହି ବିଷୟରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ବେଳେ ଘଟଣା ଉପରୁ ପରଦା ଉଠିବା ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।
ଏହାକୁ ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଏହି ନିରୀହ ଯୁବତୀଙ୍କୁ ସରକାରଙ୍କ ତରଫରୁ କୌଣସି ପ୍ରକାର ଆଶ୍ରୟ ସ୍ଥଳୀ ବା ସୁବ୍ୟବସ୍ଥା କରି ଦୋଷୀକୁ ଦଣ୍ଡ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।