ବେଦାନ୍ତ ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ପାଇଁ ସ୍ଥାନୀୟ ବକ୍ସାଇଟ ଯୋଗାଣକୁ ତ୍ୱରାନ୍ନିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା

ପଶ୍ଚିମ ଓଡ଼ିଶାରେ ୧,୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା କରିବ ବେଦାନ୍ତ

ଭୁବନେଶ୍ୱର, ୨୬/୦୯: ଓଡ଼ିଶାରେ ବେଦାନ୍ତର ପ୍ରସ୍ତାବିତ ୧ ଲକ୍ଷ କୋଟି ଟଙ୍କାର ଆଲୁମିନିୟମ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଶନିବାର ଲୋକସେବା ଭବନରେ ଆଲୋଚନା କରିଛନ୍ତି । ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା ସହ ଶିଳ୍ପ ଓ ସରକାର ମଧ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା ।

ବୈଠକରେ ବକ୍ସାଇଟ ଯୋଗାଣ ସୁରକ୍ଷା ନେଇ ମଧ୍ୟ ଆଲୋଚନା ହୋଇଥିଲା । କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ସ୍ଥିତ ବେଦାନ୍ତର ଅତ୍ୟାଧୁନିକ ଆଲୁମିନା ରିଫାଇନାରୀ ପାଇଁ ସ୍ଥାନୀୟ ଅଂଚଳରୁ ବକ୍ସାଇଟ ଯୋଗାଣ କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି ।

ବେଦାନ୍ତ ପକ୍ଷରୁ ପ୍ରସ୍ତାବିତ ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପରେ ଢେଙ୍କାନାଳ ଜିଲ୍ଲାରେ ବାର୍ଷିକ ୩୦ ଲକ୍ଷ ଟନ କ୍ଷମତାର ଆଲୁମିନିୟମ ସ୍ମେଲ୍ଟର ଏବଂ ରାୟଗଡ଼ା ଜିଲ୍ଲାରେ ବାର୍ଷିକ ୬୦ ଲକ୍ଷ ଟନ କ୍ଷମତାର ଆଲୁମିନା ରିଫାଇନାରୀ ପ୍ରତିଷ୍ଠା ହେବ । ଏହା ଭାରତର ଶିଳ୍ପ ବିକାଶ କ୍ଷେତ୍ରରେ ଏକ ବଡ଼ ପରିବର୍ତନର ମାଇଲଖୁଂଟ ହେବ ବୋଲି କୁହାଯାଇଛି । ଢେଙ୍କାନାଳ ପ୍ଲାଂଟରୁ ଉଚ୍ଚମାନର ହଟ୍ ମେଟାଲ ଓଡ଼ିଶାରେ ବେଦାନ୍ତର ଡାଉନଷ୍ଟ୍ରିମ ଆଲୁମିନିୟମ ପାର୍କଗୁଡ଼ିକୁ ଯୋଗାଣ କରାଯିବ । ଏହା ଦେଶର ଆଲୁମିନିୟମ ମୂଲ୍ୟଯୋଗ ଓ ଉତ୍ପାଦନ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବ ।

ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବେଦାନ୍ତର ସମୁଦାୟ ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୬୦ ଲକ୍ଷ ଟନକୁ ବୃଦ୍ଧି ପାଇବ । ଏହା ଦେଶର ଦ୍ରୁତ ବଢ଼ୁଥିବା ଆଲୁମିନିୟମ ଚାହିଦା ପୂରଣରେ ସହାୟକ ହେବ ।

ଆଲୋଚନା ସମୟରେ ଅନିଲ ଅଗ୍ରୱାଲ ଝାରସୁଗୁଡ଼ାରେ ଥିବା ଆଲୁମିନିୟମ ସ୍ମେଲ୍ଟରର କ୍ଷମତାକୁ ଆଉ ୧୦ ଲକ୍ଷ ଟନ ବଢ଼ାଇବା ପାଇଁ ବ୍ରାଉନଫିଲ୍ଡ ବିସ୍ତାର ପ୍ରସ୍ତାବ ମଧ୍ୟ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଯୁବପିଢ଼ି ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛି । ଏଥିପାଇଁ ରାଜ୍ୟ ସରକାର ଦେଶ ଓ ବିଦେଶରୁ ଅଧିକ ପୁଞ୍ଜିନିବେଶ ଆକର୍ଷଣ ପାଇଁ ପ୍ରୟାସ କରୁଛି । ଏହି ପ୍ରକଳ୍ପଗୁଡ଼ିକର ନିଯୁକ୍ତି ଓ ସ୍ଥାନୀୟ ବିକାଶ କ୍ଷେତ୍ରରେ ବିଶାଳ ସମ୍ଭାବନା ଥିବାରୁ ଆଲୁମିନିୟମ କ୍ଷେତ୍ରରେ ଏହି ପୁଞ୍ଜିନିବେଶକୁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇବେ ବୋଲି ସେ କହିଥିଲେ । ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଭୂମିସ୍ତରରେ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଥିଲେ ଯେ ପ୍ରସ୍ତାବିତ ପୁଞ୍ଜିନିବେଶର ଲକ୍ଷ୍ୟ ହେଉଛି ଭିତିଭୂମି, ଶକ୍ତି ପରିବର୍ତନ, ଉନ୍ନତ ଉତ୍ପାଦନ ଓ ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ଭାରତର ଆକାଂକ୍ଷାକୁ ଆଗେଇ ନେବା ପାଇଁ ବିଶ୍ୱସ୍ତରୀୟ ଶିଳ୍ପ ପରିବେଶ ଗଢ଼ି ତୋଳିବା । ଓଡ଼ିଶା ସରକାର ସହ ମିଶି ବିଶ୍ୱସ୍ତରରେ ପ୍ରତିଯୋଗିତାକ୍ଷମ ଶିଳ୍ପ ସମ୍ପତି ଗଢ଼ିବା, ବ୍ୟାପକ ନିଯୁକ୍ତି ସୃଷ୍ଟି, ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ସୁଦୃଢ଼ କରିବା ଏବଂ ‘ବିକଶିତ ଭାରତ’ ଗଠନରେ ଅର୍ଥପୂର୍ଣ୍ଣ ଯୋଗଦାନ କରିବାକୁ ବେଦାନ୍ତ ପ୍ରତିବଦ୍ଧ ବୋଲି ସେ କହିଥିଲେ ।

ପଶ୍ଚିମ ଓଡ଼ିଶାରେ ବେଦାନ୍ତ ପକ୍ଷରୁ ୧,୦୦୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ ଅନିଲ ଅଗ୍ରୱାଲ ସୂଚନା ଦେଇଥିଲେ । ବୈଠକରେ ଅନିଲ ଅଗ୍ରୱାଲ ଓଡ଼ିଶାର ସମୃଦ୍ଧି ପ୍ରତି ବେଦାନ୍ତର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ । ଗତ ଦୁଇ ଦଶନ୍ଧି ଧରି ଓଡ଼ିଶା ସହ ବେଦାନ୍ତର ଏକ ଦୃଢ଼ ସହଭାଗିତା ଗଢ଼ିଉଠିଛି ବୋଲି ସେ କହିଥିଲେ ।

ପ୍ରସ୍ତାବିତ ପ୍ରକଳ୍ପରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୨ ଲକ୍ଷରୁ ଅଧିକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ସହିତ ପରିବହନ, ଭିତିଭୂମି, ଯାନ୍ତ୍ରିକ ଓ ସହାୟକ ଶିଳ୍ପ କ୍ଷେତ୍ରରେ ବ୍ୟାପକ ବହୁଗୁଣିତ ପ୍ରଭାବ ସୃଷ୍ଟି ହୋଇ ୨୦ ଲକ୍ଷରୁ ଅଧିକ ଜୀବିକା ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି । ଏହି ପୁଞ୍ଜିନିବେଶ ରଣନୈତିକ ପ୍ରାକୃତିକ ସମ୍ପଦ କ୍ଷେତ୍ରରେ ଆମଦାନୀ ନିର୍ଭରତା କମାଇବା ସହ ହଜାର ହଜାର କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ଏବଂ ଯୋଗାଣକାରୀ ବ୍ୟବସାୟର ବିକାଶକୁ ମଧ୍ୟ ସହାୟତା କରିବ ।

ବିଶ୍ୱରେ ଶକ୍ତି ପରିବର୍ତନ ପ୍ରକ୍ରିୟାରେ ଆଲୁମିନିୟମର ଗୁରୁତ୍ୱ ବଢ଼ୁଛି । ଅକ୍ଷୟ ଶକ୍ତି, ବିଦ୍ୟୁତ ପରିବହନ, ବିଦ୍ୟୁତ ଯାନ, ବିମାନ ଚଳାଚଳ ଏବଂ ଭବିଷ୍ୟତର ଭିତିଭୂମି ଭଳି କ୍ଷେତ୍ରରେ ଏହା ଏକ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବ୍ୟବହୃତ ହେଉଛି ।

ସେହିପରି ବିଦ୍ୟୁତ ପରିବହନ ଓ ବଂଟନ ବ୍ୟବସ୍ଥାରୁ ଆରମ୍ଭ କରି ଶୀତଳୀକରଣ ପ୍ରଣାଳୀ ଓ ତାପ ବିନିମୟକାରୀ ପର୍ଯ୍ୟନ୍ତ, କୃତ୍ରିମ ବୁଦ୍ଧିମତା ଭିତିକ ଭିତିଭୂମି ଓ ତଥ୍ୟ କେନ୍ଦ୍ରର ବିକାଶ ଆଲୁମିନିୟମର ଚାହିଦା ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି ।

ଝାରସୁଗୁଡ଼ାରେ ବିଶ୍ୱର ସର୍ବବୃହତ ଏକକ ସ୍ଥାନୀୟ ଆଲୁମିନିୟମ ସ୍ମେଲ୍ଟର ଏବଂ ଲାଞ୍ଜିଗଡ଼ରେ ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀ ଭଳି ପ୍ରସ୍ତାବିତ ଓ ବିଦ୍ୟମାନ ପୁଞ୍ଜିନିବେଶ ଓଡ଼ିଶାକୁ ଭାରତର ଆଲୁମିନିୟମ ହବ୍ରେ ପରିଣତ କରିବାର ସମ୍ଭାବନା ରଖୁଛି ।