ଭୁବନେଶ୍ୱର, ୨୫/୦୯: ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୨୦୧୫ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଡ. ସର୍ବଣା ବିବେକ ଏମ୍। ଏହା ପୂର୍ବରୁ ସେ ବ୍ରହ୍ମପୁର ଏସ୍ପି ଭାବେ କାର୍ଯ୍ୟରତ ଥିଲେ। ରାଜ୍ୟ ସରକାରଙ୍କ ଆଇପିଏସ୍ ଅଧିକାରୀଙ୍କ ଅଦଳବଦଳ ପରେ ତାଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ମିଳିଥିଲା।
ଦାୟିତ୍ୱ ଗ୍ରହଣ ପରେ ନୂଆ ଡିସିପି ସର୍ବଣା ବିବେକ କହିଛନ୍ତି, ସମସ୍ତଙ୍କୁ ସାଙ୍ଗରେ ନେଇ ଗୋଟିଏ ଟିମ୍ ଭାବେ କାମ କରିବା ତାଙ୍କର ପ୍ରମୁଖ ଲକ୍ଷ୍ୟ ରହିବ। ପୋଲିସ ବ୍ୟବସ୍ଥା ଏକ ଟିମ୍ୱାର୍କ ଏବଂ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମନ୍ୱୟରେ ଅପରାଧ ନିୟନ୍ତ୍ରଣ ସହ ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇବାକୁ ସେ ଗୁରୁତ୍ୱ ଦେଇଛନ୍ତି। ସାଧାରଣ ଲୋକଙ୍କ ସହଯୋଗ ମଧ୍ୟ ଫଳପ୍ରଦ ପୋଲିସିଂ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି।
ବର୍ତ୍ତମାନ ସାଇବର ଅପରାଧ ନିୟନ୍ତ୍ରଣ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ଅନଲାଇନ୍ ଠକେଇର ବିଭିନ୍ନ ଉପାୟ ଜରିଆରେ ଲୋକମାନେ ବହୁ ପରିମାଣର ଟଙ୍କା ହରାଉଥିବାରୁ ଏହି ଅପରାଧକୁ ରୋକିବା ପାଇଁ ପୋଲିସକୁ ଆହୁରି ସଶକ୍ତ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଭୁବନେଶ୍ୱର ଭଳି ଦ୍ରୁତଗତିରେ ବଢ଼ୁଥିବା ସହରରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ଅପରାଧ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା, ମହିଳା ଓ ଶିଶୁଙ୍କ ସୁରକ୍ଷା, ସାଇବର ଅପରାଧ ରୋକିବା ଏବଂ ଜନସାଧାରଣଙ୍କ ଅଭିଯୋଗ ଉପରେ ତ୍ୱରିତ ପଦକ୍ଷେପ ନେବା ଉପରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବତନ ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ଗତ ୧୧ ତାରିଖରୁ ଗ୍ରହଣ କରିବା ପରେ ଡିସିପି ପଦ ଖାଲି ପଡ଼ିଥିଲା। ଏହାପରେ ସରକାର ସର୍ବଣା ବିବେକଙ୍କୁ ନୂଆ ଡିସିପି ଭାବେ ନିଯୁକ୍ତ କରିଥିଲେ।